ତୁଳସୀଙ୍କୁ ରାଜନାଥଙ୍କ ଅନୁରୋଧ: ୟୁଏସ୍ ରେ ଏସ୍ଏଫ୍ଜେକୁ ବ୍ୟାନ୍ କରାଯାଉ
ନୂଆଦିଲ୍ଲୀ : ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି ଆମେରିକା ଜାତୀୟ ଗୁଇନ୍ଦା ସଂସ୍ଥାର ନିଦେ୍ର୍ଦଶକ ତୁଳସୀ ଗବାର୍ଡ । ଏ ଅବସରରେ ସେ ନୂଆଦିଲ୍ଲୀ ଠାରେ ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ସାକ୍ଷାତ କରିବା ସହ ଉଭୟେ ଦୁଇଦେଶର ଦ୍ୱିପାକ୍ଷିକ ସୁରକ୍ଷା ବ୍ୟବସ୍ଥା ଓ ଭାରତ-ଆମେରିକାର ସାମଗ୍ରିକ ରଣନୀତି ବିଷୟରେ ଆଲୋଚନା କରିଥିଲେ । ଏହି ଆଲୋଚନା ମଧ୍ୟରେ ଆମେରିକାରେ ଭାରତ ବିରୋଧୀ କାର୍ଯ୍ୟକଳାପ ଚଳାଇଥିବା ନିଷିଦ୍ଧ ଖଲିସ୍ତାନୀ ଆତଙ୍କୀ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ଏଫ୍ଜେ)କୁ ବ୍ୟାନ୍ କରିବାକୁ ତୁଳସୀଙ୍କୁ ଅନୁରୋଧ କରିଛନ୍ତି ରାଜନାଥ ସିଂ । ଭାରତରେ ମୋଷ୍ଟ ୱାଣ୍ଟେଡ୍ ଥିବା ଗୁରୁ ପନ୍ତୱନ୍ତସିଂ ପନୁ ନେତୃତ୍ୱାଧୀନ ଏସ୍ଏଫ୍ଜେକୁ ବ୍ୟାନ୍ କରିବା ସହିତ ପନ୍ତୱନ୍ତ ସିଂ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ । ଏ ସମ୍ପର୍କରେ ରାଜନାଥ ସିଂ ନିଜ ଏକ୍ସ ହ୍ୟାଣ୍ଡେଲ୍ରେ ଉଲ୍ଲେଖ କରିଛନ୍ତି ଯେ, ସେ ତୁଲସୀଙ୍କୁ ଭେଟି ଅତ୍ୟନ୍ତ ଖୁସି ଏବଂ ସେମାନେ ଭାରତ-ଆମେରିକା ସହଭାଗୀତାକୁ ଆହୁରି ଗଭୀର କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ।
ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନାନୁସାରେ ରାଜନାଥ ଏବଂ ତୁଳସୀ ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶ ପାଇଁ ପ୍ରଜୁଯ୍ୟ ପ୍ରତିରକ୍ଷା ନବସୃଜନ ଏବଂ ନୂତନ ପ୍ରଯୁକ୍ତି ବିଦ୍ୟାରେ ପାରସ୍ପରିକ ସହଯୋଗ ପାଇଁ ଆଲୋଚନା କରିଥିଲେ । ଏହାସହିତ ପ୍ରତିରକ୍ଷା କ୍ଷେତ୍ରରେ ଆନ୍ତଃକାର୍ଯ୍ୟକ୍ଷମତା ବୃଦ୍ଧି ଓ ଦୁଇଦେଶରେ କିପରି ସ୍ଥିରତା ବଜାୟ ରହିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ସୂଚନାଯୋଗ୍ୟ ଆଜିର ବୈଠକ ପୂର୍ବରୁ ତୁଳସୀ ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟି ଦୁଇଦେଶର ସୁରକ୍ଷା ସମ୍ପର୍କିତ ବିଭିନ୍ନ ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନା ପରେ ତୁଳସୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ମଧ୍ୟ ସାକ୍ଷାତ କରିଥିଲେ । ଉପହାରସ୍ୱରୂପ ମୋଦି ତୁଳସୀଙ୍କୁ ଗଙ୍ଗାଜଳ ପ୍ରଦାନ କରିଥିଲେ ।
ଅପରପକ୍ଷେ ମୋଷ୍ଟୱାଣ୍ଟେଡ୍ ପନୁକୁ ହତ୍ୟା ଷଡ୍ୟନ୍ତ୍ରରେ ଭାରତର ହାତ ଥିବା ଗତବର୍ଷ ନଭେମ୍ବରରେ ଆମେରିକାର ନ୍ୟାୟ ବିଭାଗ ଅଭିଯୋଗ କରିଥିଲା । ଏଥିରେ ନିଖିଲ ଗୁପ୍ତା ନାମକ ଜଣେ ଭାରତୀୟଙ୍କ ହାତ ରହିଛି ଓ ସମ୍ପୃକ୍ତ ବ୍ୟକ୍ତି ଜଣକ ଭାରତର ଗୁଇନ୍ଦା ସଂସ୍ଥା ‘ର’ର ଏଜେଣ୍ଟ ଭାବେ ଚିହ୍ନଟ କରାଯାଇଥିଲା ବୋଲି ଆମେରିକା ଅଭିଯୋଗ କରିଥିଲା । ଯିଏ ପନୁକୁ ହତ୍ୟା କରିବା ପାଇଁ ଜଣେ କଣ୍ଟ୍ରାକ୍ଟ କିଲର୍ଙ୍କୁ ବାଛିଥିଲା । କିନ୍ତୁ ଏଭଳି ଅଭିଯୋଗକୁ ଭାରତ ସମ୍ପୂର୍ଣ୍ଣ ଅସ୍ୱୀକାର କରିବା ସହ ଏହାର ଏ ଘଟଣାର ତଦନ୍ତ ଚାଲିଥିବା କହିଛି ।