ଭୋଟ ଗଣତି ନିୟମରେ ସଂଶୋଧନ ଚୂଡ଼ାନ୍ତ ଇଭିଏମ ପୂର୍ବରୁ ସରିବ ପୋଷ୍ଟାଲ ବାଲଟ ଗଣତି
ନୂଆଦିଲ୍ଲୀ: ଭୋଟ ଗଣତି ନିୟମରେ ସଂଶୋଧନ ଆଣିଛନ୍ତି ନିର୍ବାଚନ କମିଶନ । ଏଣିକି ଚୂଡାନ୍ତ ଇଭିଏମ ରାଉଣ୍ଡ ପୂର୍ବରୁ ପୋଷ୍ଟାଲ ବାଲଟ ଗଣତି ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି । ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ଦେଶର ନିର୍ବାଚନ ପ୍ରକ୍ରିୟାକୁ ସୁଗମ ଓ ସ୍ୱଚ୍ଛ କରିବା ପାଇଁ ପୋଷ୍ଟାଲ୍ ବାଲଟ୍ ଗଣନା ପାଇଁ ଏକ ନୂତନ ସମୟ ସ୍ଲଟ୍ ପ୍ରଚଳନ କରି ଏହାର ୩୦ତମ ପ୍ରମୁଖ ପଦକ୍ଷେପ ଘୋଷଣା କରିଛନ୍ତି ।
ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ) ଓ ଭୋଟର ଯାଞ୍ଚଯୋଗ୍ୟ ପେପର୍ ଅଡିଟ୍ ଟ୍ରେଲ୍ (ଭିଭିପାଟ) ଭୋଟ ଗଣନାର ଉପାନ୍ତ (ଦ୍ୱିତୀୟ-ଶେଷ) ପର୍ଯ୍ୟାୟ ପୂର୍ବରୁ ପୋଷ୍ଟାଲ୍ ବାଲଟ୍ ଗଣନା ସମାପ୍ତ କରିବା ପାଇଁ ରିଟର୍ଣ୍ଣିଂ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଜାରି କରାଯାଇଛି । ୮୫ ବର୍ଷ ଓ ତଦୁର୍ଦ୍ଧ୍ୱ ବୟସର ବ୍ୟକ୍ତି ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଘରେ ଭୋଟିଂ ବ୍ୟବସ୍ଥା କରିବା ପାଇଁ ସମ୍ପ୍ରତି ଇସିଆଇ ପଦକ୍ଷେପ ପରେ ପୋଷ୍ଟାଲ୍ ବାଲଟ୍ରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ଅଧିକାରୀମାନେ ବ୍ୟାଖ୍ୟା କରିଛନ୍ତି ଯେ ଏହି ପଦକ୍ଷେପ ଗଣନା ପ୍ରକ୍ରିୟା ସମୟରେ ସମାନତା ସୁନିଶ୍ଚିତ କରିବା, ବିଳମ୍ବ ହ୍ରାସ କରିବା ଓ ସ୍ୱଚ୍ଛତା ବୃଦ୍ଧି କରିବା ଲକ୍ଷ୍ୟ ରଖିଛି । ରିଟର୍ଣ୍ଣିଂ ଅଧିକାରୀମାନଙ୍କୁ ମଧ୍ୟ ପର୍ଯ୍ୟାପ୍ତ ଗଣନା ଟେବୁଲ ଓ କର୍ମଚାରୀ ନିୟୋଜିତ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ବିଶେଷକରି ଅଧିକ ସଂଖ୍ୟକ ପୋଷ୍ଟାଲ୍ ବାଲଟ୍ ଥିବା ନିର୍ବାଚନମଣ୍ଡଳୀରେ କୌଣସି ବିଳମ୍ବକୁ ଏଡାଇବା ପାଇଁ ଏହି ନିଦେ୍ର୍ଦଶ ଦିଆଯାଇଛି । ବର୍ତ୍ତମାନର ନିୟମ ଅନୁଯାୟୀ ଭୋଟ ଗଣନା ଦିନ ସକାଳ ୮ଟାରେ ପୋଷ୍ଟାଲ୍ ବାଲଟ୍ ଗଣନା ଆରମ୍ଭ ହୁଏ, ତା’ପରେ ସକାଳ ୮:୩୦ରେ ଇଭିଏମ ଗଣନା ହୁଏ । ଯଦିଓ ପୋଷ୍ଟାଲ୍ ବାଲଟ୍ ଗଣନା ସାଧାରଣତଃ ଇଭିଏମ ଗଣନା ପୂର୍ବରୁ ସମାପ୍ତ ହୁଏ, ଏହି ନୂତନ ନିଦେ୍ର୍ଦଶନାମା ବିସଙ୍ଗତିକୁ ଏଡାଇବା ଓ ସ୍ପଷ୍ଟତା ସୁନିଶ୍ଚିତ କରିବା ପାଇଁ ପ୍ରକ୍ରିୟାଗୁଡ଼ିକୁ ଆନୁଷ୍ଠାନିକ ଭାବରେ ଏକୀକୃତ କରେ ବୋଲି ଅଧିକାରୀ ଜଣକ କହିଛନ୍ତି ।
ଭାରତର ନିର୍ବାଚନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଇସିଆଇ ଦ୍ୱାରା ପ୍ରଚଳିତ ନିର୍ବାଚନୀ ସଂସ୍କାରର ଏକ କ୍ରମରେ ଏହି ପଦକ୍ଷେପ ସର୍ବଶେଷ । ଗତ ଛଅ ମାସ ମଧ୍ୟରେ କମିଶନ ୨୯ଟି ପ୍ରମୁଖ ପଦକ୍ଷେପ କାର୍ଯ୍ୟକାରୀ କରିଛନ୍ତି ।