ବିଜେଡିରୁ ଗଣେଶ୍ୱର ବରାଳ ନିଲମ୍ବିତ 

ବିଜେଡିରୁ ଗଣେଶ୍ୱର ବରାଳ ନିଲମ୍ବିତ 

ଯାଜପୁର : ଆଜି ପୁଣି ଆଉ ଜଣେ ନେତାକୁ ବିଜେଡି ପକ୍ଷରୁ ନିଲମ୍ବିତ କରାଯାଇଛି । ଯାଜପୁର ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ତଥା ବିଜୁ ଜନତା ଦଳର ବଡଚଣାର ଯୁବ ନେତା ଗଣେଶ୍ୱର ବରାଳଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଛି । ଏନେଇ ବିଜେଡି ଉପସଭାପତି ପ୍ରତାପ ଜେନା  ସୂଚନା ଦେଇଛନ୍ତି । ଗଣେଶ୍ୱର ଦୀର୍ଘ ଦିନ ଧରି ବିଜୁ ଜନତା ଦଳର ବଡଚଣାର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଥିଲେ । ଗଣେଶ୍ୱରଙ୍କ ସ୍ତ୍ରୀ ବଡଚଣା ବ୍ଲକ ଖଇରା ପଞ୍ଚାୟତର ସରପଞ୍ଚ । ପରେ ଗଣେଶ୍ୱର ଦୁଇ ଥର ବିଜେଡି ଟିକେଟରେ ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଏକାନ୍ତ ଅନୁଗତ ଥିବାରୁ ତାଙ୍କୁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପଦ ମିଳିଥିଲା । ୨୦୨୪ ବିଧାନସଭା ନିର୍ବାଚନରେ ଗଣେଶ୍ୱର ଅମର ପ୍ରସାଦ ଶତପଥୀଙ୍କୁ ଟିକେଟ ନ ଦେବାକୁ ଘୋର ବିରୋଧ କରିଥିଲେ । 


 
   ସେହିପରି ଗତକାଲି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କୁ ନିଲମ୍ବିତ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡଙ୍କୁ ବିଜେଡିରୁ ସସପେଣ୍ଡ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ପ୍ରଥମ ଥର ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ । ସେହିପରି ୨୦୧୪ରେ ସନାତନ ମହାକୁଡ ଚମ୍ପୁଆ ଆସନରୁ ସ୍ୱାଧୀନ ଭାବେ ଓ ୨୦୨୪ରେ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ ।