ସାଂସଦୀୟ ଦାୟିତ୍ୱ

ଗୋପାଳ ମହାପାତ୍ର : ଏହି ଲେଖାଟିର ପ୍ରତିଟି ଶବ୍ଦ ଦେଶର ସେଇ ସବୁ ମାନନୀୟ ସାଂସଦ ମାନଙ୍କ ଉଦେଶ୍ୟରେ ଯେଉଁ ମାନଙ୍କୁ ଭୋଟର ମାନେ ସ୍ନେହ ଓ ଭଲପାଇବା ଏବଂ ସମ୍ମାନର ସହ ନିର୍ବାଚିତ କରିଛନ୍ତି । ଏମାନେ ସଂସଦ (ଲୋକସଭା) ସଦସ୍ୟ ହେବାର ଗୌରବ ଅର୍ଜନ କରିଛନ୍ତି, କିନ୍ତୁ ସେମାନେ ମନେରଖିବା ଉଚିତ୍ ଯେ ଏହି ସଂସଦ ଦେଶର ସାଧାରଣ ଲୋକଙ୍କ ପାଇଁ ପବିତ୍ର ଏବଂ ସମ୍ମାନର ସ୍ଥାନ ଅଟେ । ଯେଉଁଠି ସାଧାରଣ ଲୋକଙ୍କ ସମସ୍ୟା, ସେମାନଙ୍କ ଆକାଂକ୍ଷା ଏବଂ ସେମାନଙ୍କ ସ୍ୱର୍ାର୍ଥରକ୍ଷାର ଦାୟିତ୍ୱଥାଏ । କ’ଣ ଏହି ମହତ୍ୱପୁର୍ଣ୍ଣ ଦାୟିତ୍ୱ ମାନନୀୟ ମାନେ ପାଳନ କରୁଛନ୍ତି? ସଂସଦର ହୋ ହାଲ୍ଲାକୁ ଦେଖିଲେ ମନରେ କେମିତି ଏକ ନକାରାତ୍ମକ ଭାବ ସୃଷ୍ଟି ହୁଏ । ସଂସଦ ଚାଲି ପାରୁନାହିଁ କାହିଁକି? ସପ୍ତଦଶ ଲୋକସଭାରେ ମାତ୍ର ୧୩୫୪ ଘଣ୍ଟା ସଂସଦ ଚାଲିଛି । ଏହି ସମୟରେ ଲୋକସଭାରେ ୨୨୨ ବିଧାୟକ ଗୃହୀତ ହୋଇଛି ଓ ଏହାର ମାତ୍ର ୧୬ ପ୍ରତିଶତ ସ୍ଥାୟୀ ସମିତି ପାଖକୁ ଯାଇଛି । ପ୍ରଥମ ଲୋକସଭାରେ ପ୍ରତିବର୍ଷ ୧୩୫ ଦିନ ସଂସଦ ଚାଲିଥିଲା ।   ସପ୍ତଦଶ ଲୋକସଭାରେ ୫୫ ଦିନ ହିଁ ସଂସଦ ଚାଲିଲା ।
ସପ୍ତଦଶ ଲୋକସଭା କେତେକ କାରଣରୁ ଚର୍ଚ୍ଚାରେ ଥିଲା । ଏହି ସମୟରେ ବିରୋଧୀ ଦଳର ଅନ୍ୟତମ ନେତା ରାହୁଳ ଗାନ୍ଧୀ ଓ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ରାଙ୍କ ସମେତ ୬ଜଣ ସଂସଦଙ୍କ ସଦସ୍ୟତା କେତେକ କାରଣରୁ ରଦ୍ଦ କରି ଦିଆଯାଇଥିଲା । ପରେ ମହୁଆ ମୋଇତ୍ରାଙ୍କ ବ୍ୟତୀତ  ଅନ୍ୟମାନେ ସୁପ୍ରିମ୍ କୋର୍ଟଙ୍କ ଆଦେଶ ପରେ ଲୋକସଭାକୁ ଫେରିଥିଲେ । ଏତିକି ନୁହେଁ ରାଜ୍ୟସଭା ଓ ଲୋକସଭା ଉଭୟ ସଦନର ୧୪୬ ସଦସ୍ୟଙ୍କୁ କେତେକ କାରଣରୁ ନିଲମ୍ବିତ କରାଯାଇଥିଲା  । ଏ ପ୍ରସଙ୍ଗରେ ବିରୋଧୀଙ୍କ ଅଭିଯୋଗ ଥିଲା ଯେ ଯାହା ଉପରେ ସଂସଦର କାର୍ଯ୍ୟ ଚଳାଇବାର ଦାୟିତ୍ୱ ରହିଛି ସିଏ ସାଂସଦଙ୍କ ସ୍ୱରକୁ ଚପାଇ ଦେଉଛନ୍ତି । ଏଭଳି ଘଟଣା କିଛି ନୂଆ ନୁହେଁ । ୧୯୮୫ରେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେତେବେଳେ ଲୋକସଭାରେ କଂଗ୍ରେସ ସାଂସଦଙ୍କ ସଂଖ୍ୟା ଥିଲା ୪୦୪ । ରାଜୀବ ଗାନ୍ଧୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ ଠକ୍କର କମିଶନ ଗଠନ କରିଥିଲେ । ଠକ୍କର କମିଶନ ତଦନ୍ତ କରି କ’ଣ ରିପୋର୍ଟ ଦେଲେ ତାହା ଏଯାବତ୍ ସାର୍ବଜନୀନ କରାଯାଇ ନାହିଁ । ସେତେବେଳେ ବିରୋଧୀ ଦଳମାନେ ଠକ୍କର କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ସ୍ୱର ଉଠାଇଥିଲେ । ସେତେବେଳେ ଲୋକସଭାର ବାଚସ୍ପତି ଥିଲେ ବଳରାମ ଝାକର । ସେ ୬୩ ଜଣ ସାଂସଦଙ୍କୁ ନିଲମ୍ବିତ କରିଦେଇଥିଲେ । ଗଣ ମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ହେବା ଓ ସାଧାରଣରେ ଅସନ୍ତୋଷ ସୃଷ୍ଟି ହେବା ପରେ ନିଲମ୍ବନକୁ ତା’ ପର ଦିନ ପ୍ରତ୍ୟାହାର କରି ନେଇଥିଲେ । କିନ୍ତୁ ସେତେବେଳେ କଂଗ୍ରେସର ସଂଖ୍ୟାବଳର ଦୁରୁପଯୋଗ ପ୍ରବୃତ୍ତି ଜନ୍ମ ନେଇ ସାରିଥିଲା । ଚତୁର୍ଦଶ ଏବଂ ପଞ୍ଚଦଶ ଲୋକସଭାରେ ୫୦ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ସେ ସମୟରେ ଡକ୍ଟର ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିଲେ । ଏପରି ନିଲମ୍ବନର ସଂଖ୍ୟା ଷୋଡ଼ଶ ଏବଂ ସପ୍ତଦଶ ଲୋକସଭାରେ ଆଶ୍ଚର୍ଯ୍ୟଜନକ ଭାବରେ ବଢ଼ିଥିଲା ଓ ବିଗତ ଥର ୧୫୫ ଜଣ ସଦସ୍ୟ ନିଲମ୍ବିତ ହୋଇଥିଲେ । ଏଥିରୁ ସ୍ପଷ୍ଟ ଯେ ମାମଲା ‘ୟାଙ୍କର’ ବା ‘ତାଙ୍କର’ ନୁହେଁ । ଏକ ଅବାଂଛିତ ପରମ୍ପରା ସୃଷ୍ଟି ହୋଇଥିଲା । ମାନନୀୟ ସଦସ୍ୟମାନେ ସେମାନଙ୍କ ଦାୟିତ୍ୱକୁ ଠିକ୍ ଭାବରେ ବୁଝିବା ଦରକାର କାରଣ ଏବେ ସଂସଦ ଆରମ୍ଭ ହୋଇଛି । ଏହି ଅଧିବେଶନ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । କିଛି ଦିନ ପୁର୍ବେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଓ ତାପରେ ଅପରେସନ ସିନ୍ଦୁର କାର୍ଯ୍ୟକାରୀ କରାଯାଇଥିଲା । ଏଥିରେ ଆମ ଦେଶର ଲାଭ କେତେ ଏବଂ କ୍ଷତି କ’ଣ ହେଲା ସେକଥା ସାଧାରଣ ଜନତା ସଂସଦ ଏବଂ ସରକାରଙ୍କଠାରୁ ଜାଣିବାକୁ ଚାହୁଁଛନ୍ତି । କାରଣ ଏହା ପକ୍ଷ ବା ବିପକ୍ଷର କଥା ନୁହେଁ ବରଂ ଦେଶର ସୁରକ୍ଷା ସହ ଜଡିତ ପ୍ରସଙ୍ଗ ଅଟେ । ଏତଦ୍ ବ୍ୟତୀତ ଅନେକ ଆଭ୍ୟନ୍ତରୀଣ ପ୍ରସଙ୍ଗ ଏବଂ ଗୁରୁତ୍ୱପୁର୍ଣ୍ଣ ବିଧେୟକ ଏହି ଅଧିବେଶନରେ ଆଗତ ହେବାର ଅଛି । ଆମ ସାଂସଦ ମାନେ ଚାହିଁଲେ ଏହି ଅଧିବେଶନରେ ସମସ୍ତ ସମସ୍ୟାର ସମାଧାନ ହାସଲ କରିପାରିବେ । ଏଠାରେ ଏକ ଉଦାହରଣର ଆବଶ୍ୟକତା ରହିଛି  । ୧୯୬୨ରେ ଚୀନ ଭାରତ ଉପରେ ଆକ୍ରମଣ କଲା । ସେ ସମୟରେ ଯେତେବେଳେ ଆମ ସେନା ବରଫାବୃତ୍ତ ସୀମାରେ ପର୍ଯ୍ୟାପ୍ତ ସାଧନ ବିନା ଲଢ଼େଇ କରୁଥିଲେ ସେତେବେଳେ ସଂସଦରେ ବିରୋଧୀଦଳର ସବୁ ବରିଷ୍ଠ ନେତା ସରକାରଙ୍କ ବିରୁଦ୍ଧରେ ଭିନ୍ନଭିନ୍ନ ଅଭିଯୋଗ ଆଣିଥିଲେ । ଓଜସ୍ୱୀ ନେତା ଅଟଳ ବିହାରୀ ବାଜପେୟୀ ମଧ୍ୟ ସରକାରକୁ ବିରୋଧ କରିଥିଲେ । ବିରୋଧୀଙ୍କ ଅଭିଯୋଗ ଥିଲା ଯେ ନେହେରୁ ସରକାର ତାଙ୍କ ଦାୟିତ୍ୱ ଠିକ୍ ଭାବରେ ପାଳନ କରୁନାହାଁନ୍ତି । ଏକଥା ମଧ୍ୟ ମନେରଖିବା ଉଚିତ୍ ଯେ ବିରୋଧୀ ଦଳରେ ଥିବା କାରଣରୁ ଏମାନେ ବିରୋଧ କରୁନଥିଲେ । ଯଦି ଏମିତି ହୋଇଥାନ୍ତା ତେବେ ୧୯୭୧ରେ ସେଇ ବାଜପେୟୀ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଶଂସା କରିନଥାନ୍ତେ । ସେ ସମୟରେ ଭାରତ ଏବଂ ପାକିସ୍ଥାନ ଯୁଦ୍ଧ ଏକ ନିର୍ଣ୍ଣାୟକ ଅବସ୍ଥାରେ ଥିଲା  । ବାଜପେୟୀ କିନ୍ତୁ ନିର୍ବାଚିତ ସରକାରକୁ ପ୍ରଶଂସା