ବିଳାସପୁରରେ ଟ୍ରେନ୍‌ ଦୁର୍ଘଟଣା : ୮ ମୃତ, ୧୬ ଆହତ

ବିଳାସପୁରରେ ଟ୍ରେନ୍‌ ଦୁର୍ଘଟଣା : ୮ ମୃତ, ୧୬ ଆହତ
  • ମୋଦି, ଅଶ୍ୱିନୀ, ଦେଓ ଓ ମୋହନଙ୍କ ଶୋକ
  • ମୃତକଙ୍କ ପାଇଁ ୧୦ ଲକ୍ଷ ଲେଖାଁଏ ସହାୟତା

ବିଳାସପୁର : ଛତିଶଗଡ ବିଳାସପୁର ଷ୍ଟେସନ ନିକଟରେ ଘଟିଛି ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା । ମାଲବାହୀ ଟ୍ରେନକୁ ଧକ୍କା ଦେଇଛି ଏକ ପାସେଞ୍ଜର ମେମୁ ଟ୍ରେନ । ଦୁର୍ଘଟଣା ପରେ ଅନେକ ବଗି ଲାଇନଚ୍ୟୁତ ହୋଇଛି । ଏଥିରେ ୮ଜଣଙ୍କ ମୃତ୍ୟୁ ହୋଇଛି । ୧୬ ଜଣ ଆହତ ହୋଇଛନ୍ତି । ରେଲୱେ ଟିମ ଓ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

       ଆଜି ଅପରାହ୍ଣରେ ବିଳାସପୁର-କାଟନି ସେକ୍ସନ ଲାଲ ଖଦାନ ନିକଟରେ ଏକ ମାଲବାହୀ ଟ୍ରେନ ଛିଡା ହୋଇଥିବା ବେଳେ କୋରାବ ପାସେଞ୍ଜର ମେମୁ ଟ୍ରେନ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ପ୍ରଖର ଥିଲା ଯେ ପାସେଞ୍ଜର ଟ୍ରେନର ଇଞ୍ଜିନ ମାଲବାହୀ ଟ୍ରେନ ଉପରେ ଚଢି ଯାଇଥିଲା । ଆଉ ବଗି ଉପରେ ବଗି ମଧ୍ୟ ଚଢିଯାଇଥିଲା । କିଛି ବଗି ଲାଇନଚ୍ୟୁତ ହୋଇଥିଲା ।  ଉପରେ ଯାଇଥିବା ତାର ଓ ସିଗନାଲ ସିଷ୍ଟମକୁ ନଷ୍ଟ ହୋଇଯାଇଛି । ଏହି ରୁଟରେ ଟ୍ରେନ ସେବାକୁ ବାତିଲ କରାଯିବା ସହ ଅନେକ ଟ୍ରେନର ଦିଗ ପରିବର୍ତ୍ତନ କରାଯାଇଛି । ରେଳବାଇ ଉଦ୍ଧାରକାରୀ ଦଳ, ଆରପିଏଫ କର୍ମଚାରୀ ଓ ସ୍ଥାନୀୟ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ କରିଥିଲେ । ହାଇଡ୍ରୋଲିକ୍‌ ଗ୍ୟାସ କଟର ସାହାଯ୍ୟରେ ବଗିକୁ କାଟି ଭିତରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ଜରୁରୀକାଳୀନ ଡାକ୍ତରୀ ଦଳ ଆହତମାନଙ୍କୁ ଚିକିତ୍ସା କରୁଛନ୍ତି । ବରିଷ୍ଠ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ôଚ କାର୍ଯ୍ୟ ତଦାରଖ କରୁଛନ୍ତି ।

     ବିଳାସପୁର ଜିଲ୍ଲାପାଳ ସଞ୍ଜୟ ଅଗ୍ରୱାଲ ନିଶ୍ଚିତ କରିଛନ୍ତି ଯେ ଏପର୍ଯ୍ୟନ୍ତ ସାତ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏକ କ୍ଷତିଗ୍ରସ୍ତ କୋଚ୍‌ ଭିତରେ ଦୁଇଜଣ ଯାତ୍ରୀ ଫସି ରହିଛନ୍ତି । ପ୍ରାୟ ୧୬ ଜଣ ଆହତ ଯାତ୍ରୀଙ୍କୁ ବିଳାସପୁରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଜାରି ରହିବା ସହିତ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ଅଛି ବୋଲି ସେ କହିଛନ୍ତି । ଅଧିକାରୀଙ୍କ ଅନୁଯାୟୀ, ମେନଲାଇନ୍‌ ଇଲେକ୍ଟ୍ରିକ୍‌ ମଲ୍ଟିପଲ୍‌ ୟୁନିଟ୍‌ (ମେମୁ) ଟ୍ରେନ୍‌ କୋର୍ବାରୁ ବିଳାସପୁରରେ ପହଞ୍ଚିବା ସମୟରେ ଅପରାହ୍ନ ପ୍ରାୟ ୪ଟା ସମୟରେ ସମାନ ଟ୍ରାକରେ ଥିବା ମାଲବାହୀ ଟ୍ରେନ୍‌ର ଗାର୍ଡ ଡବାରେ ଧକ୍କା ହୋଇଥିଲା । କୋର୍ବା ପାସେଞ୍ଜର ଟ୍ରେନ୍‌ର  ପ୍ରଥମ ଦୁଇଟି ବଗି ଯାହା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଟ୍ରେନ୍‌ ରେ ଥିବା କିଛି ଯାତ୍ରୀ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ସେମାନେ ହଠାତ୍‌ ଏକ ଝଟକା ସହିତ  ଜୋରରେ ଶବ୍ଦ ଅନୁଭବ କରିଥିଲେ ଏବଂ ହଠାତ୍‌ ଧକ୍କା ଯୋଗୁଁ ଅନେକ ଯାତ୍ରୀ ସେମାନଙ୍କ ସିଟ୍‌ରୁ ଖସି ପଡ଼ିଥିଲେ ।

       ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ଓ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ରେଳବାଇ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ, ଗୁରୁତର ଆହତଙ୍କୁ ୫ ଲକ୍ଷ ଓ ସାମାନ୍ୟ ଆହତଙ୍କୁ ଲକ୍ଷେ ଟଙ୍କା ଲେଖାଁଏ ସହାୟତା ଘୋଷଣା କରାଯାଇଛି ।