ବନ୍ୟାରେ ଲୋକେ କଲବଲ
ଦଶରଥପୁର/ଭଣ୍ଡାରିପୋଖରୀ/ଧାମନଗର: ଯାଜପୁରରେ ବୈତରଣୀ ଓ କାଣୀ ନଦୀରେ ପ୍ରବଳ ବନ୍ୟା ଆସିଛି । ଫଳରେ ଦଶରଥପୁରର ୧୪ ଗ୍ରାମ ପଞ୍ଚାୟତ ବନ୍ୟା ପ୍ଳାବିତ ହୋଇଯାଇଛି । କସ୍ପା, ତରପଦା, ମଲ୍ଲିକାପୁର, କନିକାପଡ଼ା, ଛଚିଣା, ମଙ୍ଗଳପୁର, ଶୁଶୁଆ, ଦୁଦୁରାଅଂଟା, ନିଜାମପୁର, ଦତପୁର, ଖାନନଗର, କମାରଡିହି, କୟାଁ ପ୍ରଭୃତି ପଞ୍ଚାୟତର ୫୦ ଗାଁ ଜଳମଗ୍ନ ହୋଇଯାଇଛି । ଭଣ୍ଡାରିପୋଖରୀ ଅଞ୍ଚଳର କଣ୍ଟିଘାଇରେ ୬ ଫୁଟ ଉଚ୍ଚତାର ବନ୍ୟାଜଳ ଦ୍ରୁତବେଗରେ ପ୍ରବେଶ କରି ଷୋଳମପୁର, ମାଳଦା, ରହଣିଆ, ନପଙ୍ଗ, କୁରିଗାଁ ଆଦି ପଞ୍ଚାୟତକୁ ଜଳମଗ୍ନ କରିପକାଇଛି । ବୈତରଣୀ ଓ ଏହାର ଶାଖା ନଦୀ ଗେଙ୍ଗୁଟି, କୋଚିଳାରେ ବନ୍ୟା ଯୋଗୁଁ ଧାମନଗର ବ୍ଲକର ଆନନ୍ଦପୁର, ଖଡ଼ିପଦା, ସୋହଡ଼ା, କରଦା, ଦଳାଙ୍ଗ, ପଧାନି, ଅର୍ଜୁନପୁର, ଭଟ୍ଟସାହି, ନଦୀଗାଁ, ଧୁଷୁରୀ, ହସନାବାଦ ଓ ପାଳସାହି ପଞ୍ଚାୟତର ବିଭିନ୍ନ ଗାଁରେ ପାଣି ପଶିଯାଇଛି । ଚାଷ ଜମିରୁ ନେଇ ଗାଁ ଦାଣ୍ଡ ଯାଏଁ ପାଣି ଲହରୀ ଭାଙ୍ଗୁଛି । ଲୋକମାନେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବାବେଳେ ରିଲିଫ୍ରେ ସ୍ଥାନେସ୍ଥାନେ ସମସ୍ୟା ପରିଲକ୍ଷିତ ହୋଇଛି । ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ପାଣି ଛାଡ଼ିବା ପରେ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
ଆମ ଯାଜପୁର ଜିଲ୍ଲା ପ୍ରତିନିଧି ଶରତ ପଥାଳ ଓ ଦଶରଥପୁର ପ୍ରତିନିଧି ପ୍ରତୁ୍ୟଷ କୁମାର ନାୟକଙ୍କ ସୂଚନା ଅନୁଯାୟୀ, ଉପର ମୁଣ୍ଡରେ ପ୍ରବଳ ବର୍ଷା ଫଳରେ ବୈତରଣୀ ଓ କାଣୀ ନଦୀରେ ପ୍ରବଳ ବନ୍ୟା ଆସିଛି । ଏହି ଦୁଇ ନଦୀର ବନ୍ୟା ଜଳ କୂଳ ଲଙ୍ଘି ଏବେ ଗାଁ ଗଣ୍ଡାରେ ପ୍ରବେଶ କରିଛି । କାଣୀ ନଦୀର ଉଛୁଳା ପାଣି ସମଗ୍ର ଦଶରଥପୁର ବ୍ଳକକୁ ବେହାଲ୍ କରିଛି । ଗତ ସନ୍ଧ୍ୟା ସୁଦ୍ଧା ଦଶରଥପୁର ଠାରେ ବୈତରଣୀ ନଦୀର ବନ୍ୟାଜଳ ବିପଦ ସଙ୍ଗେତରେ ପ୍ରାୟ ୧୦ ଫୁଟ୍ ଉଚ୍ଚରେ ପ୍ରବାହିତ ହେଉଛି । ଗତ ରାତି ପ୍ରାୟ ୪ଟା ସମୟରେ କସ୍ପା ପଞ୍ଚାୟତସ୍ଥ ଅହିୟାସ ବଜାର ନିକଟରେ ଥିବା ମୁସ୍ଲିମ୍ ସାହି ଠାରେ କାଣୀ ନଦୀ ବନ୍ଧରେ ୫୦ ଫୁଟ୍ର ଘାଇ ହୋଇଛି । ଫଳରେ ବ୍ଲକର ପ୍ରାୟ ୧୪ ପଞ୍ଚାୟତର ୫୦ରୁ ଉଦ୍ଧ୍ୱର୍ ଗାଁରେ ବନ୍ୟା ଜଳ ମାଡ଼ିଯାଇଛି । ଅହିୟାସ ବଜାରରେ ବନ୍ୟା ପାଣି ଲହଡ଼ି ଭାଙ୍ଗୁଥିବା ବେଳେ କାଟିଆ, ବୈଶପାନ, ମୁଖ୍ୟ ରାସ୍ତାରେ ୪ ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଯୋଗାଯୋଗ ସମ୍ପୂର୍ଣ୍ଣ ବ୍ୟାହତ ହେବା ସହ ଶତାଧିକ ଲୋକଙ୍କ ଘରେ ବନ୍ୟା ପାଣି ପଶିଯାଇଛି । ଘାଇ ନିକଟରେ ଥିବା ପ୍ରାୟ ଶତାଧିକ ଘରର ଝରକା ପର୍ଯ୍ୟନ୍ତ ବନ୍ୟାପାଣି ବୁଡ଼ି ରହିଛି । ଲୋକେ ଜୀବନ ବିକଳରେ ଘରୁ ପଳାଇଆସି ନଦୀ ବନ୍ଧ ଓ ବିଦ୍ୟାଳୟରେ ଆଶ୍ରୟ ନେଇଛନ୍ତି । ଏହି ଘାଇ ଫଳରେ ବ୍ଲକର କସ୍ପା, ତରପଦା, ମଲ୍ଲିକାପୁର, କନିକାପଡ଼ା, ଛଚିଣା, ମଙ୍ଗଳପୁର, ଶୁଶୁଆ, ଦୁଦୁରାଅଂଟା, ନିଜାମପୁର, ଦତପୁର, ଖାନନଗର, କମାରଡିହି, କୟାଁ ପ୍ରଭୃତି ପଞ୍ଚାୟତର ୫୦ରୁ ଊଦ୍ଧ୍ୱର୍ ଗାଁ ବନ୍ୟା ପାଣି ପ୍ରବେଶ କରିଛି । ହଜାର ହଜାର ହେକ୍ଟର ଧାନ ଜମିରେ ବନ୍ୟା ପାଣି ମାଡ଼ିଯାଇଛି । ବନ୍ୟାଘେରରେ ଥିବା କଟିକଟା ତରେଇ ସାହିର ୭୦ବର୍ଷ ବୟସ୍କା ଭାଗବତ ମାଝି ନାମକ ଜଣେ ବ୍ୟକ୍ତି ବୈତରଣୀ ନୀଦରେ ବନ୍ୟା ସ୍ରୋତରେ ଭାସିଯାଇଛନ୍ତି । ଖବର ପାଇ ଦମକଳ ବାହିନି ସହ ଓଡ୍ରାଫ୍ ଟିମ୍ ଭାସିଯାଇଥିବା ଭାଗବତକୁ ନଦୀ ଗର୍ଭରୁ ଉଦ୍ଧାର କରିବା ପରେ ଜିଲ୍ଲା ସଦରମହକୁମା ଚିକିତ୍ସାଳୟକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘାଇ ହୋଇଥିବା ଖବର ପାଇ ଜିଲାପାଳ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଳାପାଳ ଶିବାନନ୍ଦ ସ୍ୱାଇଁ, ବିଡିଓ ଆକାଶ ପଟ୍ଟନାୟକ ପ୍ରମୁଖ ସେଠାରେ ପହଁଚିବା ସହ ପାଣିଘେରରେ ଥିବା ଲୋକମାନଙ୍କୁ ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କରୁଛନ୍ତି । ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଧାୟିକା ସୁଜାତା ସାହୁ, ଜିଲା ବିଜେଡ଼ି ସଭାପତି ସରୋଜ କୁମାର ମହାପାତ୍ର, ବିଜେପି ନେତା ଗୌତମ ରାୟ, ସଂଜୟ ନାୟକ, ରମେଶ ଚନ୍ଦ୍ର ସାମଲ, ପ୍ରତୁ୍ୟଷ ନାୟକ, ଇନ୍ଦ୍ରଜିତ ଦାସ, ନିରଞ୍ଜନ ସାହୁ, ରମାକାନ୍ତ ଜେନା ପ୍ରମୁଖ ଘାଇ ଅଞ୍ଚଳ ପରିଦର୍ଶନ କରି ଲୋକମାନଙ୍କୁ ଉଦ୍ଧାର ସହ ରିଲିଫ୍ ଯୋଗାଇ ଦେବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି । ସେହିପରି ଜଳସମ୍ପଦ ବିଭାଗ ପକ୍ଷରୁ ବନ୍ୟା ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି । ଜଳ ସଂପଦ ବିଭାଗର ମୁଖ୍ୟଯନ୍ତ୍ରୀ ବିଘ୍ନରାଜ ପୁରୋହିତ, ଯାଜପୁର ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ରତ୍ନାକର ଦଳାଇ, ସହକାରୀ ଯନ୍ତ୍ରୀ ଅନ୍ତର୍ଯ୍ୟାମୀ ମହାନ୍ତି, କନିଷ୍ଠଯନ୍ତ୍ରୀ ଅରୁଣ ତି୍ରପାଠୀ ପ୍ରମୁଖ ବନ୍ୟା ପ୍ଲାବିତ ଦଶରଥପୁର ବ୍ଲକରେ ଡେରା ପକାଇ ବୈତରଣୀ ଓ କାଣୀ ନଦୀର ବନ୍ଧରେ ବିଭିନ୍ନ ସ୍ଥାନରେ ହୋଇଥିବା ଘଳିଆଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା ସହ ଦୁର୍ବଳ ସ୍ଥାନଗୁଡିକ ଉପରେ ତୀକ୍ଷ୍ମ ନଜର ରଖିଛନ୍ତି । ଆମ ଭଦ୍ରକ ଜିଲ୍ଲା ପ୍ରତିନିଧି ଜ୍ଞାନ ପାଣି ଓ ଭଣ୍ଡାରିପୋଖରୀ ପ୍ରତିନିଧି ରାଜେନ୍ଦ୍ର ଶତପଥିଙ୍କ ସୂଚନା ଅନୁଯାୟୀ, ବୈତରଣୀ ନଦୀର ଜଳସ୍ତର ଆଖୁଆପଦାରେ ବିପଦ ସଂଙ୍କେତ ତଳକୁ ଆସିଛି । ସୋମବାର ଅପରାହ୍ନ ୫ଟାରେ ଆଖୁଆପଦା ଠାରେ ନଦୀର ଜଳସ୍ତର ବିପଦସଙ୍କେତ ସ୍ତର ୧୮.୩୩ ମିଟର ନିମ୍ନକୁ ଆସି ୧୮.