ବିପଦପୂର୍ଣ୍ଣ ଅବସ୍ଥାରେ ଅରବିନ୍ଦ ନଗର ମୁଖ୍ୟ ରାସ୍ତା
ବୁଗୁଡ଼ା: ଅରବିନ୍ଦ ନଗରକୁ ସଂଯୋଗ କରୁଥିବା ମୁଖ୍ୟ ସଡକ ବିପଦ ସଂଙ୍କୁଳ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି । ରାସ୍ତାରେ ରହିଥିବା ଗାଢ ସ୍ଥାନୀୟ ବାସିନ୍ଦାଙ୍କ ସମେତ ଅନ୍ୟମାନଙ୍କ ପାଇଁ ସମସ୍ୟାର କାରଣ ପାଲଟିଛି । ଯାନବାହାନ ଧରି ସେହି ରାସ୍ତାରେ ଯିବାବେଳେ ଗାଢ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଅରବିନ୍ଦ ନଗରରେ ଅନେକ କୋଚିଂ ସେଣ୍ଟର ରହିଥିବାରୁ ସେହି ରାସ୍ତା ଦେଇ ସ୍କୁଲ ଓ କଲେଜର ଶହ ଶହ ଛାତ୍ରଛାତ୍ରୀ ଦୈନିକ ଯିବାଆସିବା କରିବା ସମୟରେ ସେହି ଗାଢରେ ପଡି ସମସ୍ୟା ଭୋଗୁଛନ୍ତି । ଦୀର୍ଘ ଦିନ ହେଲା ସେହି ରାସ୍ତାରେ ଏଭଳି ଗାଢ ସୃଷ୍ଟି ହୋଇଥିଲେ ହେଁ ତାହା ସ୍ଥାନୀୟ ଏନ୍ଏସି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ବିଶେଷ କରି ବର୍ଷା ହେଉଥିବା ସମୟରେ ସେହି ଗାଢଟି ଜଳପୂର୍ଣ୍ଣ ରହୁଥିବାରୁ ପଦଚାରୀଙ୍କ ପାଇଁ ସମସ୍ୟା ସାଙ୍ଗକୁ ଯାନବାହାନ ଚାଳକଙ୍କ ପାଇଁ ବିପଦଜ୍ଜନକ ପରିସ୍ଥିତି ସୃଷ୍ଟି କରୁଛି । ଅନେକ ସମୟରେ ବିଭିନ୍ନ ଯାନବାହାନ ସେଠାରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ତେଣୁ , ଅରବିନ୍ଦ ନଗର ରାସ୍ତାରେ ରହିଥିବା ସେହି ବିପଦ ଆହ୍ୱାନକାରୀ ଗାଢ଼କୁ ମରାମତି କରିବାକୁ ଏନ୍ଏସି କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ହେଉଛି ।