ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ପୃଥ୍ୱୀରାଜଙ୍କ ସମୀକ୍ଷା
ଭୁବନେଶ୍ୱର : ବିଗତ ଦିନ ତୁଳନାରେ ଓଡିଶା ଆଜି ଦ୍ରୁତ ବିକାଶ ପଥରେ ଆଗକୁ ଅଗ୍ରସର ହେଉଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡିଶା ପ୍ରତି ଭଲପାଇବା ଏବଂ ଅନ୍ୟ ବରିଷ୍ଠ କେନ୍ଦ୍ର ମନ୍ତ୍ରୀଙ୍କ ଓଡିଶା ଗସ୍ତ ରାଜ୍ୟ ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ଓଡିଶାର ବିକାଶ ପାଇଁ କେନ୍ଦ୍ରରୁ ଅନେକ ଅନୁଦାନ ଆସୁଛି । ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ତାହାକୁ ପୂରା କରିବାକୁ ହେଲେ ଆମକୁ ରାସ୍ତାଘାଟ ଓ ଅନ୍ୟ ଭିତ୍ତିଭୂମିରେ ବିକାଶକୁ ତ୍ୱରିତ ବେଗରେ ଆଗେଇ ନେବାକୁ ପଡିବ ବୋଲି କହିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ହରିଚନ୍ଦନ ରାଜ୍ୟରେ ଥିବା ବିଭିନ୍ନ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ପ୍ରକଳ୍ପର ଅଗ୍ରଗତି ସହ କୋରାପୁଟ ବାଇପାସ୍, ଜୁନାଗଡ ବାଇପାସ୍, ରାଉରକେଲା ବାଇପାସ୍, ନୂଆପଡା ବାଇପାସ, ଆସ୍କା ବାଇପାସ୍, ଜଗତସିଂପୁର ଜିଲ୍ଲା ଅନ୍ତର୍ଗତ ଓଏମ୍ପି-କନ୍ଦରପୁର-ପାରାଦ୍ୱୀପ ଆଦି ରାସ୍ତା ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା କରିଥିଲେ । ସେହିପରି ଭୁବନେଶ୍ୱର ସହରର ଭିଡ ନିୟନ୍ତ୍ରଣ ପାଇଁ ଜୟଦେବ ବିହାରଠାରୁ ନନ୍ଦନକାନନରେ ରାସ୍ତାର ପ୍ରଶସ୍ତିକରଣ ଓ ଉଭୟ ପଟରେ ସମାନ୍ତରାଳ ରାସ୍ତା ନିର୍ମାଣ ଏବଂ ସଂଯୋଗୀକରଣ ରାସ୍ତା, ଏମସ୍କୁ ଯାଇଥିବା ରାସ୍ତାର ଉନ୍ନତି ଓ ପ୍ରଶସ୍ତିକରଣ, ଖଣ୍ଡଗିରି-ଜାଗମରା ଏଲିଭେଟେଡ୍ ରାସ୍ତା ଏବଂ କଳ୍ପନା ଛକରେ ଆଧୁନିକ ଏଲିଭେଟେଡ୍ ରାସ୍ତା ସହ ଏଜି ଛକରେ ଟ୍ରାଫିକ ସମସ୍ୟା ହ୍ରାସ ପାଇଁ ଦୁଇ ଥାକିଆ ରାସ୍ତାର ପରିକଳ୍ପନା ନେଇ ବୈଠକରେ ଆଲୋଚନା ହୋଇଥିଲା । ଏଥି ସହିତ ପୁରୀର ବିଭିନ୍ନ ରାସ୍ତା, କୋଠାବାଡି, ଧର୍ମଶାଳା, ପାଠାଗାର ଏବଂ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ମନ୍ତ୍ରୀ ସମୀକ୍ଷା କରିବା ସହ ସମସ୍ତ ନିର୍ମାଣ କାର୍ଯ୍ୟକୁ ଅତିଶୀଘ୍ର ସମାପ୍ତ କରିବା ନେଇ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ଡିଭିଜନ୍ ସ୍ତରରେ ବିଭିନ୍ନ ସରକାରୀ ବିଧି ବ୍ୟବସ୍ଥାକୁ ତ୍ୱରିତ କରିବା ପାଇଁ ସମସ୍ତ କାର୍ଯ୍ୟ ଓସ୍ୱାସ୍ ଅନ୍ଲାଇନ୍ ପ୍ଲାଟ୍?ଫର୍ମ ଜରିଆରେ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଏହି କ୍ରମରେ ଆଜିଠାରୁ ଓବିସିସିର ସମସ୍ତ ସରକାରୀ କାର୍ଯ୍ୟ ଓସ୍ୱାସ୍ ମାଧ୍ୟମରେ ହେବା ନେଇ ଶୁଭାରମ୍ଭ ହୋଇଛି ।