ବିହାର ପ୍ରଥମ ପର୍ଯ୍ୟାୟ ଭୋଟ : ରେକର୍ଡ ୬୫.୮% ମତଦାନ  

ବିହାର ପ୍ରଥମ ପର୍ଯ୍ୟାୟ ଭୋଟ :  ରେକର୍ଡ ୬୫.୮% ମତଦାନ  

ପାଟନା : ବିହାର ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ରେକର୍ଡ ଐତିହାସିକ ମତଦାନ ହୋଇଛି । ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ ୬୫.୦୮ ପ୍ରତିଶତ ହୋଇଛି । ଯାହା ରାଜ୍ୟର ଇତିହାସରେ ସର୍ବାଧିକ । ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ସଦ୍ୟତମ ଅପଡେଟ୍‌ ଅନୁଯାୟୀ ୨୦୨୦ ବିଧାନସଭା ନିର୍ବାଚନର ସମନ୍ୱିତ ମତଦାନ ପ୍ରତିଶତ ଅପେକ୍ଷା ମତଦାନ ହାର ୭.୭୯ ପ୍ରତିଶତ ଅଧିକ ରହିଛି । ସେତେବେଳେ ୫୭.୨୯ ପ୍ରତିଶତ ଭୋଟର ସେମାନଙ୍କର ମତଦାନ କରିଥିଲେ । ନିର୍ବାଚନ କମିଶନଙ୍କ ଅନୁଯାୟୀ, ଦୁଇଟି ଜିଲ୍ଲା "ମୁଜାଫରପୁର ଏବଂ ସମଷ୍ଟିପୁର’ ରେ ୭୦ ପ୍ରତିଶତରୁ ଅଧିକ ମତଦାନ ରେକର୍ଡ କରାଯାଇଛି । ମୁଜାଫରପୁରରେ ୭୧.୮୧ ପ୍ରତିଶତ ମତଦାନ ହୋଇଥିବା ବେଳେ ସମଷ୍ଟିିପୁରରେ ଏହା ୭୧.୭୪ ପ୍ରତିଶତ ରହିଛି । ନଭେମ୍ବର ୬ ତାରିଖରେ ହୋଇଥିବା ନିର୍ବାଚନରେ ମହିଳାମାନେ ବହୁ ସଂଖ୍ୟାରେ ମତଦାନ କରିଛନ୍ତି । ଅଧିକ ମତଦାନ ପ୍ରତିଶତ ରେକର୍ଡ କରିଥିବା ଅନ୍ୟ ଜିଲ୍ଲାଗୁଡ଼ିକ ହେଉଛି ମାଧେପୁରା (୬୯.୫୯), ସହରସା (୬୯.୩୮), ବୈଶାଳୀ (୬୮.୫୦) ଏବଂ ଖଗାରିଆ (୬୭.୯୦) । ପାଟନା ଜିଲ୍ଲାରେ ୫୯.୦୨ ପ୍ରତିଶତ ମତଦାନ ହୋଇଥିବା ବେଳେ ଲଖିସରାଇରେ ୬୪.୯୮ ପ୍ରତିଶତ, ମୁଙ୍ଗେରରେ ୬୨.୭୪ ଏବଂ ସିୱାନରେ ୬୦.୬୧ ପ୍ରତିଶତ ମତଦାନ ହୋଇଛି । ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାର ବାକି ୧୨୨ ଆସନ ପାଇଁ ନଭେମ୍ବର ୧୧ରେ ଭୋଟ୍‌ ହେବ । ଏହାର  ଗଣତି ଆସନ୍ତା ୧୪ ତାରିଖରେ ହେବ ।