ଏସଆଇଆର ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଦିଦି

ଏସଆଇଆର ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଦିଦି

କୋଲକାତା : ବିହାରରେ ଏସଆଇଆର ପରେ ଦ୍ୱିତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ସମେତ ୯ଟି ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଏସଆଇଆର ପାଇଁ ଘୋଷଣା କରାଯାଇଛି । ଆଜିଠୁ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଆରମ୍ଭ ହୋଇଛି । ତେବେ ଆଜି ଏହାକୁ  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରବଳ ବିରୋଧ କରିଛନ୍ତି । ଏହାର ପ୍ରତିବାଦରେ  କୋଲକାତାର ରାଜରାସ୍ତାକୁ ଓହ୍ଲାଇଛନ୍ତି ଦିଦି । ଶତାଧିକ ସମର୍ଥକଙ୍କ ସହ ବିଶାଳ ର‍୍ୟାଲି କରିଛନ୍ତି । ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି ଯେ ଏହି ସଂଶୋଧନ ଅଭିଯାନ ନିର୍ବାଚନ କମିଶନଙ୍କୁ ହାତ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ସଂଗଠିତ ଏକ "ନିରବ, ଅଦୃଶ୍ୟ ଜାଲିଆତି’ଅଟେ । ଆସାମରେ ବିଜେପି ସରକାର ଥିବାରୁ ସେଠାରେ ଏସଆଇଆର କରାଯାଉନି ବୋଲି ସେ ଅଭିଯୋଗ କରିଛନ୍ତି ।

    ବିଜେପି ଉପରେ ତୀବ୍ର ଆକ୍ରମଣ କରି ଦିଦି କହିଛନ୍ତି, ଅନେକ ଅସଂଗଠିତ କ୍ଷେତ୍ରର କର୍ମଚାରୀ ଭାବୁଛନ୍ତି ଯେ ସେମାନଙ୍କ ନାମ କଟାଯିବ କି ? ଯିଏ ବଙ୍ଗଳାରେ କଥା ହେଉଛି ତାକୁ ବାଂଲାଦେଶୀ ବୋଲି ଚିହ୍ନଟ କରାଯାଉଛି । ଯେଉଁମାନେ ଏହି ଆରୋପ ଲଗାଉଛନ୍ତି ସେମାନେ ସ୍ୱାଧୀନତା ସଂଗ୍ରାମ ଲଢ଼ି ନାହାଁନ୍ତି । ସେତେବେଳେ ବିଜେପି କେଉଁଠି ଥିଲା ? ସେଥିପାଇଁ ସେମାନେ ଜାଣନ୍ତି ନାହିଁ ଯେ ସ୍ୱାଧୀନତା ପୂର୍ବରୁ ଭାରତ, ବାଂଲାଦେଶ ଓ ପାକିସ୍ତାନ ଗୋଟିଏ ଭୂମିର ଅଂଶ ଥିଲେ । ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ଏକ ଲୁଟେରା ଦଳ । ସେମାନେ ଅନେକ ଏଜେନ୍ସି ବ୍ୟବହାର କରୁଛନ୍ତି, ମିଛ ଖବର ଓ ଭୁଲ ସୂଚନା ପ୍ରସାର କରୁଛନ୍ତି । କିନ୍ତୁ  ଭବିଷ୍ୟତରେ ସେମାନେ ଆଉ କ୍ଷମତାରେ ରହିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଦିଦି ।

    ଏହି ଶୋଭାଯାତ୍ରା ୪ କିମି ପର୍ଯ୍ୟନ୍ତ ଯାଇଥିଲା । ଏସଆଇଆରକୁ ନେଇ ପଶ୍ଚିମବଙ୍ଗ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି । ଏହା ମଧ୍ୟରେ ୭ଜଣଙ୍କ ଜୀବନ ହାନି ହେଲାଣି ବୋଲି ଅଭିଯୋଗ କରିଛନ୍ତି ଟିଏମସିର ଜାତୀୟ ସାଧାରଣ ସଂପାଦକ ଅଭିଷେକ ବାନାର୍ଜୀ । ସେହି ଲୋକଙ୍କ ପରିବାର ସଦସ୍ୟ ଆଜିର ରାଲିରେ ଆମ ସହିତ ଉପସ୍ଥିତ ଅଛନ୍ତି । ଭୋଟର ବାଦ ଦେବା ବିରୁଦ୍ଧରେ ବିଜେପିକୁ ଚେତାବନୀ ଦେଇ ସେ ଆହୁରି ମଧ୍ୟ କହିଛନ୍ତି, ଯଦି ଜଣେ ବି ଯୋଗ୍ୟ ଭୋଟର ନାମ କଟାଯାଏ, ତେବେ ଟିଏମସି ଦିଲ୍ଲୀରେ ବଙ୍ଗଳା ଲୋକଙ୍କ ଶକ୍ତି ଦେଖିବ ବୋଲି ସେ ଚେତାବନୀ ଦେଇଛନ୍ତି ।