କରିଥିଲେ । କଂଗ୍ରେସ ମଧ୍ୟ ଏଭଳି କାର୍ଯ୍ୟରେ ପଛରେ ନଥିଲା । ୧୯୯୪ରେ ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିବା ସମୟରେ ବାଜପେୟୀଙ୍କୁ କାଶ୍ମୀର ପ୍ରସଙ୍ଗରେ ଭାରତ ସପକ୍ଷରେ କହିବା ପାଇଁ ଜାତିସଂଘର ମାନବାଧିକାର ଆୟୋଗଙ୍କ ନିକଟକୁ ପାଠାଇଥିଲେ । ନେହେରୁ ଏବଂ ବାଜପେୟୀଙ୍କ କଥା ଆଲୋଚନା ହେଲେ ମନେପଡ଼େ ଯେ ନେହେରୁ ବାଜପେୟୀଙ୍କ ଭାଷଣ ପାଇଁ ତାଙ୍କୁ ପ୍ରଶଂସା କରୁଥିଲେ ଯଦିଓ ବାଜପେୟୀ ତାଙ୍କ ଭାଷଣରେ ନେହେରୁଙ୍କର ଜବରଦସ୍ତ ଆଲୋଚନା କରୁଥିଲେ । ନେହେରୁଙ୍କ ନିଧନ ପରେ ବାଜପେୟୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଓ କହିଥିଲେ “ଏକ ସ୍ୱପ୍ନ ଭାଙ୍ଗି ଯାଇଛି, ଏକ ଗୀତ ଚୁପ ହୋଇଯାଇଛି, ଏକ ଜ୍ୟୋତି ଅନନ୍ତରେ ବିଲୀନ ହୋଇ ଯାଇଛି ।” ବାଜପେୟୀଙ୍କ ଏଭଳି ମନ୍ତବ୍ୟ ଇତିହାସ ହୋଇ ରହିଯାଇଛି । ଏକଥା ନୁହେଁ ଯେ ଏବେ ପୂର୍ବର ଅବସ୍ଥା ନାହିଁ । ମାନବିକତା ସଂପୂର୍ଣ୍ଣ ହଜିଯାଇନାହିଁ । ବହୁ ପୂର୍ବର କଥା ନୁହେଁ , ବିଗତ ବଜେଟ ଅଧିବେଶନର ଉଦାହରଣ ଦେବାକୁ ଉଚିତ୍ ମନେକରୁଛି । ସଂସଦର ଉଭୟ ସଦନରେ ଅଭୂତପୂର୍ବ ଏକଜୁଟତା ଦେଖିବାକୁ ମିଳିଥିଲା । ସେହି ଅଧିବେଶନରେ ଲୋକସଭାର ଉତ୍ପାଦକତା ୧୧୮ ପ୍ରତିଶତ ଏବଂ ରାଜ୍ୟ ସଭାର ଉତ୍ପାଦକତା ୧୧୯ ପ୍ରତିଶତ ଥିଲା । ରାଜ୍ୟସଭା ଇତିହାସ ସୃ୍ଷ୍ଟି କରିଥିଲା । ଅଧିବେଶନର ଶେଷଦିନ ଅର୍ଥାତ୍ ଅପ୍ରେଲ ୩ ତାରିଖ ଦିନ ୧୧ରୁ ଆରମ୍ଭ ହୋଇଥିବା ରାଜ୍ୟସଭାର କାର୍ଯ୍ୟ ପରବର୍ତ୍ତୀ ଦିନ ଭୋର ୪ଟା ପର୍ଯ୍ୟନ୍ତ ଚାଲିଥିଲା । ସବୁ କିଛି ସମ୍ଭବ, କେବଳ ମାନସିକତା ଆବଶ୍ୟକ । କ’ଣ ଆମ ମାନନୀୟ ମାନେ ଏଭଳି ସକାରାତ୍ମକ କୀର୍ତ୍ତିମାନ ଜାରି ରଖିବା ପାଇଁ ଚାହିଁବେ? ସମୟ ଏହି ପ୍ରଶ୍ନର ଉତ୍ତର ଦେବ ।
ରାମଚନ୍ଦ୍ରପୁର, ରଣପୁର
ମୋ - ୯୪୩୮୪୮୫୦୯୪