ନବବର୍ଷ ଅବଧାରଣା ଓ ଭାରତୀୟ ପଞ୍ଚାଙ୍ଗ
ରବୀନ୍ଦ୍ରନାଥ ଯୋଷୀ : ଏହା ଏକ ବିଡମ୍ବନା ଯେ ଯେତେବେଳେ ଡିସେମ୍ବର ୩୧ ତାରିଖର ଅର୍ଦ୍ଧରାତ୍ରୀରେ ସାରା ଦୁନିଆ ଘଣ୍ଟାର ସବୁ କଣ୍ଟା ୧୨ରେ ପହଞ୍ଚବା ପର୍ଯ୍ୟନ୍ତ ଅପେକ୍ଷା କରିଥାଏ ସେତେବେଳେ ଆମେ କେବଳ ଏକ ତାରିଖକୁ ବଦଳାଉ ନାହେଁ ବରଂ ଅଜାଣତରେ ଏକ ପଦ୍ଧତିକୁ ସ୍ୱୀକାର କରିନେଉଛେ ଯାହାର ସମ୍ପର୍କ ଆମ ପ୍ରକୃତି ଭୂଗୋଳ ଏବଂ ସଂସ୍କୃତି ସହ ନାହିଁ । ଏ ପ୍ରସଙ୍ଗରେ ପ୍ରଶ୍ନ ମଧ୍ୟ ସରଳ – କ’ଣ ବାସ୍ତବରେ ଏହା ନୂଆବର୍ଷ ଅଟେ ? ସମୟର ନିରନ୍ତରତାରେ ଏକ ସଂଖ୍ୟାର ପରିବର୍ତ୍ତନ ପ୍ରଶାସନିକ ସୁବିଧା ତ ହୋଇପାରେ କିନ୍ତୁ କ’ଣ ଏହା ସେଇ ନବୀନତାର ପ୍ରତୀକ ଅଟେ ଯାହାକୁ ଆମେ ନବ ବର୍ଷ କହୁଛେ? ଭାରତ ଏକ ପ୍ରାଚୀନ ଏବଂ ଜ୍ଞାନ ସମୃଦ୍ଧ ଦେଶ ଅଟେ ଯେଉଁଠି କାଳର ଗଣନା କେବଳ ଏକ ଅଙ୍କର ଖେଳ ନୁହେଁ ବରଂ ଖଗୋଳ ବିଜ୍ଞାନ ଏବଂ ପ୍ରକୃତିର ଅନ୍ତଃସଂଘର୍ଷର ମହାକାବ୍ୟ ଅଟେ । ଏଣୁ ଏ ପ୍ରସଙ୍ଗରେ ବିମର୍ଷର ଆବଶ୍ୟକତା ରହିଛି । ଆମକୁ ଏକଥା ମଧ୍ୟ ବୁଝିବାକୁ ପଡିବ ଯେ ପାଶ୍ଚାତ୍ୟ କ୍ୟାଲେଣ୍ଡର ଏବଂ ଭାରତୀୟ ପଞ୍ଚାଙ୍ଗ ମଧ୍ୟରେ ପାର୍ଥକ୍ୟ କେବଳ ତିଥି ନୁହେଁ ବରଂ କ୍ୟାଲେଣ୍ଡର ଏବଂ ପଞ୍ଚାଙ୍ଗ ମଧ୍ୟରେ ଦୃଷ୍ଟି ଏବଂ ଦର୍ଶନର ପାର୍ଥକ୍ୟ ରହିଛି ।
ଗ୍ରେଗୋରିୟନ କ୍ୟାଲେଣ୍ଡର ଯାହା ଆଜି ବିଶ୍ୱସ୍ତରରେ ପ୍ରଶାସନିକ କାର୍ଯ୍ୟ ପାଇଁ ବ୍ୟବହାର କରାଯାଉଛି ତାହା ମୂଳତଃ ସୌରଚକ୍ର ଉପରେ ଆଧାରିତ ଏମିତି ଏକ ବ୍ୟବସ୍ଥା ଯାହାକୁ ତତ୍କାଳୀନ ରୋମାନ ସାମ୍ରାଜ୍ୟ ଏବଂ ପରିବର୍ତ୍ତୀ ସମୟରେ ବ୍ରିିଟିଶ ଉପନିବେଶବାଦ ନିଜ ସୁବିଧା ଅନୁସାରେ ଚଳାଇଥିଲେ । ଏହାର ବିପରୀତ ଭାରତୀୟ କାଳଗଣନା ସୌର ଏବଂ ଚନ୍ଦ୍ର ଉଭୟଙ୍କ ଗତିର ଏକ ଅଦ୍ଭୁତ ସମନ୍ୱୟ ଓ ଏହା ବ୍ରହ୍ମାଣ୍ଡର ସନ୍ତୁଳନକୁ ଦର୍ଶାଇଥାଏ । ଜାନୁୟାରୀ ୧କୁ ଯେତେବେଳେ ଆମେ ନୂଆବର୍ଷ ଭାବେ ପାଳନ କରୁଛେ ସେତେବେଳେ ସାରା ବିଶ୍ୱରେ ଶୀତ ବା ଥଣ୍ଡାର ସମୟ ଚାଲିଥାଏ, ଗଛରୁ ପତ୍ର ଝଡିଯାଇଥାଏ ଏବଂ ପ୍ରକୃତି ଏକପ୍ରକାର ସୁପ୍ତ ଅବସ୍ଥାରେ ଥାଏ । ବାତାବରଣରେ କୌଣସି ଜୈବିକ ପରିବର୍ତ୍ତନ ହୋଇନଥାଏ କିମ୍ବା ବାୟୁମଣ୍ଡଳରେ ବା ପବନରେ ଉଷ୍ମତା ମଧ୍ୟ ନଥାଏ ଯାହା କୌଣସି ନୂଆ ପ୍ରାରମ୍ଭର ସୂଚନା ଦେଇପାରିବ । ଏହା କେବଳ କ୍ୟାଲେଣ୍ଡର ର ପୃଷ୍ଠା ଓଲଟାଇବାର କଥା ଯେଉଁଥିରେ କୌଣସି ଭାବନାତ୍ମକ ସମ୍ପର୍କ ନଥାଏ । ଏପରିକି ଏଥି ସହ କୌଣସି ସାଂସ୍କୃତିକ ସମ୍ପର୍କ ବି ନଥାଏ । ଏହାର ବିପରିତ ଯଦି ଚୈତ୍ର ଶୁକ୍ଳପକ୍ଷ ପ୍ରତିପଦାକୁ ଦେଖିବା ତେବେ ଦେଖାଯିବ ଯେ କେମିତି ସୃଷ୍ଟି ନିଜକୁ ନୂଆ ଋପରେ ସଜାଇଛି । ଏହି କାଳଖଣ୍ଡ କେବଳ ଏକ ତିଥିର ଆଗମନ ନୁହେଁ ବରଂ ପ୍ରକୃତିର ପୁନର୍ଜନ୍ମ ଅଟେ ।
ଚୈତ୍ର ମାସରେ ପୃଥିବୀର ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରାଯାଇ ପାରିବ ନାହିଁ । ଗଛରେ ନୂଆ ପତ୍ର କଅଁଳିଥାଏ, ବିଗିଚାରେ ଆମ୍ବର ବାସ୍ନା ଭରିରହିଥାଏ ଏବଂ କ୍ଷେତର ରବି ଫସଲ କୃଷକଙ୍କ ସଫଳତାର କଥା କହିଥାଏ । ଏହା ହିଁ ତ ପ୍ରକୃତ ନବବର୍ଷ ଯେଉଁଠି ଜୀବନର ସଞ୍ଚାର ଥାଏ, ସମସ୍ତ ଜୀବ ଜନ୍ତୁ ଏବଂ ବନସ୍ପତିରେ ନୂଆ ଚେତନା ଜାଗୃତ ହୋଇଥାଏ । ଭାରତୀୟ ସଂସ୍କୃତିରେ ନବବର୍ଷର ଅର୍ଥ ନୂଆ ଜୀବନ ଏବଂ ନୂଆ ଆଶା ଯାହା ପ୍ରତ୍ୟକ୍ଷ ଭାବେ ଆମର ପରିବେଷରେ ଦେଖିବାକୁ ମିଳିଥାଏ । କ୍ଷେତରୁ ଅନ୍ନ (ଖାଦ୍ୟଶସ୍ୟ) ଆସିଲେ ତାହା କେବଳ କୃଷକଙ୍କ ସମୃଦ୍ଧି ନୁହେଁ ବରଂ ରାଷ୍ଟ୍ରର ଖାଦ୍ୟ ସୁରକ୍ଷା ଏବଂ ଉଲ୍ଲାସର