ବିଦ୍ୟା ଅଟଇ ମହାବଳ
"ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ । ବିଦ୍ୟା ଅଟଇ ମହାରତ୍ନ, ହୃଦୟେ ଘେନ କରି ଯତ୍ନ । ବିଦ୍ୟା ଅଟଇ ମହାମିତ୍ର, ସେ ସଙ୍ଗେ ହୁଅ ହେ ପବିତ୍ର । ବିଦ୍ୟା ଅଟଇ ମହାବଳ, ସେ ବଳେ ଜିଣ ଭୂମଣ୍ଡଳ' - ଭକ୍ତ କବି ମଧୁସୂଦନଙ୍କ ଏହି ବିଲକ୍ଷଣ ଧାଡ଼ି ଜୀବନରେ ବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ସମ୍ପର୍କରେ ଆମ ମାନଙ୍କୁ ଆଲୋକ ବର୍ତ୍ତିକା ବାର୍ତ୍ତା ପ୍ରଦାନ କରୁଛି । ମନୁଷ୍ୟ ଶରୀରରେ ଆଖି, କାନ, ପାଟି ଆଦି ସବୁ ଅଙ୍ଗଗୁଡ଼ିକ ପରସ୍ପର ସହିତ ଅଭିନ୍ନ ଭାବରେ ସମ୍ପୃକ୍ତ । ଏହି ଅଙ୍ଗଗୁଡ଼ିକ ଯେପରି ମନୁଷ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ସେହିପରି ସାମାଜିକ ପ୍ରକ୍ରିୟାର ଏକ ଅଙ୍ଗ ଭାବରେ ମନୁଷ୍ୟ ମଧ୍ୟ ସମାଜ ପାଇଁ ଗୁରୁତ୍ୱ ପୂର୍ଣ୍ଣ । ମନୁଷ୍ୟ ମାନବଜାତିର ଏକ ଅଂଶ । ପ୍ରକୃତି ଈଶ୍ୱରଙ୍କର ଏକ ଅଂଶ । ଏହି ପାରସ୍ପରିକ ସମ୍ପର୍କକୁ ମନୁଷ୍ୟ ଜାଣିପାରି ନାହିଁ ।
ଆମ୍ଭେମାନେ ପ୍ରକୃତରେ ଜଣେ ଜଣେ ମଞ୍ଚ ନିଦେ୍ର୍ଦଶକଙ୍କ ପରି ଜୀବନ ନିର୍ବାହ କରୁଛେ । ମନୁଷ୍ୟ ନିଜ ଅଧିକାର ପାଇଁ ସଂଗ୍ରାମ କରୁଛି ନିଜର ଦାୟିତ୍ୱକୁ ଭୁଲିଯାଇ । ଗଭୀର ଭାବରେ ଅନୁସନ୍ଧାନ କଲେ ଜଣାଯିବ ଯେ ଏ ସଂସାରରେ ମନୁଷ୍ୟର କୌଣସି ଅଧିକାର ନାହିଁ । ତାର କେବଳ କର୍ତ୍ତବ୍ୟ ଅଛି, ଅଧିକାର ନୁହେଁ । ନିଜର କର୍ତ୍ତବ୍ୟ ସମ୍ପାଦନ ନ କରି ଅଧିକାର ପାଇଁ ଲଢ଼ିବା ନିର୍ବୋଧତା । "ସଂସାରରେ ସବୁ ପ୍ରକାର ଦ୍ୱନ୍ଦ୍ୱ ଓ ବିଶୃଙ୍ଖଳାର କାରଣ ହେଉଛି ମନୁଷ୍ୟ ନିଜର କର୍ତ୍ତବ୍ୟକୁ ଭୁଲିଯିବା । ଆମ୍ଭେମାନେ ନିଜର କର୍ତ୍ତବ୍ୟର ସୁ ସମ୍ପାଦନ କଲେ ଜଗତ ଶାନ୍ତ ଓ ସମୃଦ୍ଧ ହେବ । ତାର ଏକମାତ୍ର ଅଧିକାର ହେଉଛି ନିଜର କର୍ତ୍ତବ୍ୟ ସମ୍ପାଦନ କରିବା । ତାର ଆଉ ଅନ୍ୟ କୌଣସି ଅଧିକାର ନାହିଁ । ପିତାମାତାମାନେ ନିଜର କର୍ତ୍ତବ୍ୟ ସମ୍ପାଦନ କଲେ ପିଲମାନେ ମଧ୍ୟ ନିଜର ଦାୟିତ୍ୱ ହୃଦୟଙ୍ଗମ କରିବେ । ପିଲାମାନେ ନିଜର ପିତାମାତାଙ୍କ ପ୍ରତି କର୍ତ୍ତବ୍ୟ ସମ୍ପାଦନ କଲେ ପିତାମାତାମାନେ ସମ୍ମାନିତ ହେବେ । ସେହିପରି ଶିକ୍ଷକମାନେ ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନ କଲେ ଛାତ୍ରମାନେ ଠିକ ଭାବରେ ଆଚରଣ କରିବେ । ଛାତ୍ରଛାତ୍ରୀମାନେ ସେମାନଙ୍କର କର୍ତ୍ତବ୍ୟ ଠିକ୍ ଭାପବରେ ସମ୍ପାଦନ କଲେ, କର୍ମକର୍ତ୍ତାମାନେ ସମ୍ମାନ ଲାଭ କରିବେ ।'
ଆଜିର ସମୟକୁ ଦେଖିଲେ, ଆମ୍ଭେମାନେ ବାସ୍ତବରେ ଆମ ଦାୟିତ୍ୱ ସବୁକୁ ନିର୍ବାହ କରିବାରେ ଏକ ପ୍ରକାର ଭୁଲି ଯାଇଛୁ । ଜଗତ ପରସ୍ପର ସହିତ ସମ୍ପୃକ୍ତ ଅଂଶଗୁଡ଼ିକର ଏକ ଅଖଣ୍ଡ ଏକକ ଅଟେ । ପ୍ରତ୍ୟେକ ନିଜର କର୍ତ୍ତବ୍ୟ କଲେ ସମସ୍ତଙ୍କୁ ଳାଭ ମିଳିବ । ମଣିଷ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯୋଗ୍ୟ, ତାହାର ଫଳ ପାଇଁ ନୁହେଁ । ଶିକ୍ଷା କ୍ଷେତ୍ରକୁ ଦେଖିଲେ ସେଠାରେ ମଧ୍ୟ ମୂଲ୍ୟବୋଧର ଅବକ୍ଷୟ । ଆଜି ଶିକ୍ଷା ଜଗତ ବହୁବିଧ ସମସ୍ୟାରେ ପରିପୂର୍ଣ୍ଣ । ଯାହା ସମ୍ପୃକ୍ତ କତ୍ତର୍୍ୃପକ୍ଷଙ୍କୁ ବିଚଳିତ କରୁଛି । ଶିକ୍ଷା ପଦ୍ଧତି ସମାଜରେ ମାନବୀୟ ମୂଲ୍ୟବୋଧର ବିଧ୍ୱଂସରେ ସହାୟକ ହେଉଛି । ଦେଶର ସର୍ବବିଧି କଲ୍ୟାଣର ଅଭିବୃଦ୍ଧି ଦିଗରେ ଶିକ୍ଷାନୁଷ୍ଠାନଗୁଡ଼ିକ ନେତୃତ୍ୱ ନେବା କଥା, କିନ୍ତୁ ସେଗୁଡ଼ିକ ଦେଶକୁ ପଥଭ୍ରଷ୍ଟ କରୁଛନ୍ତି । ତ୍ୟାଗ, ଚରିତ୍ରବତ୍ତା, ସାଧୁତା ଓ ନୈତିକତା ଆଦି ମାନବୀୟ ମୂଲ୍ୟବୋଧଗୁଡ଼ିକ ପ୍ରାୟ ଉଭେଇ ଗଲେଣି । ନୂତନ ସମାଜ ତିଆରି ପାଇଁ ଏବଂ ଏହାର ଆଦର୍ଶଗତ ପ୍ରଗତି ପାଇଁ ଅନେକ ଉଦ୍ୟମ, କଳ୍ପନା ଜଳ୍ପନା ଦେଖିବାକୁ ମିଳୁଛି କିନ୍ତୁ ଏସବୁ ବୃଥା ପରିଣତ ହେଉଛି । କେବଳ ଉତ୍ତମ ଲୋକ ଚରିତ୍ର ହିଁ ଉତ୍ତମ ରାଷ୍ଟ୍ର ପରିଚାଳନାରେ ସହାୟକ ହୋଇଥାଏ । ମହତ୍ ମନ ଓ ହୃଦୟସମ୍ପନ୍ନ ଲୋକମାନେ ରହିଲେ ରାଷ୍ଟ୍ର ପ୍ରଗତିଶୀଳ ହେବ । ନୈତିକ ମୂଳଦୁଆରେ ପ୍ରତିଷ୍ଠିତ ସମାଜ ହିଁ ଏପରି ମହତ୍ ଲୋକମାନଙ୍କର ପୁଷ୍ଟି କରିପାରିବ । ନୈତିକତା ଓ ଚରିତ୍ରବତ୍ତା ଆଧ୍ୟାତ୍ମିକ ଚେତନା ଉପରେ ଆଧାରିତ । ଆଧ୍ୟାତ୍ମିକ ଶକ୍ତି ବିଶ୍ୱଶାନ୍ତି, ମାନବୀୟ ପ୍ରଗତି ଓ ସମୃଦ୍ଧିର ଉଚ୍ଚତର ଭବିଷ୍ୟତ ପାଇଁ ମାର୍ଗ ପ୍ରଶସ୍ତ କରିଥାଏ ।
ରାଷ୍ଟ୍ରର କଲ୍ୟାଣ ନିମନ୍ତେ ଶିକ୍ଷାର ପ୍ରୟୋଗ ହେବା ଉଚିତ । ଶିକ୍ଷା ମାଧ୍ୟମରେ ଉପଲବ୍ଧ ଜ୍ଞାନ ସମାଜର କଲ୍ୟାଣ ନିମନ୍ତେ ନିଃସ୍ୱାର୍ଥପର ଭାବରେ ବିନିଯୋଗ କରାଯିବା ଉଚିତ । ଛାତ୍ରମାନଙ୍କ ମଧ୍ୟରେ ଏହିପରି ମନୋଭାବ ବିକଶିତ କରିବାକୁ ହେଲେ ସେମାନେ ଉତ୍ତମ ଗୁଣାବଳୀର ଅନୁଶୀଳନ କରିବା ଉଚିତ । କେବଳ ଉତ୍ତମ ଚରିତ୍ରସମ୍ପନ୍ନ ଛାତ୍ରର ମାତୃଭୂମି ପ୍ରତି ପ୍ରେମ ଓ ସମାଜକଲ୍ୟାଣ ପାଇଁ ଚିନ୍ତା ରହିବ । ଶିକ୍ଷା ଆତ୍ମ କଲ୍ୟାଣ ବା ନିଜର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ନୁହଁ ଏହା ବିଶ୍ୱକଲ୍ୟାଣ ପାଇଁ ଉତ୍ସର୍ଗିତ ହେବା ଉଚିତ । ଛାତ୍ରଠାରେ ଉତ୍ତମ ଗୁଣାବଳୀ ରହିଲେ ହିଁ ସେ ଜାତୀୟ ନିରାପତ୍ତା, ସମୃଦ୍ଧି ଓ କଲ୍ୟାଣ ଏବଂ ରାଷ୍ଟ୍ରର ଉନ୍ନତି ଓ ମାନବଜାତି ପ୍ରତି ପ୍ରେମ ପାଇଁ କାମ କରିପାରିବେ । ଆମ୍ଭେମାନେ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି ପ୍ରତ୍ୟେକ ବିଶ୍ୱାସ କରିବା ଉଚିତ ।
"ହସ୍ତସ୍ୟ ଭୂଷଣଂ ଦାନଂ ସତ୍ୟ କଣ୍ଠସ୍ୟ ଭୂଷଣମ୍ । ଶ୍ରୋତ୍ରସ୍ୟ ଭୂଷଣଂ ଶାସ୍ତ୍ରଂ ଭୂଷଣୈଃ କିଂ ପ୍ରୟୋଜନମ୍ ।' କେବଳ ବିଦ୍ୟାରେ କୌଣସି ଫଳ ନାହିଁ । ତ୍ରେତୟା ଯୁଗର କଥା ସମ୍ୟକ ଆଲୋଚନା ରଖିବା । ରାବଣ ମର୍ଯ୍ୟାଦାପୁରୁଷୋତ୍ତମ ଶ୍ରୀରାମଙ୍କ ପରି ବହୁ ବିଦ୍ୟା ଅଧ୍ୟୟନ କରିଥିଲେ । ଶିକ୍ଷା ଦୃଷ୍ଟିରୁ ଦୁହେଁ ସମାନ ଥିଲେ । କିନ୍ତୁ ବାଲ୍ମିକୀ ରାବଣକୁ ମୂର୍ଖ ବୋଲି ବର୍ଣ୍ଣନା