୨୮ମିଟରରେ ପ୍ରବାହିତ ହେଉଛି । ଜଳସ୍ତର ଘଣ୍ଟାପ୍ରତି ୬ ମି.ମି. ବେଗରେ ହ୍ରାସ ପାଉଛି । ସୋମବାର ପ୍ରତୁ୍ୟଷ ୫ଟା ସମୟରେ ନଦୀର ଜଳସ୍ତର ସର୍ବାଧିକ ୧୮.୮୬ମିଟରରେ ପହଞ୍ଚô ସ୍ଥିର ହୋଇଥିଲା । ସକାଳ ୮ଟାରେ ଜଳସ୍ତର ହ୍ରାସ ପାଇବା ଆରମ୍ଭ କରିଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ନଦୀର ଉପର ମୁଣ୍ଡରେ ବଡଧରଣର ବର୍ଷା ହୋଇନଥିବାରୁ ଜଳସ୍ତର ସ୍ୱାଭାବିକ ସ୍ତରକୁ ଆସିବ ବୋଲି ଜଳସମ୍ପଦ ବିଭାଗ ବନ୍ୟା ନିୟନ୍ତ୍ରଣ କକ୍ଷ ପକ୍ଷରୁ ସୂଚନା ଦିଆଯାଇଛି । ନଦୀରେ ଜଳସ୍ତର ହ୍ରାସ ପାଉଥିଲେହେଁ କଣ୍ଟିଘାଇରେ ୬ ଫୁଟ ଉଚ୍ଚତାର ବନ୍ୟାଜଳ ଦ୍ରୁତବେଗରେ ପ୍ରବେଶ କରି ଷୋଳମପୁର, ମାଳଦା, ରହଣିଆ, ନପଙ୍ଗ, କୁରିଗାଁ ଆଦି ପଞ୍ଚାୟତକୁ ଜଳମଗ୍ନ କରିପକାଇଛି । ଏହି ସବୁ ପଞ୍ଚାୟତର ହଜାର ହଜାର ଚାଷଜମି ବନ୍ୟାଜଳରେ ବୁଡି ରହିଥିବାରୁ ଚାଷ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି । ବିଶେଷ କରି ନଦୀର ଉପକୂଳବର୍ତ୍ତୀ ଅଞ୍ଚଳର ପନପରିବା ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଭଣ୍ଡାରିପୋଖରୀ-ମଣିନାଥପୁର ପୂର୍ତ୍ତ ରାସ୍ତାର ଏକାଧିକ ସ୍ଥାନରେ ବନ୍ୟାଜଳ ପ୍ରବାହିତ ହୋଇ ଯୋଗଯୋଗରେ ବାଧା ସୃଷ୍ଟି କରିଛି । ସେହିପରି ମାଳଦା-ଚତୁର୍ଭୁଜପୁର ରାସ୍ତା, ମାଳଦା-ସାରଣା ରାସ୍ତା, ମାଳଦା-ଜଳହରୀ ରାସ୍ତା, ବାହାଣିଆ ଗ୍ରାମ୍ୟ ରାସ୍ତା, ରହଣିଆ କଚେରୀ ସାହି ରାସ୍ତା, ମୁଢାପଦା-ଦାଣ୍ଡକୂଳ ରାସ୍ତା ଉପରେ ବନ୍ୟାଜଳ ସ୍ରୋତ ପ୍ରବାହିତ ହେବା ଯୋଗୁଁ ଗ୍ରାମଗୁଡିକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ବନ୍ୟାଜଳ ନିଷ୍କାସିତ ହେବା ପରେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଅନୁଧ୍ୟାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବିଧାୟକ ସଞ୍ଜିବ କୁମାର ମଲ୍ଲିକ, ବ୍ଲକ ଅଧ୍ୟକ୍ଷା ସୁମତୀ ସେଠୀ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ ପ୍ରମୁଖ ବନ୍ୟାଞ୍ଚଳ ଅନୁଧ୍ୟାନ କରିଛନ୍ତି । ଆମ ଧାମନଗର ପ୍ରତିନିଧି କୈଳାସ ହୋତାଙ୍କ ସୂଚନା ଅନୁଯାୟୀ, ଦୁଇଦିନ ହେବ ଧାମନଗରରେ ବନ୍ୟା ବିଭୀଷିକା ଜାରି ରହିଛି । ବୈତରଣୀ ଓ ଏହାର ଶାଖା ନଦୀ ଗେଙ୍ଗୁଟି, କୋଚିଳାରେ ବନ୍ୟା ଯୋଗୁଁ ବ୍ଲକର ଆନନ୍ଦପୁର, ଖଡ଼ିପଦା, ସୋହଡ଼ା, କରଦା, ଦଳାଙ୍ଗ, ପଧାନି, ଅର୍ଜୁନପୁର, ଭଟ୍ଟସାହି, ନଦୀଗାଁ, ଧୁଷୁରୀ, ହସନାବାଦ ଓ ପାଳସାହି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ ହୋଇଛି । ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି ଅର୍ଜୁନପୁର, ପଧାନି ଓ ହସନାବାଦ ପଞ୍ଚାୟତ । ୩ ପଞ୍ଚାୟତର ଅର୍ଦ୍ଧାଧିକ ଗାଁରେ ଘର ଭିତରେ ପାଣି ପଶିଯାଇଛି । ଗରିବ ଲୋକମାନେ ବାତ୍ୟା ଆଶ୍ରୟସ୍ଥଳୀରେ ଯାଇ ରହିଛନ୍ତି । ଧାମନଗର ବିଡିଓ ବନବିହାରୀ ଦିନ୍ଦା, ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ ଏବଂ ଧାମନଗର ତହସିଲଦାର ସାଇଶ୍ରୀ ଲୋକନାଥ ପ୍ରସାଦ ସେଠୀ ପାୱାର ବୋଟ୍ ନେଇ ବନ୍ୟାଞ୍ଚଳ ବୁଲି ଅନୁଧ୍ୟାନ କରିଛନ୍ତି । ପ୍ରଶାସନ ପକ୍ଷରୁ ଅର୍ଜୁନପୁର, ହସନାବାଦ, ପଧାନି, ସୋହଡା, ଖଡ଼ିପଦା ପଞ୍ଚାୟତର ୨୨ ସ୍ଥାନରେ ରନ୍ଧା ଖାଦ୍ୟ ବିପନ୍ନଙ୍କୁ ଦିଆଯାଉଛି । ସଇଲୋ ଠାରେ ବନ୍ୟା ଜଳ ମାଡ଼ିଯିବା ଦ୍ୱାରା ବୃଦ୍ଧ ଦୁଃଶାସନ ପାତ୍ର ଓ ତାଙ୍କ ସ୍ତ୍ରୀ ଜାନକୀ ପାତ୍ର ବନ୍ୟା ଘେରରେ ରହିଯାଇଥିଲେ । ଖବର ପାଇ ପଧାନି ପଞ୍ଚାୟତର ସରପଞ୍ଚ ଅଶୋକ କୁମାର ପୁହାଣ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ସେମାନଙ୍କୁ ଉଦ୍ଧାରକରୀ ତାଙ୍କର ସମ୍ପର୍କୀୟଙ୍କ ଘରକୁ ଅଟୋ ଯୋଗେ ପଠାଇଥିଲେ ।