ଭୁଶୁଡୁଛି ଲାଲଦୁର୍ଗ : ଗୋଲାପ ଧରିଲେ ୨୧୦ ମାଓବାଦୀ

ଭୁଶୁଡୁଛି ଲାଲଦୁର୍ଗ : ଗୋଲାପ ଧରିଲେ ୨୧୦ ମାଓବାଦୀ

ବସ୍ତରରେ ଶାନ୍ତି ଓ ବିକାଶର ନୂତନ ଯୁଗ ଆରମ୍ଭ
 

   ରାୟପୁର : ଭୁଶୁଡିବାରେ ଲାଗିଛି ଲାଲଦୁର୍ଗ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଚରମ ବାଣୀ ମାଓ ଶିବିରରେ ଆତଙ୍କ ଖେଳାଇଛି । ହିଂସାର ପଥ ଛାଡ ନଚେତ ସେନାବାହିନୀର ଗୁଳିକୁ ମୁକାବିଲା କର ଚେତାବନୀ ପରେ କିଛି ଦିନ ହେଲା ଅନେକ ସଂଖ୍ୟାରେ ମାଓବାଦୀ ଆତ୍ମସମର୍ପଣ କରିବାରେ ଲାଗିଛନ୍ତି । ଆଜି ଗୋଟିଏ ଦିନରେ ସର୍ବାଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ରାୟପୁରରୁ ପ୍ରାୟ ୩୦୦ କିଲୋମିଟର ଦକ୍ଷିଣରେ ଜଗଦଲପୁର (ବସ୍ତର ଜିଲ୍ଲା) ରେ ଥିବା ରିଜର୍ଭ ପୁଲିସ ଲାଇନରେ ୧୧୦ ମହିଳା ନକ୍ସଲ ସମେତ ୨୧୦ ଜଣ କ୍ୟାଡର ମାଓବାଦୀ ଅସ୍ତ୍ର ତ୍ୟାଗ କରିଛନ୍ତି । ଏହି ଘଟଣା ଛତିଶଗଡ଼ରେ ନିଷିଦ୍ଧ ସଂଗଠନ ସିପିଆଇ (ମାଓବାଦୀ) ଆନ୍ଦୋଳନକୁ ଏକ ବଡ଼ ଝଟକା ଦେଇଛି । ବସ୍ତରରେ ଶାନ୍ତି ଓ ବିକାଶର ନୂତନ ଯୁଗ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଏକ ମିଶନରେ ନକ୍ସଲବାଦକୁ ନିପାତ କରିବା ଦିଗରେ ଏହା ଏକ ଐତିହାସିକ ସଫଳତା ବୋଲି ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ କହିଛନ୍ତି ।

   ବରିଷ୍ଠ ନକ୍ସଲ ନେତା ରୂପେଶଙ୍କ ନେତୃତ୍ୱରେ ଆତ୍ମସମର୍ପଣ କରିଥିବା ଲାଲ ବିଦ୍ରୋହୀମାନେ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସହିତ ଏକେ-୪୭ ରାଇଫଲ୍‌, ଇନସାସ ଆସଲ୍ଟ ରାଇଫଲ୍‌, ସେଲ୍ଫ-ଲୋଡିଂ ରାଇଫଲ୍‌ (ଏସଏଲଆର), ବ୍ୟାରେଲ ଗ୍ରେନେଡ୍‌ ଲଞ୍ଚର୍‌ (ବିଜିଏଲ) ସମେତ ୧୫୩ଟି ଅସ୍ତ୍ରଶସ୍ତ୍ର ମଧ୍ୟ ଜମା କରିଛନ୍ତି ।

    ବସରେ ପହଞ୍ଚିବା ପରେ ସେମାନଙ୍କୁ ସଭାସ୍ଥଳରେ ଏକ ପ୍ରତୀକାତ୍ମକ ଲାଲ କାର୍ପେଟରେ ସ୍ୱାଗତ କରାଯାଇଥିଲା । ପ୍ରତ୍ୟେକଙ୍କୁ ଭାରତୀୟ ସମ୍ବିଧାନର ଏକ କପି ଓ ମଞ୍ଚ ଉପରେ ଏକ ଆନୁଷ୍ଠାନିକ ସମାରୋହ ‘ପୁନା ମାର୍ଗେମ୍‌' ଅଧୀନରେ ଗୋଲାପ ଫୁଲ ଦିଆଯାଇଥିଲା । ଯାହା ମାଓ କ୍ୟାଡରମାନଙ୍କୁ ସମାଜର ମୁଖ୍ୟଧାରାରେ ପୁନର୍ବାର ଯୋଗଦାନ କରିବାର ସୂଚାଇଥାଏ । ସରକାରଙ୍କ ବ୍ୟାପକ ନକ୍ସଲ ନିରାକରଣ ନୀତି ଯୋଗୁଁ ଦଣ୍ଡକାରଣ୍ୟ ଅଞ୍ଚଳର ୨୧୦ ଜଣ କ୍ୟାଡର, ଯେଉଁଥିରେ ବରିଷ୍ଠ ମାଓ ନେତା ମଧ୍ୟ ସାମିଲ ଅଛନ୍ତି, ହିଂସାର ପଥ ପରିତ୍ୟାଗ କରି ସାମାଜିକ ମୁଖ୍ୟସ୍ରୋତକୁ ଫେରି ଆସିଛନ୍ତି ବୋଲି ଜଣେ ଅଧିକାରୀମାନେ କହିଛନ୍ତି । ଶାନ୍ତି, ଆଲୋଚନା ଓ ବିକାଶ ଉପରେ କେନ୍ଦ୍ରିତ ନିରନ୍ତର ପ୍ରୟାସ ଅନେକ ମାଓ କର୍ମୀଙ୍କୁ ଏକ ମର୍ଯ୍ୟାଦାପୂର୍ଣ୍ଣ ଏବଂ ସମନ୍ୱିତ ଜୀବନ ଗ୍ରହଣ କରିବାକୁ ପ୍ରେରଣା ଦେଇଛି । ସେମାନେ ଆହୁରି କହିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତକାଲି ଏହି ଅବସରରେ ନକ୍ସଲବାଦ ବିରୋଧରେ ଲଢେଇରେ ଏକ ବଡ଼ ସଫଳତା ଭାବରେ ପ୍ରଶଂସା କରିଥିଲେ ।