କରିଛନ୍ତି । ରାମଙ୍କୁ ପୂର୍ଣ୍ଣମାନବ ରୂପେ ବର୍ଣ୍ଣନା କରାଯାଇଛି । ଦୁହିଁଙ୍କ ମଧ୍ୟରେ ଏହି ପାର୍ଥକ୍ୟ ରହିଲା କେଉଁଠି ? ରାମ ନିଜର ଉପଲବ୍ଧ ସମସ୍ତ ଜ୍ଞାନକୁ ମହତ୍ ଉଦେ୍ଦଶ୍ୟରେ ଏବଂ ସମସ୍ତଙ୍କ କଲ୍ୟାଣ ପାଇଁ ବିନିଯୋଗ କରୁଥିଲେ । ତାଙ୍କର ଇନ୍ଦ୍ରିୟମାନଙ୍କ ଉପରେ ପ୍ରଭୁତ୍ୱ ଥିଲା । ସେ ତାଙ୍କର ଶାସକତ୍ୱ ତ୍ୟାଗ କରିଥିଲେ । ସେ ସତ୍ୟ ପାଇଁ ଶପଥ କରିଥିଲେ । ନିଜର ଜ୍ଞାନକୁ ସତ୍ୟ ପାଇଁ ମାନବଜାତି ଆଗରେ ଏକ ଆଦର୍ଶ ଜୀବନର ଦୃଷ୍ଟାନ୍ତ ରଖିଯିବା ପାଇଁ ଉତ୍ସର୍ଗ କରି ସେ ଦେଶର କଲ୍ୟାଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ରାମ ନିଜର ତ୍ୟାଗ, ସତ୍ୟାନୁଶୀଳନ ଓ ନିଷ୍କଳଙ୍କ ଚରିତ୍ର ଦ୍ୱାରା ମାନବୀୟ ପରିପୂର୍ଣ୍ଣତାର ଆଦର୍ଶ ଥିଲେ । ଅପର ପକ୍ଷରେ ରାବଣ ନିଜର ସମସ୍ତ ଜ୍ଞାନ ଐନ୍ଦି୍ରୟ ସୁଖଭୋଗରେ ବିନିଯୋଗ କରିଥିଲେ । ସେ ନିଜ ଇନ୍ଦ୍ରିୟମାନଙ୍କର ଦାସ ହୋଇ ପଡ଼ିଥିଲେ ଏବଂ ନିଜର ତଥା ନିଜ ଦେଶର ଧ୍ୱଂସକୁ ଡାକି ଆଣିଥିଲେ । ଭଗବାନ ଶ୍ରୀ ସତ୍ୟସାଇ ତାଙ୍କ ଦିବ୍ୟ ସମ୍ଭାଷଣରେ ଉଲ୍ଲେଖ କରିଛନ୍ତି - "ଜଣେ ଯେତେ ଜ୍ଞାନ ଆହରଣ କଲେ ବି ତାହା ସମସ୍ତଙ୍କ ହିତ ପାଇଁ ପ୍ରୟୋଗ କରିବା ଉଚିତ । ତାହେଲେ ହିଁ ସେ ଜ୍ଞାନ-ସମ୍ପନ୍ନ ହୋଇ ପାରିବ । ଏପରି ଜ୍ଞାନୀଜନ ସମସ୍ତ ସଦଗୁଣରେ ଅଳଙ୍କୃତ ହେବା ଉଚିତ ।' ଆଜି ଛାତ୍ରମାନେ ଯାହା ସବୁ ଶିଖୁଛନ୍ତି ତାହା ଭାରତୀୟ ଶିକ୍ଷାପଦ୍ଧତି ସହିତ ଅସମ୍ପୃକ୍ତ । ଯେଉଁ ଶିକ୍ଷାପଦ୍ଧତି ମନକୁ ଭୃତ୍ୟଭାବାପନ୍ନ ପରି ପକାଏ ଏବଂ ଚାକିରି ଖୋଜିବାର ମନୋବୃତ୍ତି ସୃଷ୍ଟି କରେ, ତାହାର ଭାରତୀୟ ଶିକ୍ଷା ସହିତ କୌଣସି ସମ୍ପର୍କ ନାହିଁ । ଭକ୍ତ କବି ମଧୁସୂଦନଙ୍କ ସେହି କାଳଜୟୀ ଧାଡ଼ିଟି ଉଦ୍ଧୃୃତ କରୁଛି - "ନୁହେଁ ବୃଦ୍ଧ ସେହିଜନ, ଶୁକ୍ଲକେଷ ଅଟେ ଜାର ଶିର । ଯୌବନେ ଯେ ଜ୍ଞାନେରତ, ଦେବେ ତାକୁ ବୋଲନ୍ତି ସ୍ତବିର ।'