ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡା ମାରିଲେ ଯୁବକ

 ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ । ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନରେ ଜନଶୁଣାଣି କରୁଥିବା ବେଳେ ଜଣେ ଯୁବକ ହଠାତ ପଶି ଆସି ଜୋରରେ ଚିକ୍ରାର କରିବା ସହ ତାଙ୍କୁ ଚାପୁଡା ମାରିଥିଲା । ଏହା ପରେ ତାଙ୍କ ମୁଣ୍ଡବାଳକୁ ଝିଙ୍କିଥିଲା । କଡା ସୁରକ୍ଷା ଭିତରେ କେହି କିଛି ବୁଝିବା ପୂର୍ବରୁ ଏପରି ଘଟଣା ଘଟିଯାଇଥିଲା । ପରେ ଅଭିଯୁକ୍ତ ଯୁବକକୁ ପୁଲିସ କାବୁ କରିଥିଲା । ଅଭିଯୁକ୍ତ ଯୁବକର ନାମ ରାଜେଶ ଭାଇ ଖିମଜୀ ଭାଇ ସାକାରିଆ (୪୧), ଘର ଗୁଜରାଟର ରାଜକୋଟ । ତାଙ୍କୁ ତୁରନ୍ତ ଗିରଫ କରାଯାଇ ହେପାଜତକୁ ନିଆଯାଇଛି । ତାଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି । ଆକ୍ରମଣ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡରେ ଲାଗିଛି ଆଘାତ । ଚେୟାର ବାଜି ଯିବାରୁ ମୁଣ୍ଡରେ ଆଘାତ ଲାଗି ଥିବା ସୂଚନା ମିଳିଛି । ଅଭିଯୁକ୍ତଙ୍କ ମାଆ ରାଜକୋଟରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ତାଙ୍କ ପୁଅ କୌଣସି ରାଜନୈତିକ ଦଳ ସହିତ ଜଡିତ ନୁହେଁ ଓ ସୁପ୍ରିମକୋର୍ଟଙ୍କ ବୁଲା କୁକୁରଙ୍କ ଉପରେ ଆଦେଶ ବିରୋଧରେ ପ୍ରତିବାଦରେ ଯୋଗ ଦେବା ପାଇଁ ଦିଲ୍ଲୀ ଯାତ୍ରା କରିଥିଲା । ସେ ତାଙ୍କୁ "କୁକୁର ପ୍ରେମୀ’ ଭାବରେ ବର୍ଣ୍ଣନା କରିଥିଲେ । ସେ କୁକୁର, ଗାଈ ଏବଂ ପକ୍ଷୀମାନଙ୍କୁ ଭଲ ପାଆନ୍ତି । ସେଥିପାଇଁ ସୁପ୍ରିମକୋର୍ଟ ଦିଲ୍ଲୀର ସମସ୍ତ ବୁଲା କୁକୁରଙ୍କୁ ଧରିବା ଉଚିତ ବୋଲି କହିବା ପରେ ସେ ବିରକ୍ତ ହୋଇଥିଲେ । ସେ ଆହୁରି କହିଛନ୍ତି, ସେ ସମ୍ପ୍ରତି ହରିଦ୍ୱାର ଯାଇଥିଲେ ଓ ପରେ ତାଙ୍କୁ ଫୋନ୍ ମାଧ୍ୟମରେ ଜଣାଇଥିଲେ ଯେ ସେ ପ୍ରତିବାଦରେ ଅଂଶଗ୍ରହଣ କରିବାକୁ ଦିଲ୍ଲୀ ଯିବେ । ମୋ ପୁଅ କୁକୁରଙ୍କୁ ଭାରି ଭଲପାଏ ବୋଲି ରାଗରେ ଏମିତି କରିଛି  । ଆମେ ଗରିବ ଲୋକ, ମୁଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛି ମୋ ପୁଅକୁ କ୍ଷମା କରି ଦିଅନ୍ତୁ ବୋଲି ତାଙ୍କ ମାଆ କହିଛନ୍ତି । ରାଜେଶ ଜଣେ ରିକ୍ସା ଚାଳକ ହୋଇଥିବା ବେଳେ ମାନସିକ ବିକୃତ ଅଛି । ରାଜେଶ ବିରୁଦ୍ଧରେ ଗୁଜରାଟରେ ପୂର୍ବରୁ ପାଞ୍ଚଟି ମାମଲା ରୁଜୁ ହୋଇଛି ।  ତିନୋଟି ମଦ ଚୋରାଚାଲାଣ ଓ ଦୁଇଟି ଆକ୍ରମଣ ସମ୍ପର୍କିତ । କିଛି ମାମଲାରେ ତାଙ୍କୁ ପରେ ନିଦେ୍ର୍ଦାଷରେ ଖଲାସ କରାଯାଇଥିଲା ବୋଲି ପୁଲିସ ଜାଣିବାକୁ ପାଇଛି ।