ଭାରତକୁ ସତର୍କ କରାଇଲେ ଟ୍ରମ୍ପ : ପାକ୍ ଓ ଚୀନର ଆଣବିକ ଅସ୍ତ୍ର ପରୀକ୍ଷଣ
ନୂଆଦିଲ୍ଲୀ : ପାକିସ୍ତାନ ଓ ଚୀନ ଆଣବିକ ଅସ୍ତ୍ର ପରୀକ୍ଷଣ କରୁଛନ୍ତି । ଏକ ସାକ୍ଷାତକାରରେ ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ଏକଥା କହିବା ସହ ଭାରତକୁ ପରୋକ୍ଷରେ ସତର୍କ କରାଇ ଦେଇଛନ୍ତି । କାହିଁକିନା ଉଭୟ ପାକ୍ ଓ ଚୀନ ସହ ଭାରତର ଭଲ ସମ୍ପର୍କ ନଥିବାବେଳେ ସେମାନେ ସବୁବେଳେ ଅକଳରେ ପକାଇବାକୁ ଷଡ଼ଯନ୍ତ୍ର ରଚୁଛନ୍ତି । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଟ୍ରମ୍ପ କହିଛନ୍ତିଯେ, ଋଷିଆ ଓ ଉତ୍ତର କୋରିଆ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ କରୁଛନ୍ତି ।
ସେହିପରି ପାକିସ୍ତାନ ଓ ଚୀନ୍ ମଧ୍ୟ ଆଣବିକ ଅସ୍ତ୍ର ପରୀକ୍ଷଣ କରୁଛନ୍ତି । ଭାରତ ଓ ପାକ୍ ମଧ୍ୟରେ ବଡ଼ ଆଣବିକ ଯୁଦ୍ଧର ଆଶଙ୍କା ଥିଲା । ତେବେ ସେ ବାଣିଜ୍ୟ ଓ ଟିକସ ଅସ୍ତ୍ର ପ୍ରୟୋଗ କରି ଯୁଦ୍ଧକୁ ଅଟକାଇ ଦେଇଥିଲେ । ନଚେତ୍ ଉଭୟ ଦେଶର ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରିଥା’ନ୍ତେ । ଯଦି ଭାରତ ଓ ପାକିସ୍ତାନ ଯୁଦ୍ଧ ବନ୍ଦ ନକରନ୍ତି ତେବେ ସେମାନେ ଆମେରିକା ସହ ବାଣିଜ୍ୟ କରିପାରିବେ ନାହିଁ ବୋଲି ସେ କହିଥିଲେ । ତେବେ ଟ୍ରମ୍ପଙ୍କ ଏହି ଦାବିକୁ ଭାରତ ବାରବାର ପ୍ରତ୍ୟାଖ୍ୟାନ କରିସାରିଛି । ସୂଚନାଯୋଗ୍ୟଯେ, ଭାରତ ୧୯୯୮ରୁ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ କରିନାହିଁ । ଭାରତ ‘ନୋ ଫାଷ୍ଟ ୟୁଜ୍’ ନୀତି ଆପଣାଇଛି । ଏବେବି ଆଣବିକ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ଚୀନ ଠାରୁ ଭାରତ ଢେର ପଛରେ ରହିଛି । ସେପଟେ ପାକିସ୍ତାନ ଆଣବିକ ଅସ୍ତ୍ରରେ ଭାରତ ସହ ସମକକ୍ଷ ହେବାକୁ ଉଦ୍ୟମ ଜାରି ରଖିଛି ।