ପ୍ରତୀକ ପାଲଟିଯାଏ । ଏଣୁ ଭାରତୀୟ ନବବର୍ଷର ଗଭୀର ସମ୍ପର୍କ ସେଇ ମାଟି ସହ ରହିଛି ଯିଏ ଆମକୁ ଜୀବନ ଦେଇଥାଏ । ୩୧ ଡିସେମ୍ବର ରାତ୍ରୀରେ ହେଉଥିବା ଉତ୍ସବ ପାଳନ ସେଇ ଶାନ୍ତିପୂର୍ଣ୍ଣ ଏବଂ ଜୀବନ୍ତ ପରିବର୍ତ୍ତନର ସମକକ୍ଷ ହୋଇପାରିବ ନାହିଁ ଯାହା ଚୈତ୍ରର ପ୍ରଥମ କିରଣ ସହ ବ୍ରହ୍ମାଣ୍ଡରେ ଘଟିଥାଏ । ସାମାଜିକ ଏବଂ ବ୍ୟବହାରିକ ଦୃଷ୍ଟିରେ ଦେଖିଲେ ଭାରତର ବାସ୍ତବିକ୍ ଜୀବନ ଚକ୍ର ମାର୍ଚ୍ଚ- ଏପ୍ରିଲର ଚାରିପଟେ ଘୁରି ବୁଲିଥାଏ । ଆମର ବିଦ୍ୟାଳୟ ମାନଙ୍କରେ ନୂଆ ଶିକ୍ଷାବର୍ଷ ଏହି ସମୟରେ ଆରମ୍ଭ ହୋଇଥାଏ । ଦେଶର ଆର୍ôଥକ ବର୍ଷ ମଧ୍ୟ ଏହି ସମୟରେ ଶେଷ ହୋଇ ନୂଆ ଆର୍ôଥକ ବର୍ଷର ପ୍ରାରମ୍ଭ ହୋଇଥାଏ । ବ୍ୟାଙ୍କଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟ ସବୁଠି ଆର୍ôଥକ ଏବଂ ଯୋଜନାରତ ସ୍ତରରେ ଆମେ ମାର୍ଚ୍ଚ ଶେଷ ଓ ଅପ୍ରେଲ ପ୍ରାରମ୍ଭକୁ ବିନ୍ଦୁ ଭାବେ ଗ୍ରହଣ କରିଥାଏ । ଏଥିରୁ ସ୍ପଷ୍ଟ ଯେ ଆମେ ଜାନୁୟାରୀ ୧କୁ ଗ୍ରହଣ କଲେ ମଧ୍ୟ ଆମର ସାମାଜିକ ଏବଂ ଆର୍ôଥକ ବ୍ୟବସ୍ଥା ଆଜି ମଧ୍ୟ ପ୍ରାଚୀନ କାଳଚକ୍ର ସହ ଜଡ଼ିତ । ଏହି କାଳଖଣ୍ଡରେ ଯେଉଁ ନବୀନତା ଥାଏ ତାହା କେବଳ କାଗଜ କଲମରେ ସୀମିତ ନୁହେଁ ବରଂ ବ୍ୟକ୍ତିର ଦୈନିକ ଜୀବନ ଏବଂ ଭବିଷ୍ୟତର ଯୋଜନାକୁ ଏହି କାଳଖଣ୍ଡ ପ୍ରଭାବିତ କରିଥାଏ ।
ଭାରତୀୟ ନବବର୍ଷ କେବଳ ଏକ ଖଗୋଳୀୟ ଘଟଣା ନୁହେଁ ବରଂ ଆଧ୍ୟାତ୍ମିକ ଏବଂ ସାଧନାର ପର୍ବ ଅଟେ । ପୁରାଣ ଅନୁସାରେ ଚୈତ୍ରମାସ ଶୁକ୍ଳପକ୍ଷ ପ୍ରତିପଦା ଦିନ ବ୍ରହ୍ମା ସୃଷ୍ଟିର ରଚନା ଆରମ୍ଭ କରିଥିଲେ ଏବଂ ଏହିଦିନ ମହାରାଜା ବିକ୍ରମାଦିତ୍ୟ ବିକ୍ରମ ସମ୍ବତ୍ସର ପ୍ରାରମ୍ଭ କରି ଭାରତର ଏକ ନୂଆ ଐତିହାସିକ ପରିଚୟ ସୃଷ୍ଟି କରିଥିଲେ । ଏହି ସମ୍ବତ୍ସର ଆମର ବିଜୟ, ଆମର ସ୍ୱାଭିମାନ ଏବଂ ଆମ ବୈଜ୍ଞାନିକ ଜ୍ଞାନର ପ୍ରତୀକ ଅଟେ । ଏହାର ବିପରୀତ ୩୧ ଡିସେମ୍ବର ମଧ୍ୟରାତ୍ରୀର ଯେଉଁ ଦୃଶ୍ୟ ଆମ ନଜରକୁ ଆସେ ତାହା ଚିନ୍ତାଜନକ । ଆଧୁନିକତା ନାମରେ ମଦ୍ୟପାନ ଏବଂ ଅନିୟନ୍ତ୍ରିତ ହୋ ହାଲ୍ଲା ଉତ୍ସବକୁ ବିକୃତ କରିଦେଇଥାଏ । ଆତ୍ମାକୁ ପରିସ୍କୃତ କରି ଯିଏ ସମାଜରେ ସୌହାର୍ଦ୍ଦ୍ୟ ଏବଂ ମର୍ଯ୍ୟାଦାର ସ୍ଥାପନ କରେ ତାକୁ ଉତ୍ସବ କୁହାଯାଏ । ପାଶ୍ଚାତ୍ୟ ସଭ୍ୟତାର ଅନୁକରଣ ଆମକୁ କେବଳ କ୍ଷଣିକ ଇନ୍ଦ୍ରୀୟ ତୃପ୍ତି ଦେଇପାରେ । ଐତିହାସିକ ଓ ବୈଜ୍ଞାନିକ ସ୍ତରରେ ଭାରତୀୟ ପଞ୍ଚାଙ୍ଗ ଶ୍ରେଷ୍ଠ ଅଟେ । ଗ୍ରେଗୋରିୟନ କ୍ୟାଲେଣ୍ଡରରେ ଅନେକ ସମୟରେ ସଂଶୋଧନରେ ଆବଶ୍ୟକତା ପଡିଥାଏ କିନ୍ତୁ ଭାରତୀୟ ଗଣନାରେ ସୂର୍ଯ୍ୟ, ଚନ୍ଦ୍ର ଏବଂ ନକ୍ଷତ୍ରଙ୍କ ସ୍ଥିତି ଏତେ ସଠିକ ରହିଛି ଯେ ଚନ୍ଦ୍ରଗ୍ରହଣ ସୂର୍ଯ୍ୟପରାଗ ବାବଦରେ ସଠିକ୍ ସୂଚନା ମିଳିପାରୁଛି । ଏହି ସମୟରେ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି ଏବଂ ତାଙ୍କ ଶକ୍ତି (ଉତ୍ତାପ) ଉଚ୍ଚତ୍ତମ ସ୍ତର ପର୍ଯ୍ୟନ୍ତ ବଢ଼ିଯାଇଥାଏ ଯାହା ମାନବୀୟ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟୁ ହେବା ପାଇଁ ଶୁଭ ବୋଲି କୁହାଯାଏ । ବିଜ୍ଞାନ ସମ୍ମତ ହେବାର ଅର୍ଥ ହେଉଛି ଏହା ପ୍ରକୃତିର ନିୟମର ଅନୁକୂଳ ହେବା ଉଚିତ । ଏହା କୌଣସି ଧର୍ମ ବା ସଂପ୍ରଦାୟର ବିଷୟ ନୁହେଁ ବରଂଚ ଏକ ସାର୍ବଭୌମିକ ଖଗୋଳୀୟ ସତ୍ୟଅଟେ ଯାହା ଆମ ଋଷିମୁନିମାନେ କରିଯାଇଛନ୍ତି ।
