ରାଜଧାନୀରେ ହେବ ନୂଆ ସହର

ରାଜଧାନୀରେ ହେବ ନୂଆ ସହର

 ଭୁବନେଶ୍ୱର : ଭୁବନେଶ୍ୱରର କଳେବର ବଢ଼ିବ  । ନୂଆ ସହର ଉନ୍ନୟନ ଯୋଜନାକୁ ରାଜ୍ୟ କ୍ୟାବିନେଟରେ ମୋହର ଲାଗିଛି। ଆଗାମୀ ୧୫ ବର୍ଷରେ ଏଥିପାଇଁ ବିଡ଼ିଏ ୮୧୭୯ କୋଟି ଟଙ୍କା ଖର୍ଚ୍ଚ କରିବ  । ରାଜ୍ୟ ସରକାର ୫ ବର୍ଷରେ ଏଥିପାଇଁ ୧୩୪୨ କୋଟି ଟଙ୍କା ପ୍ରଦାନ କରିବେ  । ନୂଆ ସହରରେ ସବୁ ଆୟ ଶ୍ରେଣୀଙ୍କୁ ଘର ଉପଲବ୍ଧ କରିବାର ଲକ୍ଷ୍ୟ ରହିଛି  । ଗୋଠପାଟଣା, ମଳିପଡ଼ା ଓ ଦାଶପୁରର ପ୍ରାୟ ୮ ଶହ ଏକର ଜମିକୁ ନେଇ ଏହି ନୂଆ ସହର ହେବ  । ରାଜ୍ୟ କ୍ୟାବିନେଟରେ ଏହି ଯୋଜନା ସହ ଆଉ ୪ ପ୍ରସ୍ତାବ ଉପରେ ମୋହର ଲାଗିଛି  । 
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାର ଆରମ୍ଭରୁ ଏଯାବତ୍ ହୋଇଥିବା ୨୫ କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ସଂକ୍ରାନ୍ତୀୟ ଏକ ପୁସ୍ତକ ଉନ୍ମୋଚିତ କରିଥିଲେ  । ଯେଉଁଥିରେ ଗତ ୨୫ କ୍ୟାବିନେଟରେ ପାରିତ ହୋଇଥିବା ୩୪ ବିଭାଗର ୧୪୯ ନିଷ୍ପତ୍ତି ସଂକ୍ରାନ୍ତରେ ଉଲ୍ଳେଖ କରାଯାଇଛି  ।
ରାଜ୍ୟ କ୍ୟାବିନେଟର ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ  । କ୍ୟାବିନେଟ ବୈଠକରେ    ୫ ବିଭାଗର ୫ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ଅନୁମୋଦନ କରାଯାଇଥିଲା  । ଗୃହ ଓ ନଗର ଉନ୍ନୟନ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗୋଟିଏ ଲେଖାଏଁ ମୋଟ୍ ୫ ପ୍ରସ୍ତାବ ଆଗତ ସହ ସମସ୍ତ ପ୍ରସ୍ତାବଗୁଡିକ ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ କରିଛି  । 
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ସରକାରୀ ନିଯୁକ୍ତି ପରୀକ୍ଷା ପାଇଁ ଫିସ୍ ଦେବାକୁ ପଡ଼ିବ  । ପୂର୍ବରୁ ଏହି ବ୍ୟବସ୍ଥା ହଟାଇ ଦିଆଯାଇଥିଲା  । ଫଳରେ ଅନେକ ପିଲା ଆବେଦନ କରୁଥିଲେ ବି ପରୀକ୍ଷା ଦେଉନଥିଲେ  । ଏହାଦ୍ୱାରା ପ୍ରଶାସନିକ ଚାପ ପଡୁଥିବାରୁ ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଛି  । ତେବେ ଆବେଦନ ସମୟରେ ସଂଗୃହୀତ ପରୀକ୍ଷା ଫିସ୍ ନିଯୁକ୍ତି ପରୀକ୍ଷାରେ ଯୋଗ ଦେଉଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତି ସଂସ୍ଥା ମାଧ୍ୟମରେ ଫେରସ୍ତ ଦେବାକୁ ନିଷ୍ପତ୍ତି ହୋଇଛି  ।
