ମହାନଦୀ ବଞ୍ଚାଅ ଆନ୍ଦୋଳନ, ଦିଲ୍ଲୀରେ ବସିଲା ମହାନଦୀ ସଂସଦ 

ମହାନଦୀ ବଞ୍ଚାଅ ଆନ୍ଦୋଳନ, ଦିଲ୍ଲୀରେ ବସିଲା ମହାନଦୀ ସଂସଦ 

       ଜଳ ବିବାଦ ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବା ଉଚିତ:ଜଷ୍ଟିସ ଗୋପାଳ ଗୌଡ଼

ଭୁବନେଶ୍ୱର : ମହାନଦୀ ଜଳକୁ ନେଇ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବା ଆବଶ୍ୟକ । ଟ୍ରିବୁନାଲ ନୁହେଁ, ମଧ୍ୟସ୍ଥତା ମାଧ୍ୟମରେ ସମାଧାନ ହେବା ଆବଶ୍ୟକ ବୋଲି ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ତଥା ଓଡିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାର ପତି ଜଷ୍ଟିସ୍‌ ଗୋପାଳ ଗୌଡା କହିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାରଙ୍କ ଦ୍ୱାରା ମାର୍ଚ୍ଚ ୨୦୧୮ରେ ପ୍ରତିଷ୍ଠିତ ମହାନଦୀ ଟ୍ରିବ୍ୟୁନାଲ  ବିବାଦର ସମାଧାନ ଦିଗରେ ଏ ପର୍ଯ୍ୟନ୍ତ କିଛି ପ୍ରଗତି ହୋଇନି । କାବେରୀ ସହ ଅନ୍ୟାନ୍ୟ ନଦୀ ବିବାଦର ଉଦାହରଣ ଦେଇ ଜଷ୍ଟିସ୍‌ ଗୌଡା କହିଛନ୍ତି ଯେ ଜଳ ବିବାଦର ବିଚାର ବର୍ଷ ବର୍ଷ ଧରି ଚାଲିପାରେ। ମଧ୍ୟସ୍ଥତା ମାର୍ଗରେ ଗଲେ  ଦ୍ରୁତ ସମାଧାନ ପ୍ରଦାନ ହୋଇ ପାରିବ ଏବଂ ଉଭୟ ପକ୍ଷଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ । ବର୍ତ୍ତମାନ ଓଡିଶା, ଛତିଶଗଡ ଓ଼ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ସରକାର ତେଣୁ, ମଧ୍ୟସ୍ଥତା ମାଧ୍ୟମରେ ସମାଧାନର ସମ୍ଭାବନା ଅଧିକ ହୋଇପାରେ । ମହାନଦୀ ବଞ୍ଚାଓ ଆନ୍ଦୋଳନ ଏହି ନଦୀ ସହିତ ଜଡିତ ଲୋକଙ୍କ ଅଧିକାର ପାଇଁ ଆନ୍ଦୋଳନର ନେତୃତ୍ୱ ନେଇ ଆସୁଛି । ଏକ ବିକଳ୍ପ ବିବାଦ ସମାଧାନ ପାଇଁ ଅନୁଷ୍ଠିତ ମହାନଦୀ ସଂସଦରେ  ବହୁ ଆଇନଜୀବୀ,ରାଜନେତା, ଆଇନ ପ୍ରଣେତା, ଚିନ୍ତାନାୟକ, ପୂର୍ବତନ ପ୍ରଶାସନ ଏବଂ ନାଗରିକ ସମାଜ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ରାଜ୍ୟସଭା ସାଂସଦ ଏବଂ ସଂସଦର ପିଟିସନ୍‌ କମିଟିର ଅଧ୍ୟକ୍ଷ ଏନ ଡି ଗୁପ୍ତା କର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ ମହାନଦୀ ପ୍ରସଙ୍ଗକୁ ଏକ ଛୋଟ ଜଳ ବିବାଦ ଭାବରେ ବିଚାର କରାଯିବା ଅନୁଚିତ୍‌ । ଏହାର ପ୍ରଭାବ ବହୁତ ବ୍ୟାପକ ଏବଂ ଏହାର ସମାଧାନ ଆନ୍ତରାଜ୍ୟ ଜଳ ବିବାଦର ସମାଧାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ ।

ଜଳ ପୁରୁଷ ରାଜେନ୍ଦ୍ର ସିଂ କହିଛନ୍ତି ମହାନଦୀ ଆମ ମା’ ସଦୃଶ । ମାକୁ ପଣ୍ୟ ବସ୍ତୁ ଭଳି ବିକ୍ରି କରିବାର ମାନସିକତା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ମହାନଦୀକୁ ମାତ୍ର ୩୦/୩୫ଟି କର୍ପୋରେଟ ପରିବାର ନିଜ ଲାଭ ପାଇଁ ବ୍ୟବହାର କରି ୫ କୋଟି ଲୋକଙ୍କୁ ମରଣ ମୁହଁକୁ ଠେଲୁଛନ୍ତି ଓ଼ ଭୟାନକ ପରିବେଶ ଅସନ୍ତୁଳନକୁ ଡାକି ଆଣୁଛନ୍ତି । ସରକାର କର୍ପୋରେଟ ପ୍ରୀତି ଛାଡି ଲୋକଙ୍କ ପ୍ରୀତ ପାଇଁ କାର୍ଯ୍ୟ କରିବା ଉଚିତ । ମହାନଦୀ ବଚାଓ ଆନ୍‌ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି ଯେ ସଂସଦ ଏହି ବିବାଦର ଶୀଘ୍ର ସମାଧାନ ପାଇଁ ବହୁମୁଖୀ ରଣନୀତି ଗ୍ରହଣ କରିବାକୁ ସଂକଳ୍ପ ନେଇଛି । ଯାହା ଦ୍ୱାରା ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କ ସ୍ୱାର୍ଥ ରକ୍ଷା ହୋଇପାରିବ । ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଏଥିରେ ଯୋଗ ଦେଇ ମହାନଦୀର ସୁରକ୍ଷା ପାଇଁ ଆନ୍ଦୋଳନକୁ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ନେବାକୁ ଆହ୍ୱାନ ଦେଇଥିଲେ ।