ଖାଲଖମାରେ ଭର୍ତ୍ତି ବୁଦ୍ଧଲିଙ୍ଗ-ଭଗବାନପୁର ରାସ୍ତା

ଧର୍ମଶାଳା :  ଧର୍ମଶାଳା ବ୍ଲକ୍ କୋତପୁର ପଞ୍ଚାୟତ ବୁଦ୍ଧଲିଙ୍ଗ ଛକରୁ ଭଗବାନପୁରକୁ ସଂଯୋଗ କରୁଥିବା  କଂକ୍ରିଟ୍ ରାସ୍ତା ମରାମତି ଅଭାବରୁ ଖାଲଖମାରେ ଭର୍ତ୍ତି ହୋଇଛି । ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବରୁହାଁ-ବାଲିଚନ୍ଦ୍ରପୁର ରାସ୍ତାର ଚତର ପଡ଼ିଆ ନିକଟରୁ ବାହାରିଥିବା ଏହି ରାସ୍ତା ଗୋକର୍ଣ୍ଣେଶ୍ୱର-ବନମାଳିପୁର ନଦୀବନ୍ଧ ରାସ୍ତାର ବୁଦ୍ଧଲିଙ୍ଗ ଛକ ନିକଟରେ ସଂଯୋଗ ହୋଇଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏହାକୁ ୬ବର୍ଷ ପୂର୍ବେ ଢଳେଇ କରାଯାଇଥିଲା । ୭ଶହ ମିଟର ଲମ୍ବର ଏହି ରାସ୍ତା ନିର୍ମାଣରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୫୦ଲକ୍ଷରୁ ଅଧିକ ଟଙ୍କା ବ୍ୟୟ କରାଯାଇଥିଲା । ଏଥିରେ ଏକାଧିକ କଲଭର୍ଟ ଓ କଂକ୍ରିଟ୍ ୱାଲ ନିର୍ମାଣ ହୋଇଥିଲା । ତେବେ ଏହା ଏକ ବନ୍ୟାପ୍ରବଣ ଅଞ୍ଚଳ ହୋଇଥିବାରୁ ପ୍ରତିବର୍ଷ ରାସ୍ତା ଉପରେ କେଲୁଅ ନଦୀର ବନ୍ୟାଜଳ ପ୍ରବାହିତ ହୋଇଥାଏ । ସେହିପରି ୨୦୨୦ରେ ହୋଇଥିବା ବନ୍ୟାରେ ଏହି ରାସ୍ତା ୧ସପ୍ତାହ ଧରି ବୁଡ଼ି ରହିଥିଲା । ଫଳରେ ଅନେକ ସ୍ଥାନରେ ରାସ୍ତା ଭାଙ୍ଗିରୁଜି ଯିବା ସହ ଧୋଇ ହୋଇ ଯାଇଥିଲା । ୫ବର୍ଷ ହେଲା ରାସ୍ତାରେ ଅନେକ ଖାଲଖମା ସୃଷ୍ଟି ହୋଇଥିଲେ ମଧ୍ୟ ଏହାକୁ ମରାମତି କରାଯାଉନାହିଁ । ଏସଂପର୍କରେ ସ୍ଥାନୀୟ ଅଞ୍ଚଳବାସୀ ବହୁବାର ବିଭାଗୀୟ ଅଧିକାରୀ ଓ ରାଜନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଉକ୍ତ ରାସ୍ତାର ଅବସ୍ଥା ସୁଧୁରି ପାରୁନାହିଁ । ଏହି ରାସ୍ତା ଦେଇ ପ୍ରତ୍ୟହ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ ବଜ୍ରଗିରି କଲେଜକୁ ଯାଇଥାନ୍ତି । ସେହିପରି ଲୋକମାନେ ବୁଦ୍ଧଲିଙ୍ଗ ମନ୍ଦିର ଓ ନିକଟସ୍ଥ ଛକକୁ ବହୁ କଷ୍ଟରେ ଯାତାୟାତ କରିଥାନ୍ତି । ରାସ୍ତାଟି କମ୍ ଉଚ୍ଚର ହୋଇଥିବାରୁ ପ୍ରତ୍ୟେକ ବର୍ଷ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହୋଇ ରାସ୍ତା ନଷ୍ଟ କରୁଛି । ରାସ୍ତାକୁ ଅଧିକ ଉଚ୍ଚ ଓ ମଜବୁତ କରିବା ପାଇଁ ପୂର୍ବତନ ସରପଞ୍ଚ ସନ୍ତୋଷ କୁମାର ଜେନା ଓ ଯୁବନେତା ଅମୀୟ କୁମାର ପରିଡ଼ା ସରକାରଙ୍କ ନିକଟରେ ଦାବି କରିଛନ୍ତି ।