ସେହିପରି ଆମ୍ବୁଲାନ୍ସର ଆବଶ୍ୟକତା ବଢୁଥିବାବେଳେ ପୁରୁଣା ଆମ୍ବୁଲାନ୍ସ ବଦଳାଇବାର ବି ଆବଶ୍ୟକତା ରହିଛି  । ଏହାକୁ ଆଖିଆଗରେ ରଖି ଆଉ ୪୨୮ ଆମ୍ବୁଲାନ୍ସ କିଣାଯିବ  । ଏଥିପାଇଁ ୧୧୮.୯୮ କୋଟି ଟଙ୍କା ଖର୍ଚ୍ଚ ହେବ  । ସେଥିମଧ୍ୟରୁ ଏମସିଏଲ ୯୨ ଲକ୍ଷ ଟଙ୍କା ଦେବାର ଥିବାବେଳେ ଅବଶିଷ୍ଟ ଅର୍ଥ ରାଜ୍ୟ ସରକାର ପ୍ରଦାନ କରିବେ  । 
ସମ୍ପ୍ରତି ପରିବହନ ବିଭାଗ ଓ ପୁଲିସ ଦ୍ୱାରା ଇଲେକ୍ଟ୍ରୋନିକ୍ସ ଚାଲାଣ କଟୁଛି  । ତେବେ ୨୦୨୫ ଜୁଲାଇ ୩୧ ସୁଦ୍ଧା ବକେୟା ଥିବା ନିର୍ଦ୍ଦିଷ୍ଟ ଇ-ଚାଲାଣର ଏକକାଳୀନ ସମାଧାନ (ଓଟିଏସ) ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି  । ଏହି ଯୋଜନା ଅଧିସୂଚନା ଜାରି ହେବାଠାରୁ ୬ ମାସ ମଧ୍ୟରେ ବଳବତ୍ତର ରହିବ  । 
ଏତଦବ୍ୟତୀତ ବିଡ଼ିଓ ଏବଂ ଇଞ୍ଜିନିୟରମାନଙ୍କର ଆର୍ଥିକ ଓ ପ୍ରଶାସନିକ କ୍ଷମତା ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି  । ବ୍ଳକରେ ହେଉଥିବା କାର୍ଯ୍ୟରେ ବିନା ପ୍ରତି ସ୍ୱାକ୍ଷରରେ ବିଡ଼ିଓ ୧୦ ଲକ୍ଷ ଟଙ୍କାର ବିଲ୍ ପାଶ୍ କରିପାରିବେ  । ପୂର୍ବରୁ ଏହାର ସୀମା ମାତ୍ର ୨ ଲକ୍ଷ ଟଙ୍କା ଥିଲା  । ସେହିପରି ଜେଇମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ, ସହକାରୀ ନିର୍ବାହୀ ଯନ୍ତ୍ରୀମାନେ ୫ ଲକ୍ଷରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ, ନିର୍ବାହୀ ଯନ୍ତ୍ରୀମାନେ ୨୦ ଲକ୍ଷରୁ ୧ କୋଟି ପର୍ଯ୍ୟନ୍ତ ଓ ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀମାନେ ୧ କୋଟିରୁ ୪ କୋଟି ପର୍ଯ୍ୟନ୍ତ ଓ ପ୍ରକଳ୍ପ ମୁଖ୍ୟଯନ୍ତ୍ରୀମାନେ ୪ କୋଟିରୁ ଅଧିକ ପ୍ରକଳ୍ପକୁ ବୈଷୟିକ ମଞ୍ଜୁରୀ ପ୍ରଦାନ କରିବେ  । ଅପରପକ୍ଷରେ ମନରେଗା ବ୍ୟତୀତ ବିଡ଼ିଓଙ୍କ ପ୍ରଶାସନିକ ଅନୁମୋଦନ କ୍ଷମତା ୨୦ ଲକ୍ଷ ପର୍ଯ୍ୟନ୍ତ, ବ୍ଳକ ଅଧ୍ୟକ୍ଷଙ୍କ ୫୦ ଲକ୍ଷ ପର୍ଯ୍ୟନ୍ତ ଓ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ୫୦ ଲକ୍ଷରୁ ଅଧିକ ପ୍ରକଳ୍ପର ଅନୁମୋଦନ କରିପାରିବେ ।  ପୃଷ୍ଠାରେ...