ବିପଦ ଟଳିନି

 ଭୁବନେଶ୍ୱର: ଜାମଶୋଳାଘାଟ ଓ ରାଜଘାଟରେ ସୁବର୍ଣ୍ଣରେଖା ଓ ଆଖୁଆପଦାରେ ବୈତରଣୀ ବିପଦସଂକେତ ଟପିଛି  । ବାକି ସବୁ ନଦୀରେ ଜଳସ୍ତର ବଢୁଥିଲେବି ବିପଦର ସମ୍ଭାବନା ନାହିଁ  । ତେବେ ଆସନ୍ତା ୨୯ ଯାଏଁ ପ୍ରବଳ ବର୍ଷା ଥିବାରୁ ବିପଦ ଟଳିନାହିଁ ବୋଲି କୁହାଯାଇପାରିବ  । ମହାନଦୀ, ଦେବୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା ଓ ବଂଶଧାରା ନଦୀର ଜଳସ୍ତର ବଢୁଥିବା ପରିଲକ୍ଷିତ ହୋଇଛି  । ଅପରପକ୍ଷରେ ବାଲେଶ୍ୱର ଓ ଯାଜପୁରର କେତେକ ଗାଁରେ ବନ୍ୟା ପାଣି ପଶି ଯାଇଥିବାବେଳେ ଚାଷଜମି ଓ ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି  । ପାଣି ଛାଡ଼ିଲେ ପ୍ରଶାସନ ପକ୍ଷରୁ ଅନୁଧ୍ୟାନ କରାଯାଇ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି  । ଜଳସମ୍ପଦ ବିଭାଗର ତଥ୍ୟ ଅନୁଯାୟୀ, ଖଇରମାଳ, ଟିକରପଡ଼ା ଓ ନରାଜରେ ଜଳସ୍ତର ବଢ଼ିବାରେ ଲାଗିଛି  । ସେହିପରି ଦେବୀ ନଦୀ ଆଳିପିଙ୍ଗଳରେ ବଢୁଥିବାବେଳେ ଇନ୍ଦୁପୁର ଠାରେ ବ୍ରାହ୍ମଣୀ ନଦୀ, ଆନନ୍ଦପୁରରେ ବୈତରଣୀ ନଦୀ,  ଜାମଶୋଳାଘାଟରେ ସୁବର୍ଣ୍ଣରେଖା ନଦୀ ଓ ଗୁଡ଼ାରି ଠାରେ ବଂଶଧାରା ନଦୀର ଜଳସ୍ତର ବୃଦ୍ଧିପାଉଛି  । ସେହିପରି ହୀରାକୁଦର ୧୨ଟି, ରେଙ୍ଗାଲିରେ ୨ଟି, ମାଛକୁଣ୍ଡରେ ଗୋଟିଏ, ସାଳନ୍ଦୀରେ ୨ଟି, ଲୋୟର ଇନ୍ଦ୍ରରେ ଗୋଟିଏ ଓ କାନୁପୁରରେ ୨ଟି ଗେଟ୍ ଖୋଲାରହିଛି  ।  ଅପରପକ୍ଷରେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏକ ନୂତନ ଲଘୁଚାପ କ୍ଷେତ୍ର ଗଠନକୁ ଦୃଷ୍ଟିରେ ରଖି ୨୯ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତ ସହ ଝଡ଼ବର୍ଷା ନେଇ ପୂର୍ବାନୁମାନ କରାଯାଉଛି  । ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମୁଦ୍ର ପତନଠାରୁ ୧.୫ କିମି ଓ ୫.୮ କିମି ଉଚ୍ଚତାରେ ଦକ୍ଷିଣ ଦିଗକୁ ସୃଷ୍ଟି ହୋଇଛି  । ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ସେହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ  ।  ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୨୬ ଓ ଅଗଷ୍ଟ ୨୭ ପାଇଁ ପାଣିପାଗ ବିଭାଗ ପକ୍ଷରୁ କେତେକ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି  । ଆସନ୍ତାକାଲି ରାୟଗଡ଼ା ଓ ଗଜପତିର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ସେହି ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି  । ସେହିପରି କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼ ଓ ମାଲକାନାଗିରିରେ ପ୍ରବଳ ବର୍ଷା ହେବାର ଥିବାବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଣ୍ଟାପ୍ରତି ଝଟକା ପବନର ବେଗ ୩୦ରୁ ୪୦କିମି ବେଗରେ ବହିବା ସହ ବଜ୍ରପାତର ସମ୍ଭାବନା ରହିଛି  ।