ଓଡ଼ିଶା ସମେତ ୩ ରାଜ୍ୟକୁ ମିଳିଲା ୨୮୪ କୋଟି ଟଙ୍କାର ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ

 ଭୁବନେଶ୍ୱର :  ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ଓଡିଶା ସମେତ ତିନୋଟି ରାଜ୍ୟକୁ କେନ୍ଦ୍ର ସରକାର ପଞ୍ଚଦଶ ଅର୍ଥ ଆୟୋଗଙ୍କ ୨୮୪ କୋଟି ଟଙ୍କାର ଏକୀକୃତ ଅନୁଦାନ ଜାରି କରିଛନ୍ତି । ଗ୍ରାମୀଣ ସ୍ଥାନୀୟ ସଂସ୍ଥା ବା ଗ୍ରାମ ପଞ୍ଚାୟତ ଓ ବ୍ଲକ୍ ପଞ୍ଚାୟତ ଗୁଡିକୁ ଆର୍ଥିକ ଦୃଷ୍ଟିରୁ ସୁଦୃଢ କରିବା ଉଦେ୍ଦଶ୍ୟରେ ଏହି ଅନୁଦାନ ଜାରି କରାଯାଇଛି । ଓଡିଶାକୁ ୨୪୦.୮୧୪୯ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏହି ଅର୍ଥରାଶି ରାଜ୍ୟର ୬୦୮୫ଟି ଯୋଗ୍ୟ ଗ୍ରାମପଞ୍ଚାୟତ ଓ ୬୩ଟି ବ୍ଲକ୍ ପଞ୍ଚାୟତକୁ ଯୋଗାଇ ଦିଆଯାଇଛି । ଏହାବ୍ୟତୀତ ମିଜୋରାମକୁ ୧୪.୨୭୬୧ କୋଟି ଓ ତ୍ରିପୁରାକୁ ୨୯.୭୫ କୋଟି ଟଙ୍କାର ଅନୁଦାନ ଆବଣ୍ଟନ କରାଯାଇଛି । ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ କିସ୍ତି ଏକୀକୃତ ଅନୁଦାନର ଅଂଶବିଶେଷ ଭାବେ ଏହି ଅର୍ଥରାଶି ଦିଆଯାଇଛି ।
ଭାରତ ସରକାର ପଞ୍ଚାୟତିରାଜ ମନ୍ତ୍ରଣାଳୟ ଓ ଜଳ ଶକ୍ତି ମନ୍ତ୍ରଣାଳୟ ମାଧ୍ୟମରେ ଗ୍ରାମୀଣ ସ୍ଥାନୀୟ ସଂସ୍ଥା (ଆରଏଲବି)/ ପଞ୍ଚାୟତିରାଜ ପ୍ରତିଷ୍ଠାନ (ପିଆରଆଇ) ପାଇଁ ରାଜ୍ୟଗୁଡ଼ିକୁ ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ ଜାରି କରିବାକୁ ସୁପାରିସ କରିଥା’ନ୍ତି । ଗୋଟିଏ ବର୍ଷରେ ୨ଟି କିସ୍ତି ଆକାରରେ ଏହି ଆବଣ୍ଟିତ ଅନୁଦାନ ସୁପାରିସ ଜାରି କରାଯାଇଥାଏ । ସମ୍ବିଧାନର ଏକାଦଶ ସୂଚୀରେ ଉଲ୍ଲିଖିତ ଅଣତିରିଶ (୨୯) ବିଷୟ ଅଧୀନରେ ସ୍ଥାନ-ନିର୍ଦ୍ଦିଷ୍ଟ ଆବଶ୍ୟକତା ପାଇଁ ଆରଏଲବି / ପିଆରଆଇଗୁଡିକ ଏହି ଅନୁଦାନ ବ୍ୟବହାର କରିବେ । ମୌଳିକ ସେବା ପାଇଁ ଅନୁବନ୍ଧିତ ଅନୁଦାନଗୁଡିକ ଉପଯୋଗ କରାଯାଇପାରିବ । ଏହି ସେବାଗୁଡିକରେ ସ୍ୱଚ୍ଛତା ଓ ଖୋଲା ମଳମୁକ୍ତ ସ୍ଥିତିକୁ ବଜାୟ ରଖିବା, ଘରୋଇ ବର୍ଜ୍ୟବସ୍ତୁର ପରିଚାଳନା ଓ ଉପଚାର, ବିଶେଷ କରି ମାନବ ମଳ ଓ ପଙ୍କ ପରିଚାଳନା ସାମିଲ ରହିଛି  । ଏହାବ୍ୟତୀତ ପାନୀୟ ଜଳ ଯୋଗାଣ, ବର୍ଷାଜଳ ଅମଳ ଏବଂ ଜଳ ପୁନଃଚକ୍ରଣକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ ।