ବିଦ୍ୟୁତ୍‌ ଆଘାତରେ ୧ ମୃତ

ଟାଙ୍ଗୀ-ଚୌଦ୍ୱାର : କଟକ ଜିଲ୍ଲା ଟାଙ୍ଗୀ ଥାନାର ଶାଳଗାଁ ପଞ୍ଚାୟତର ବମ୍ବୁରି ଗ୍ରାମରେ ଜଣେ କୁକୁଡ଼ା ଫାର୍ମର ମାଲିକ କଟାସ ଦାଉରୁ କୁକୁଡ଼ାକୁ ବଞ୍ଚାଇବା ପାଇଁ ହାଇ ଭୋଲ୍‌ଟେଜ୍‌ ବିଜୁଳି ତାର ବିଛାଇଥିଲା । ହେଲେ ଗ୍ରାମବାସୀ ଏହା ଜାଣି ନଥିବାବେଳେ ଦୁଇଜଣ ଚାଷୀ ସକାଳୁ ବିଲକୁ ଆସି ଉକ୍ତ ବିଜୁଳି ତାର ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ଚାଷୀ ଦ୍ୱୟ ହେଲେ ନରେନ୍ଦ୍ର ଜତି  ଓ ଧୁରୁବ ବେହେରା । ସେମାନେ ସକାଳୁ ଚାଷ ପାଇଁ ଜମିକୁ ଗଲାବେଳେ ତାରରେ କରେଣ୍ଟ ଥିବା ଜାଣିନଥିବାବେଳେ ଏକ ଖୁଣ୍ଟିକୁ ତାର ସହ ନରେନ୍ଦ୍ର ଧରି ପକାଇ ଗଳି ପଡ଼ିଥିଲେ । ଏହା ଦେଖି ପରେ ଧୁରୁବ ତାଙ୍କୁ ଉଠାଇବାକୁ ଯାଇଥିବାବେଳେ ବିଜୁଳିର ଝଟକାରେ ସେ ଛିଟିକି ପଡ଼ିଥିଲେ । ପରେ ସ୍ଥାନୀୟ ଲୋକେ ନରେନ୍ଦ୍ରକୁ କଟକ ମେଡିକାଲ ନେଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ଏହି ଘଟଣା ଉପରେ ଏସଡିପିଓ ଉମାକାନ୍ତ ନାୟକ ଉଚିତ୍‌ ପଦକ୍ଷେପ ନେବେ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ କଟକ ମେଡ଼ିକାଲରେ ୟୁଡ଼ି କେଶ୍‌ର ନମ୍ବର ପଡ଼ିଥିବାବେଳେ ଶବ ବ୍ୟବଚ୍ଛେଦ ସନ୍ଦେହ ଘେରରେ ରହିଛି । ସଂପୃକ୍ତ ଘଟଣା ଉପରେ ପୁଲିସର ତଦନ୍ତ ନ ହେଲେ, ପରେ ଏହି ବିଜୁଳି ତାର ମାଧ୍ୟମରେ ଯଦି କୌଣସି ଅଘଟଣ ଘଟେ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।