ଠଣାପଲ୍ଲୀ-ନାଗିରି ରାସ୍ତା ଶୋଚନୀୟ, ମରାମତି ଦାବି 

 ବୁଗୁଡ଼ା : ବୁଗୁଡା ବ୍ଲକ ମୋଟାବାଡି ପଞ୍ଚାୟତ ଅନ୍ତର୍ଗତ ଠଣାପଲ୍ଲୀ-ନାଗିରି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଅନେକ ସ୍ଥାନରେ ପାଣି ଜମି ରହୁଛି । ଫଳରେ ଲୋକଙ୍କ ଯାତାୟାତରେ ଘୋର ଅସୁବିଧା ହେଉଛି । ପୂର୍ବରୁ ସେହି ରାସ୍ତାଟି ଲଟାବୁଦା ମାଡିଯାଇ ସଂକୀର୍ଣ୍ଣ ଓ ଶୋଚନୀୟ ଅବସ୍ଥାରେ ରହିଥିଲା । ଠାଏଁ ଠାଏଁ ଖାଲଖମା ଯୋଗୁଁ ପଦଚାରୀ ଏବଂ ଯାନବାହାନ ଚଳାଚଳରେ ସମସ୍ୟା ସୃଷ୍ଟି କରୁଥିଲା । ଏ ନେଇ ଖବର ପ୍ରକାଶ ପାଇବା ପରେ ମୋରମ ପକାଯାଇ ରାସ୍ତାର ପ୍ରଶସ୍ତୀକରଣ ସହ ମରାମତି ପରେ ଅବସ୍ଥାରେ ସୁଧାର ଆସିଥିଲା ।  ଲୋକଙ୍କ ଯାତାୟାତରେ ସୁବିଧାଜନକ ହୋଇପାରିଥିଲା । ତେବେ ସମ୍ପ୍ରତି ବର୍ଷା ହେଲେ ରାସ୍ତାର ଅନେକ ଜାଗାରେ ପାଣି ଜମି ରହୁଥିବାରୁ ଲୋକଙ୍କ ଯାତାୟାତରେ ନାହିଁ ନଥିବା ଅସୁବିଧା ହେଉଛି । ଏଣୁ, ରାସ୍ତାର ମରାମତି ଦିଗରେ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।