ସୁନନ୍ଦା ପାରିଲେନି-ବିଶ୍ୱ ପାରିବେ ତ? 

ବର୍ଷ ପରେ ବର୍ଷ ବିତି ଚାଲିଛି । ବିଧାୟକ ପରେ ବିଧାୟକ ବଦଳୁଛନ୍ତି । କିନ୍ତୁ ପାଣ୍ଡୁଆ ନଦୀରେ ନିର୍ମିତ ସେତୁ ଉଦ୍ଘାଟନ ହୋଇପାରିଲାନି । ଶିଳାନ୍ୟାସ କରିଥିଲେ ପ୍ରାକ୍ତନ ବିଧାୟକ ଦେବାଶିଷ ନାୟକ । ଆଶା କରାଯାଉଥିଲା, ବିଧାୟିକା ସୁନନ୍ଦା ଦାସଙ୍କ ସମୟରେ ସେତୁ ଉଦ୍ଘାଟିତ ହେବ । କାହିଁକି ନା ବିଧାୟିକାଙ୍କ ପଞ୍ଚାୟତକୁ ନଦୀ ଦୁଇଭାଗ କରି ରଖିଥିବାରୁ ସେ ଏଦିଗରେ ତତ୍ପରତା ଦେଖାଇବେ ଏବଂ ତାଙ୍କ ସମୟରେ ହିଁ ସେତୁ ଉଦ୍ଘାଟିତ ହେବ । ବିଜେଡ଼ି ସରକାର ଅମଳରେ ଶୁଭ ପଡ଼ିଥିବା ସେତୁ ବିଜେଡ଼ି ଶାସନ ସମୟରେ ହିଁ ଉଦ୍ଘାଟିତ ହେବ ଏଭଳି ଆଶା କରିଥିଲେ ଲୋକେ । ହେଲେ ବିଜେଡ଼ି ସରକାର ଚାଲିଗଲା, ସୁନନ୍ଦା ବି ବିଧାନସଭା ଯିବାରୁ ବଞ୍ଚିତ ରହିଛନ୍ତି । ବିଜେପି ସରକାରକୁ ବିଜେଡ଼ି ବିଧାୟକ । ବିଧାୟକ ବିଶ୍ୱରଂଜନ ମଲିକ ଅଧୁରା ସେତୁ ବାବାଦରେ ଭଲଭାବେ ଅବଗତ ନୁହଁନ୍ତି ବୋଲି କୁହାଯାଇପାରିବନି । ବିଶ୍ୱ-ସୁନନ୍ଦା ଦୀର୍ଘବର୍ଷ ଧରି ସାଙ୍ଗ ହୋଇ ବରୀ ବିକାଶ କଥା ଚିନ୍ତା କରିଛନ୍ତି । ହେଲେ ସମୟକ୍ରମେ ଉଭୟ ଯେଝାବାଟରେ । ବିଜେଡ଼ି ସରକାର ଅମଳରେ ସେତୁ ନିର୍ମାଣର କଚ୍ଛପଗତି ପଛରେ କାରଣ ଯାହା ଥାଉନା କାହିଁକି, କିନ୍ତୁ ସୁନନ୍ଦା ନିଜ ପଞ୍ଚାୟତରୁ ଭିନ୍ନେ ହୋଇ ରହିଥିବା ଗାଁକୁ ଯୋଡ଼ିବାକୁ ହୋଇଥିବା ଯୋଜନାର ପୂର୍ଣ୍ଣାହୁତି ଦେଇପାରିଲେନି । ବରୀକୁ ବିକାଶପଥରେ ଆଗେଇ ନେବାର ପ୍ରତିଶ୍ରୁତି ଦେଇ ନିର୍ବାଚିତ ହୋଇଥିବା ବିଶ୍ୱ ପାଣ୍ଡୁଆ ନଦୀ ସେପାରିରେ ଥିବା ଗାଁ ଲୋକଙ୍କ ସୁବିଧା ପାଇଁ ସେତୁ ନିର୍ମାଣର ପୂର୍ଣ୍ଣଛେଦ ପକାଇପାରିବେ ତ? ।