ବଢୁଛି ଯୌନ ବିଶୃଙ୍ଖଳା
ଗତ କିଛି ମାସ ହେଲା ଓଡ଼ିଶାରେ ଉତ୍ସୃଙ୍ଖଳ ଯୌନ ଜୀବନ ସମ୍ପର୍କିତ ଅପରାଧଗୁଡ଼ିକର ସଂଖ୍ୟା ବଢୁଥିବାର ଦେଖିବାକୁ ମିଳୁଛି । ଏବେ ଭାରତରେ ସମାଜ ମୁଖ୍ୟତଃ ଧର୍ମ ଆଧାରିତ ଏବଂ ନୈତିକତାଭିତ୍ତିକ । ଏଭଳି ଏକ ସମାଜରେ ବିଶୃଙ୍ଖଳିତ ଯୌନ ଆଚରଣ ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଇବା ଅତ୍ୟନ୍ତ ଉଦ୍ବେଗର ବିଷୟ । ସମାଜରେ ଯୌନ ଉତ୍ସୃଙ୍ଖଳତାର ଇତିହାସ ଓ କ୍ରମବିକାଶକୁ ମଧ୍ୟ ଲକ୍ଷ୍ୟ କରାଯିବା ଆବଶ୍ୟକ । ଭାରତରେ ନଗ୍ନତା, ଶରୀରର ଗୋପନୀୟ ଅଙ୍ଗ ପ୍ରଦର୍ଶନ ଆଦିକୁ ନେଇ ସରକାରୀ କଟକଣା ଲଗାଯିବାର ଇତିହାସ ବହୁ ପୁରୁଣା । ଇଷ୍ଟ୍ ଇଣ୍ଡିଆ କମ୍ପାନୀ ଭାରତରେ ଶାସନ କରିବା ସମୟରେ ପ୍ରାୟ ୧୭୯୮ମସିହାରେ ଅଶ୍ଳୀଳତାକୁ ରୋକିବା ପାଇଁ ସେନସର୍ସିପ୍ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ୧୭୯୯ ମସିହାରେ ସମ୍ବାଦପତ୍ରଗୁଡ଼ିକ ପାଇଁ ଅଶ୍ଳୀଳତା ବିରୋଧୀ ଏକ ଆଇନ୍ ପ୍ରଣୟନ ହେଲା । ୧୯୨୦ ମସିହାରେ ସିନେମାଟୋଗ୍ରାଫ୍ ଆକ୍ଟ ପ୍ରଣୟନ ହେଲା । ଦେଶ ସ୍ୱାଧୀନ ହେବା ପରେ ୧୯୫୨ ମସିହାରେ ସିନେମାଟୋଗ୍ରାଫ୍ ଆକ୍ଟକୁ ସଂଶୋଧନ କରାଗଲା । ୧୯୮୩ ମସିହାରେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ୍ ଗଠନ କରାଗଲା । ଏସବୁ ଆଲୋଚନା କରିବାର ଉଦେ୍ଦଶ୍ୟ ହେଲା ସମ୍ବାଦପତ୍ର ଏବଂ ଚଳଚ୍ଚିତ୍ରଗୁଡ଼ିକରୁ ଅଶ୍ଳୀଳତାକୁ ଦୂର କରିବା ।
୧୯୬୦ ଦଶକ ପର୍ଯ୍ୟନ୍ତ ଚଳଚ୍ଚିତ୍ର, ନାଟକ, ମଞ୍ଚ ନାଟକ ଆଦିରେ ମହିଳାମାନେ ଅଂଶଗ୍ରହଣ କରୁନଥିଲେ । ପୁରୁଷମାନେ ନାରୀ ବେଶରେ ନାରୀ ଚରିତ୍ରଗୁଡ଼ିକରେ ଅଭିନୟ କରୁଥିଲେ । ସମୟ ଆଗକୁ ବଢ଼ିବା ସହିତ ଚଳଚ୍ଚିତ୍ର ଶିଳ୍ପରେ ନାରୀର ବସ୍ତ୍ର ଗୋଡ଼ର ମଣିବନ୍ଧ ପାଖରୁ ଉପରକୁ ଉଠି ଉଠି ଆସ ଜଙ୍ଘ ପାଖରେ ପହଞ୍ଚିଗଲାଣି । ଅଶ୍ଳୀଳତାର କ୍ରମବିକାଶରେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ୍ର ମଧ୍ୟ ଭୂମିକା ରହିଛି । ଦିନ ଥିଲା ଆଣ୍ଠୁ ଉପରକୁ ଲୁଗା ଉଠିଗଲେ ତାକୁ ଅଶ୍ଳୀଳ କହି ଚଳଚ୍ଚିତ୍ରକୁ ପ୍ରଦର୍ଶନ ନିମିତ୍ତ ପ୍ରମାଣପତ୍ର ଦିଆଯାଉନଥିଲା । ପରବର୍ତ୍ତୀ ସମୟରେ ଶତକଡ଼ା ୯୫ ଭାଗ ପର୍ଯ୍ୟନ୍ତ ଉଲଗ୍ନ ହୋଇ ନାରୀକୁ ପରଦାରେ ପ୍ରଦର୍ଶନ କରାଗଲେ ମଧ୍ୟ ତାହା ପ୍ରଦର୍ଶନ ଯୋଗ୍ୟ ପ୍ରମାଣପତ୍ର ପାଇଲା । କହିବାକୁ ଗଲେ ସମାଜରେ ଅଶ୍ଳୀଳତାର ମଞ୍ଜି ପୋତିଛି ଚଳଚ୍ଚିତ୍ର । ତାହା ସହିତ ଅପେରା, ଯାତ୍ରା ଆଦି ପାରମ୍ପରିକ ଗଣମାଧ୍ୟମଗୁଡ଼ିକରେ ଅଶ୍ଳୀଳତା ଯୋଡ଼ି ହୋଇଗଲା । ଅଶ୍ଳୀଳତାର ଅର୍ଥ କେବଳ ଦେହ ଦେଖାଇବା ନୁହେଁ । ବସ୍ତ୍ର ଦ୍ୱାରା ଆବୃତ୍ତ ହୋଇ ମଧ୍ୟ ଯଦି ତାହା ଯୌନ ଉଦ୍ଦୀପକ ହେଉଥିବ ତାହା ମଧ୍ୟ ଅଶ୍ଳୀଳତାର ଅନ୍ତର୍ଗତ ହେବ । ବର୍ତ୍ତମାନ ୫ଜି ଯୁଗରେ ଶତକଡ଼ା ୮୦ ଭାଗ ଲୋକଙ୍କ ହାତରେ ଆଣ୍ଡ୍ରଏଡ୍ ମୋବାଇଲ୍ ରହିଛି । ଏହି ମୋବାଇଲ୍ଗୁଡ଼ିକରେ ଗଣ୍ଡା ଗଣ୍ଡା ଆପ୍ ଅଶ୍ଳୀଳତାର ପ୍ରଚାର କରି ବିପୁଳ ଅର୍ଥ ରୋଜଗାର କରୁଛନ୍ତି । ତେଣୁ ଦେଖିବାକୁ ଗଲେ ଯୌନ ବିଶୃଙ୍ଖଳତା ପାଇଁ ମୋବାଇଲ୍ଗୁଡ଼ିକ ଅଧିକ ମାତ୍ରାରେ ଦାୟୀ ହେଲେ ମଧ୍ୟ ଚଳଚ୍ଚିତ୍ରରୁ ହିଁ ଏହାର ଆରମ୍ଭ । ମନସ୍ତତ୍ତ୍ୱବିତ୍ମାନଙ୍କ ମତରେ କିଶୋର ବୟସ ହିଁ ମଣିଷର ସବୁଠାରୁ ସମ୍ବେଦନଶୀଳ ସମୟ । ଏହି ସମୟରେ ଯୌନଗ୍ରନ୍ଥୀର ବୃଦ୍ଧି, ଯୌନ ଚେତନା ସମ୍ପର୍କିତ ବିଭିନ୍ନ ପ୍ରକାରର ଚିନ୍ତାଧାରା ଉଭୟ ପୁଅ ଓ ଝିଅଙ୍କ ମନ ଭିତରକୁ ଆସେ । ଏହି ସମୟରେ ଯଦି ସେମାନଙ୍କ ମନରୁ ଯୌନ ଚିନ୍ତାଧାରାକୁ ବାହାର କରିବା ନିମିତ୍ତ ପରାମର୍ଶ ତଥା ଉପଦେଶ ଦିଆନଯାଏ, ଯୌବନରେ ପଦାର୍ପଣ କରିବା ପରେ ସେମାନେ ବିଭିନ୍ନ ଯୌନ ଅପରାଧୀ ହେବାର ସମ୍ଭାବନା ବଢ଼ିଯାଏ ।
ବାସ୍ତବ କ୍ଷେତ୍ରରେ ଯୌନ ଚେତନା ହେଉଛି ମଣିଷର ଏକ ଅତ୍ୟନ୍ତ ଶକ୍ତିଶାଳୀ ଚେତନା । ଏହାକୁ ଅବଦମିତ କରିବାକୁ ଚେଷ୍ଟା କରାଗଲେ ବ୍ୟକ୍ତି କୁପଥରେ ପରିଚାଳିତ ହୁଏ । ଯୌନ ଚେତନାକୁ ଏକ ଶାରୀରିକ ପ୍ରକି୍ରୟା ଭାବରେ ବୁଝାଇ ଦିଆଯାଇ ଏହାକୁ ଶାରୀରିକ ସୁଖ ଠାରୁ ଅଲଗା ବୋଲି ଚେତାଇ ଦିଆଗଲେ ସମାଜରୁ ଯୌନ ବିଶୃଙ୍ଖଳା ଘଟଣାଗୁଡ଼ିକୁ ବହୁମାତ୍ରାରେ କମେଇ ଦିଆଯାଇପାରିବ ।