ଟଙ୍କା ନେଣ ଦେଣକୁ ନେଇ ଦ୍ୱନ୍ଦ୍ୱ; ଥାନାରେ ମାମଲା
ପାଣିକୋଇଲି: ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ଟଙ୍କା ନେଣଦେଣକୁ ନେଇ ବିବାଦ ସୃଷ୍ଟି ପରେ କଥା ଥାନାରେ ପହଁଚିଛି । ଖବର ମତେ ପଥରପଦା ପଞ୍ଚାୟତ ଓଚିନ୍ଦା ଗ୍ରାମରେ ନିମେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀ ରହିଛି ।୨ବର୍ଷ ଏହାର ସଦସ୍ୟ ଥିବା ବାପି ଜେନାଙ୍କ ସ୍ତ୍ରୀ ଝିଲି ମଳିକଙ୍କ ଅଭିଯୋଗ ମୁତାବକ ତାଙ୍କର ପୂର୍ବ ଋଣ ପଇଠ କରିବା ପାଇଁ ସଭାପତି ପ୍ରଭାତି ମଲିକ ଓ ସମ୍ପାଦିକା ଲକ୍ଷ୍ମୀପ୍ରିୟା ରାଉତ ତାଙ୍କ ଠାରୁ ୪ହଜାର୨୭୦ଟଙ୍କା ନେଇଥିଲେ । ଋଣ ସୁଝିବା ପରେ ପୁଣି ୫ଲକ୍ଷ ଟଙ୍କା ଋଣ ଆଣିଥିଲେ । ମାତ୍ର ଝିଲିକୁ ଡାକିନଥିଲେ । ଏନେଇ ଝିଲି ପଚାରିବାରୁ ତାଙ୍କୁ ଗୋଷ୍ଠୀରୁ ବାହାର କରିଦେଇଥିବା ସଭାପତି, ସମ୍ପାଦିକା କହିଥିଲେ । ଏନେଇ ସେ ଷ୍ଟେଟ ବ୍ୟାଙ୍କରେ ମ୍ୟାନେଜର ଓ ଫିଲଡ ଅଫିସରଙ୍କୁ ପଚାରିବାରୁ ସେ ବ୍ଲକକୁ ଯିବାକୁ କହିଥିଲେ । ବ୍ଲକରେ ଯାଇ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ଏହା ହେବା ସମ୍ଭବ ନୁହେ ବେଆଇନ ଭାବେ କାହିଁକି ନାମ କଟାଯାଇଛିି କିଏ କାଟିଲା ସେ ନେଇ ଆଇନର ଆଶ୍ରୟ ନେବାକୁ ପରାମର୍ଶ ଦେଇଥିଲେ । ଅପରପକ୍ଷେ ସେହି ଗୋଷ୍ଠୀର ଆଉ ଜଣେ ସଦସ୍ୟ ପ୍ରଫୁଲ୍ଲ ମଳିକଙ୍କ ସ୍ତ୍ରୀ ବନିତା ଯେନା ମଧ୍ୟ ତାଙ୍କ ଭାଗ ଟଙ୍କା ତାଙ୍କୁ ନଦେଇ ଗାଳିଗୁଲଜ କରିଥିବାର ଅଭିଯୋଗ ସଭାପତି ଓ ସମ୍ପାଦିକାଙ୍କ ନାମରେ କରିଛନ୍ତି । ୨ଟି ଅଭିଯୋଗ ଥାନାରେ କରାଯିବା ପରେ ପୁଲିସ ଘଟଣାର ତଦନ୍ତ କରୁଛି ।