ବିହାରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ଧର୍ମେନ୍ଦ୍ର
ଭୁବନେଶ୍ୱର : ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିବା କଂଗ୍ରେସର ଲୋକମାନେ ଆଜି ବିହାରରେ ଆରଜେଡ଼ି ସହିତ ମିଶି ‘ଭୋଟ ଚୋରି'ର ମିଛ ପ୍ରଚାର କରି ବିହାର ଓ ଦେଶର ଲୋକମାନଙ୍କୁ ଭ୍ରମିତ କରୁଛି । ଜଙ୍ଗଲରାଜ ସମୟରେ ବଞ୍ଚିତ ଓ ପୀଡିତଙ୍କ ଅଧିକାର ଚୋରି କରିଥିବା ଲୋକମାନେ ଆଜି ‘ଭୋଟ ଚୋରି'ର ମିଛ ପ୍ରଚାର କରୁଛନ୍ତି ବୋଲି ବିହାରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିହାର ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ପାଟନାରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଦ୍ୱାରା ଆୟୋଜିତ ‘ଯୁବ ସମ୍ମିଳନୀ: ୟୁଥ୍ ଅଫ୍ ବିହାର ଅ ୨୦୪୭'ରେ ଯୋଗଦେବା ସହ ଆଇଆଇଟି ପାଟନାର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ଯୋଗଦେଇଥିଲେ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ସମ୍ମୁଖରେ ‘ବିକଶିତ ଭାରତ ୨୦୪୭'ର ଲକ୍ଷ୍ୟ ରଖିଛନ୍ତି ଓ ଏହି ସ୍ୱପ୍ନ ସେତେବେଳେ ସାକାର ହେବ ଯେତେବେଳେ ବିହାର ରାଜ୍ୟର ଯୁବପିଢ଼ି ଏହାର ନେତୃତ୍ୱ ନେବେ ।
ଭାରତର ପ୍ରାଚୀନ ସଭ୍ୟତାରେ ବିହାର ଦେଶକୁ ନେତୃତ୍ୱ ଦେଇଛି । ପ୍ରଧାନମନ୍ତ୍ରୀ ମୋଦି ଏବଂ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଫଳ ନେତୃତ୍ୱରେ ବିହାର ଭାରତରେ ବିକାଶର ନୂତନ ଦିଗ ସ୍ଥାପନ କରୁଛି । ଅପରପକ୍ଷରେ ଆଇଆଇଟି ପାଟନାର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ମେଡାଲ ଓ ଡିଗ୍ରୀ ପାଇଥିବା ବିଦ୍ୟାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ପ୍ରଧାନ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ ଆଇଆଇଟି ଛାତ୍ରଛାତ୍ରୀଙ୍କ ଠାରୁ ଦେଶ ବହୁତ ଅପେକ୍ଷା ରଖିଛି । ସେ ଆହୁରି କହିଛନ୍ତି, ଯଦି ବିହାରର ବିକାଶ ହୁଏ, ତେବେ ଭାରତ ମଧ୍ୟ ବିକାଶ କରିବ । ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ଆମେ ମାତୃଭାଷାରେ ଶିକ୍ଷା ଉପରେ ଗୁରୁତ୍ୱ ଦେବା । ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ପାଟନାରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବା ସହ ବିହାରର ସର୍ବାଙ୍ଗୀନ ବିକାଶ, ଏହାର ପ୍ରାଚୀନ ଗୌରବ ଓ ବୈଭବର ପୁନରୁଦ୍ଧାର ଉପରେ ଆଲୋଚନା କରିଥିଲେ । ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ବିହାରର ଶିଳ୍ପ ମନ୍ତ୍ରୀ ନୀତୀଶ ମିଶ୍ରଙ୍କୁ ମଧ୍ୟ ଭେଟିଥିଲେ । ଆଇଆଇଟି ସମାବର୍ତ୍ତନ ସମାରୋହ ଓ ଯୁବ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ, ନିତ୍ୟାନନ୍ଦ ରାୟ ଓ ବିହାର ବିଜେପିର ରାଜ୍ୟ ସଭାପତି ଦିଲ୍ଲୀପ ଜୟଶ୍ୱାଲ ପ୍ରମୁଖ ଉପସ୍ଥିତ ଥିଲେ ।