ଅଦିନିଆ ବର୍ଷା ଏକ ବିପର୍ଯ୍ୟୟ

ବିଭିନ୍ନ ସମୟରେ ରାଜ୍ୟରେ ଅଦିନିଆ ବର୍ଷାରେ ଚାଷୀମାନଙ୍କର ଘୋର କ୍ଷତି ଘଟୁଥିବା ବେଳେ ସାଧାରଣ ଲୋକଙ୍କର ମଧ୍ୟ ଘରଦ୍ୱାର ନଷ୍ଟ ହୋଇ ଲୋକେ ମୃତୁ୍ୟବରଣ କରିବା ପର୍ଯ୍ୟନ୍ତ ଘଟଣା ଘଟୁଛି । ଏହିସବୁ ଦୁର୍ଘଟଣା ଗୁଡ଼ିକୁ ରାଜ୍ୟ ସରକାର ବର୍ତ୍ତମାନ ବିପର୍ଯ୍ୟୟର ମାନ୍ୟତା ଦେଇଛନ୍ତି । ଅସମୟର ବର୍ଷାରେ କୌଣସି ପ୍ରକାରର କ୍ଷୟକ୍ଷତି ହେଲେ ତାହା ଏକ ବିପର୍ଯ୍ୟୟ ଭାବରେ ପରିଗଣିତ ହେବ । ପୂର୍ବରୁ ରାଜ୍ୟ ସରକାର ବଜ୍ରପାତ, ଗ୍ରୀଷ୍ମପ୍ରବାହ, ଘୂର୍ଣ୍ଣିଝଡ଼, ଟର୍ଣ୍ଣାଡ଼ୋ, ଅତି ପ୍ରବଳ ବର୍ଷା ଏବଂ ବନ୍ୟା ନଥିବା ସମୟରେ ନୌକା ଦୁର୍ଘଟଣା, ପାଣିରେ ବୁଡ଼ି ମୃତୁ୍ୟ ହେବା ଘଟଣା ଗୁଡ଼ିକୁ ବିପର୍ଯ୍ୟୟର ତାଲିକାଭୁକ୍ତ କରିଥିଲେ । ପରେ ସର୍ପାଘାତଜନିତ ମୃତୁ୍ୟକୁ ମଧ୍ୟ ବିପର୍ଯ୍ୟୟ ତାଲିକାଭୁକ୍ତ କରାଗଲା । ବର୍ତ୍ତମାନ ଅଦିନିଆ ବର୍ଷା ବିପର୍ଯ୍ୟୟ ଭାବରେ ଘୋଷିତ ହେବା ପରେ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ବିପର୍ଯ୍ୟୟ ତାଲିକା ୯ରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ବ୍ୟତୀତ କେନ୍ଦ୍ର ସରକାରଙ୍କ ମଧ୍ୟ ୧୨ଟିକିଆ ବିପର୍ଯ୍ୟୟ ତାଲିକା ଅଛି । ପୂର୍ବରୁ ଅନେକବାର ଅଦିନିଆ ବର୍ଷାରେ ଚାଷୀମାନଙ୍କର ଫସଲ ଅତିମାତ୍ରାରେ ନଷ୍ଟ ହୋଇଛି । ଚାଷୀମାନେ ସରକାରଙ୍କର ସହାୟତା ପାଇବା ପାଇଁ ବାରମ୍ବାର ପଞ୍ଚାୟତ ଏବଂ ବ୍ଲକ୍ସ୍ତରରେ ଅଭିଯୋଗ ସବୁ ସରକାରଙ୍କ ନିକଟରେ କରିଛନ୍ତି । ଗତ ୨୦୨୪ ଡ଼ିସେମ୍ବର ମାସରେ ଅଦିନିଆ ବର୍ଷା ଯୋଗୁଁ ରାଜ୍ୟର ୨୨ ହଜାର ୭୯୧ ହେକ୍ଟର୍ ଜମିରେ ଫସଲ ନଷ୍ଟ ହୋଇଥିଲା । ଏଥିରେ ୬.୬୬ ଲକ୍ଷ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଏହାକୁ ସ୍ୱତନ୍ତ୍ର ଭାବରେ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା କରିଥିଲେ । କ୍ଷତିଗ୍ରସ୍ତ ଚାଷୀମାନଙ୍କ ପାଇଁ ୨୯୧ କୋଟି ଟଙ୍କାର ସହାୟତା କୃଷି ଇନ୍ପୁଟ୍ ରିହାତି ବାବଦରେ ପ୍ରଦାନ କରିଥିଲେ । ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ଏଣିକି କୃଷକମାନଙ୍କୁ ଅଦିନିଆ ବର୍ଷାରେ କ୍ଷତି ହୋଇଥିବା ଫସଲ ବାବଦରେ ସହାୟତା ପ୍ରଦାନ କରାଯାଇପାରିବ । 
