ବ୍ରହ୍ମପୁରରେ ପୁଣି ଗୁଳିମାଡ଼

ବ୍ରହ୍ମପୁରରେ ପୁଣି ଫୁଟିଲା ଗୁଳି । ବଡ଼ବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗରରେ ଘରୁ ଡାକି ଆଣି ଯୁବକଙ୍କୁ ଗୁଳିମାଡ଼ । ଏସ୍ ରୁନା ଆଚାରୀ ନାମକ ଜଣେ ଯୁବକଙ୍କୁ ଘରୁ ଡାକି ଆଣି ଗୁଳି କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ତାଙ୍କ ବାମ କାନ୍ଧରେ ଗୁଳି ବାଜିଛି । ଦୁଇ ରାଉଣ୍ଡ ଗୁଳି ମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ ଆହତ ଯୁବକଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ବ୍ୟକ୍ତିଗତ ଶତ୍ରୁତାରୁ ଯୁବକଙ୍କୁ ଗୁଳି ମାଡ଼ କରାଯାଇଥିବା ଜଣାପଡିଛି । ବଡ଼ବଜାର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେପଟେ ପୁରୀ ଚନ୍ଦନପୁର ଥାନା ଦାଶଗୋବା ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ । ଜଣେ ୬୧ ବର୍ଷୀୟ ବ୍ୟକ୍ତିଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଛି । ହତ୍ୟାର ଶିକାର ବ୍ୟକ୍ତି ହେଲେ ନାରାୟଣ ମଲ୍ଲିକ । ତେବେ କିଏ ଏବଂ କାହିଁକି ନାରାୟଣଙ୍କୁ ପଥରରେ ଛେଚି ହତ୍ୟା କରିଛି , ସେନେଇ ସ୍ଫଷ୍ଟ ସୂଚନା ମିଳିନାହିଁ । ନାରାୟଣଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ଚନ୍ଦନପୁର ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ସନ୍ଦେହରେ ୨ଜଣଙ୍କୁ ଅଟକ ରଖିଛି । ନାରାୟଣ ପ୍ରତିଦିନ କାମକୁ ଯାଇ ବିଳମ୍ବିତ ରାତିରେ ଘରକୁ ଫେରିଥାନ୍ତି । ସୋମବାର ସକାଳେ ସେ କାମ କରିବାକୁ ଯାଇ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ । ହେଲେ ରାତି ପ୍ରାୟ ୧୨ଟା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିଲେ । ମଙ୍ଗଳବାର ସାଇଣ୍ଟିଫିକ ଟିମ ସହ ଡଗସ୍କ୍ବାର୍ଡ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।