ବାଲେଶ୍ୱର ବନ୍ଦ ପାଇଁ ଆସନ୍ତା ୧୬ରେ ବୈଠକ : ସମସ୍ତ ଦଳ ସମର୍ଥନ କରିବାକୁ ଆହ୍ୱାନ
ବାଲେଶ୍ୱର : ଫକୀରମୋହନ ମହାବିଦ୍ୟାଳୟର ଜନୈକା ଛାତ୍ରୀ ଉକ୍ତ ମହାବିଦ୍ୟାଳୟର ଅଧ୍ୟାପକଙ୍କ ଦ୍ୱାରା ଯୌନ ଓ ମାନସିକ ନିର୍ଯାତନାର ଶିକାର ହୋଇ ଗତ ୧୨ ତାରିଖ ଦିନ ଆତ୍ମଦାହ ପାଇଁ ଉଦ୍ୟମ କରିବା ଘଟଣାରେ ବାଲେଶ୍ୱର ସିଭିଲ୍ ସୋସାଇଟି ଗଭୀର ଉଦ୍ବେଗ ପ୍ରକାଶ କରିଛି । ପିଡ଼ିତା ଛାତ୍ରୀ ମୁମୂର୍ଷୁ ଅବସ୍ଥାରେ ମୃତୁ୍ୟ ସହ ସଂଗ୍ରାମ କରୁଛନ୍ତି । ଛାତ୍ରୀଜଣକ ଏପରି ଏକ ଚରମ ନିଷ୍ପତ୍ତି ନେବା ପୂର୍ବରୁ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ସମେତ ପୁଲିସକୁ ଓ ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ଜଣାଇଥିଲେ । କିନ୍ତୁ କୌଣସି ମହଲରୁ ନ୍ୟାୟ ନପାଇବାରୁ ଛାତ୍ରୀ ଜଣକ ଆତ୍ମହତ୍ୟା ପାଇଁ ବାଧ୍ୟ ହୋଇଛନ୍ତି ବୋଲି ଆୟୋଜିତ ଏକ ବୈଠକରେ ମତ ପ୍ରକାଶ ପାଇଥିଲା । ବାଲେଶ୍ୱରରେ ବରିଷ୍ଠ ଆଇନଜୀବୀଙ୍କୁ ଥାନା ଭିତରେ ଆକ୍ରମଣ ଘଟଣାରେ ପୁଲିସ୍ ଏତଲାକୁ ପଞ୍ଜିକୃତ କଲାନାହିଁ । ବାଲେଶ୍ୱରରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବ୍ୟାହତ ହୋଇଛି ବୋଲି ସଂପାଦକ ମନୋଜ ନାୟକ ଅଭିଯୋଗ କରିଛନ୍ତି । ତେଣୁ ବାଲେଶ୍ୱର ବନ୍ଦ ପାଇଁ ବୈଠକରେ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା । ଏନେଇ ଆସନ୍ତା ୧୬ ତାରିଖରେ ସ୍ଥାନୀୟଷ୍ଟେସନ କ୍ଲବ୍ ସଭାଗୃହରେ ଏକ ପରିବର୍ଦ୍ଧିତ ବୈଠକରେ ବାଲେଶ୍ୱର ବନ୍ଦ ପାଇଁ ତାରିଖ ଧାର୍ଯ୍ୟ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଉକ୍ତ ବୈଠକରେ ବାଲେଶ୍ୱରର ସମସ୍ତ ସାମାଜିକ ଓ ଗଣସଂଗଠନ, ବୁଦ୍ଧିଜୀବୀ, ଛାତ୍ରନେତା ଓ ରାଜନୈତିକ ଦଳର ନେତୃବୃନ୍ଦ ଯୋଗଦେବାକୁ ନିବେଦନ କରାଯାଇଛି । ଏହି ବୈଠକରେ ସର୍ବଶ୍ରୀ ବିପ୍ଳବ କୁମାର ମହାନ୍ତି, ଗୌରାଙ୍ଗ ପାଣିଗ୍ରାହୀ, ସନ୍ତୋଷ ସାହୁ, ଗଣେଶ୍ୱର ରାଉତ, ଡ. କ୍ଷିତୀଶ୍ୱର ଦାଶ, ଉମାକାନ୍ତ ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।