ତେବେ ଚାଷୀମାନଙ୍କୁ ବିପର୍ଯ୍ୟୟ କିମ୍ବା ବାତ୍ୟାଜନିତ କ୍ଷତିରେ ସହାୟତା ଦେବା କ୍ଷେତ୍ରରେ ଧାର୍ଯ୍ୟ କରାଯାଉଥିବା ମାନଦଣ୍ଡକୁ ସବୁପକ୍ଷ ଗ୍ରହଣ କଲା ଭଳି ଏକ ପଦ୍ଧତିରେ କରାଯିବା ଉଚିତ୍ । ଚାଷୀମାନଙ୍କୁ କ୍ଷତିପୂରଣ ଦିଆଯିବା ସମୟରେ ସବୁବେଳେ ଗୋଟିଏ ଅଭିଯୋଗ ଆସୁଛି ଯେ ଦଳୀୟ ରାଜନୀତି ଭିତ୍ତିରେ ଚାଷୀମାନଙ୍କୁ କ୍ଷତିପୂରଣ ଦିଆଯାଉଛି । ଏ ପ୍ରକାରର ଅଭିଯୋଗ ଯେପରି ନଆସିବ ସେ ଦିଗରେ ମଧ୍ୟ ଧ୍ୟାନ ଦିଆଯିବା ଆବଶ୍ୟକ । 
କୃଷକ ହେଉଛି ସମାଜର ମେରୁଦଣ୍ଡ । ଦେଶର କୃଷି ଉତ୍ପାଦନକୁ ନେଇ ସମୃଦ୍ଧି ତଥା ଜିଡ଼ିପି ଭଳି ଅନେକ ଉପାଦାନ କାମ କରେ । ବର୍ତ୍ତମାନ ଖାଦ୍ୟାନ୍ନ ଉତ୍ପାଦନ କ୍ଷେତ୍ରରେ ଦେଶ ଆତ୍ମନିର୍ଭର ଓ ଆଉ କେତେକ କ୍ଷେତ୍ରରେ ବିଦେଶକୁ କୃଷିଜାତ ସାମଗ୍ରୀ ବିଦେଶକୁ ଭାରତ ରପ୍ତାନୀ କରୁଛି । ଏକଦା ଭାରତ ପିଏଲ୍-୪୮୦ ନିୟମରେ ଆମେରିକାରୁ ଗହମ ଆଣି ଦେଶର ଲୋକଙ୍କର କ୍ଷୁଧା ମେଣ୍ଟାଉଥିଲା । ବର୍ତ୍ତମାନ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ପରିସ୍ଥିତି ସମ୍ପୂର୍ଣ୍ଣ ଭାବରେ ବଦଳିଗଲାଣି । ଖାଦ୍ୟଶସ୍ୟ ଉତ୍ପାଦନରେ ଭାରତ ଆତ୍ମନିର୍ଭର ତଥା ବଳକା ଦେଶ ହେଲାଣି । ହେଲେ ଅସମୟରେ ବର୍ଷା ବିତ୍ପାତ କେବେକେବେ ଚାଷୀମାନଙ୍କୁ ଅତିମାତ୍ରାରେ କ୍ଷତିଗ୍ରସ୍ତ କରୁଛି । ରାଜ୍ୟ ସରକାର ଅଦିନିଆ ବର୍ଷା ବିତ୍ପାତକୁ ବିପର୍ଯ୍ୟୟ ତାଲିକାଭୁକ୍ତ କରିବା ପରେ ବର୍ତ୍ତମାନ ଚାଷୀମାନେ ଉପକୃତ ହେବେ ଏବଂ ଚାଷ ପ୍ରତି ଥିବା ସେମାନଙ୍କର ବିତୃଷ୍ଣା ଭାବ ଦୂର ହେବ । ଚାକିରି ଭଳି ଚାଷ ଏକ ନିର୍ଭରଯୋଗ୍ୟ ରୋଜଗାରର ପ୍ରତିଶ୍ରୁତି ଦେଇପାରୁନାହିଁ । ତେଣୁ ଗ୍ରାମାଞ୍ଚଳର ଶିକ୍ଷିତ ଯୁବଗୋଷ୍ଠୀ ବର୍ତ୍ତମାନ ଚାଷ ଛାଡ଼ି ଚାକିରି ପଛରେ ଗୋଡ଼ାଇଛନ୍ତି । ସରକାର ଯଦି ଏହିଭଳି କୃଷକ କଲ୍ୟାଣକର ଯୋଜନା ସବୁ କାର୍ଯ୍ୟକାରୀ କରିବେ ଚାଷୀମାନେ ଚାଷ ପ୍ରତି ଆଗ୍ରହୀ ହୋଇ ଦେଶର ସର୍ବାଙ୍ଗୀଣ ଉନ୍ନତିରେ ସହଯୋଗ କରିବେ । କେବଳ ସେତିକି ନୁହେଁ, ଏହା ସେମାନଙ୍କର ପାରିବାରିକ ଅର୍ଥନୀତିକୁ ମଧ୍ୟ ସୁଦୃଢ଼ କରିବ ।