ଏବେ ସବୁଠୁ ବଡ଼ ସମସ୍ୟା ହେଉଛି ଆମ ମାନସିକତା । ଆମେ ଏବେ ଆମ ପରମ୍ପରାରୁ ଦୁରେଇ ଯାଉଛେ ଓ ପାଶ୍ଚାତ୍ୟ ରୀତି-ନୀତିକୁ ଆପଣେଇବାରେ ଲାଗିଛେ । ଜାନୁୟାରୀ ୧କୁ ନୂଆବର୍ଷ ଭାବେ ପାଳନକରି ଆମେ ଏକ ପ୍ରକାର ସାଂସ୍କୃତିକ ଦାସତାକୁ ଗ୍ରହଣ କରିନେଉଛି । ଆଧୁନୀକ ହେବାର ଅର୍ଥନୁହେଁ ନିଜର ମୂଳକଥାକୁ ଭୁଲିଯିବା ବରଂ ନିଜର ପରମ୍ପରାର ବୈଜ୍ଞାନିକ ଏବଂ ତାର୍କିକ ଆଧାରକୁ ବୁଝିତାକୁ ଗର୍ବର ସହ ପାଳନ କରିବା ହିଁ ଆଧୁନିକତା । ପ୍ରଶାସନିକ କାର୍ଯ୍ୟପାଇଁ ବୈଶ୍ୱିକ ମାନକକୁ ଗ୍ରହଣ କରାଯାଇପାରେ କିନ୍ତୁ ନିଜର ସାସ୍କୃତିକ ପରିଚୟକୁ ଭୁଲିଯିବା ଉଚିତ୍ ନୁହେଁ । ଆମେ ବୁଝିବା ଉଚିତ୍ ଯେ କ୍ୟାଲେଣ୍ଡର କେବଳ ତାରିଖ ବଦଳାଏ ନାହିଁ ବରଂ ଆମର ମାନସିକତା ଏବଂ ବ୍ୟବହାରକୁ ଦିଗ୍ଦର୍ଶନ ଦେଇଥାଏ । ଯଦି ଆମେ ଆମ ସଂସ୍କୃତିର ଅନୁରୂପ ନବବର୍ଷ ପାଳିବା ତେବେ ତାହା ଆମର ମାଟି, ଆମ ପୂର୍ବଜ ଏବଂ ଆମ ପ୍ରକୃତି ପ୍ରତି କୃତଜ୍ଞତା ପ୍ରଦର୍ଶିତ କରିବ । ନିଷ୍କର୍ଷ ହେଉଛି ସମୟର ଧାରାରେ ସେଇ ରାଷ୍ଟ୍ର ଜୀବିତ ଏବଂ ଶସକ୍ତ ରହେ ଯିଏ ନିଜର ମୂଳଦୁଆ ସହ ଯୋଡି ହୋଇ ରହିଥାଏ । ଭାରତୀୟ ନବବର୍ଷ ନୂଆ ହେବା ସହ ପୁନର୍ନବ ହେବାର ସନ୍ଦେଶ ଦେଇଥାଏ । ଏହାର ଅର୍ଥ ହେଉଛି ପ୍ରତ୍ୟେକ ବର୍ଷ ନିଜକୁ ପୁନଃ ନୂଆ କରିଥାଏ, ନିଜର ବିଚାରକୁ ଶୁଦ୍ଧ କରିଥାଏ ଏବଂ ପ୍ରକୃତି ସହ ତାଳମିଳାଇ ଚାଲିବାର ସନ୍ଦେଶ ଦେଇଥାଏ । ଏହା କେବଳ ଗୋଟିଏ ଦିନର ଉତ୍ସବ ନୁହେଁ ବରଂ ଏକ ସଂକଳ୍ପ ଅଟେ । ଆମେ ସେଇ ନବବର୍ଷକୁ ସ୍ୱାଗତ କରିବା ଉଚିତ୍ ଯିଏ ଆମକୁ ସଂସ୍କାର ଦେଇଥାଏ, ଯିଏ ଆମକୁ ବିଜ୍ଞାନ ସହ ଯୋଡିଥାଏ ଏବଂ ଆମ ମହାନ୍ ଭାରତୀୟ ପରମ୍ପରାର ଗୌରବର ଗାଥା ବଖାଣିଥାଏ । ସଂସ୍କୃତି ପ୍ରତି ସ୍ୱାଭିମାନ ହିଁ ଆମ ରାଷ୍ଟ୍ରର ଭବିଷ୍ୟତକୁ ଉଜ୍ଜ୍ୱଳ ଏବଂ ଯଶସ୍ୱୀ କରାଇ ପାରିବ ।
ରାମଚନ୍ଦ୍ରପୁର, ରଣପୁର
ମୋ:୯୪୩୮୪୮୫୦୯୪
Samir Kumar Rout