ପିତୃତ୍ୱର ବିଡ଼ମ୍ବନା
“ପିତା ଧର୍ମଃ ପିତା ସ୍ୱର୍ଗଃ ପିତା ହି ପରମଂ ତପଃ
ପିତରି ପ୍ରୀତିମାପନ୍ନେ ପ୍ରୀୟନ୍ତେ ସର୍ବଦେବତାଃ ।”
ମୀରା ବେଉରା : ମା’ ସିନା ସନ୍ତାନକୁ ଦଶ ମାସ ଦଶଦିନ ଗର୍ଭରେ ଧରି ନିଜର ରକ୍ତ, ମାଂସ, ମେଦକୁ ଭାଙ୍ଗି ସନ୍ତାନକୁ ସୃଷ୍ଟି କରେ ହେଲେ ପିତା ସେହି ସନ୍ତାନକୁ ପ୍ରତିପୋଷଣ କରେ । ନିଜ ସନ୍ତାନକୁ ପ୍ରତିପାଳନ ପାଇଁ ମୁଣ୍ଡ ଝାଳ ତୁଣ୍ଡେ ମାରି ପିଲାଙ୍କୁ ମଣିଷ କରେ । ମା’ ସ୍ନେହ, ଶ୍ରଦ୍ଧା, ପ୍ରେମ, ନିଷ୍ଠା ଦେଇ ସନ୍ତାନକୁ ଜନ୍ମ ଦିଏ ସିନା ହେଲେ ପିତା ସନ୍ତାନକୁ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରେ । ସନ୍ତାନର ଜୀବନର ପ୍ରତ୍ୟେକ ସ୍ତରରେ ଯେଉଁ ବାଧା, ବିପତ୍ତି, କଷ୍ଟ, ଯନ୍ତ୍ରଣା, ଆସେ ସବୁ ପ୍ରତିକୂଳ ପରିସ୍ଥିତିିକୁ ଲଢ଼ିବା ପାଇଁ ବାପା ସାହସ ଦେଇଥାନ୍ତି । ସେ ସନ୍ତାନର ପାଳନକର୍ତ୍ତା । କୌଣସି ବାପା କେବେ ଚାହାଁନ୍ତିନି ତାଙ୍କ ସନ୍ତାନ କୌଣସି କ୍ଷେତ୍ରରେ ହାରିଯାଉ ।
ଜୀବନ ଯୁଦ୍ଧରେ ଜିତିବାପାଇଁ ପିତା ପ୍ରତି କ୍ଷେତ୍ରରେ ସନ୍ତାନର କାନେକାନେ ସାହସର ମନ୍ତ୍ର ଫୁଙ୍କିଥାନ୍ତି । ତାଙ୍କ ଆଶୀର୍ବାଦରେ ପର୍ବତରେ ମଧ୍ୟ କଇଁ ଫୁଟିପାରେ, ଅସମ୍ଭବ ସବୁ ସମ୍ଭବରେ ପରିଣତ ହୁଏ । ସବୁ ମହାପୁରୁଷଙ୍କ ଆଦର୍ଶର ଦ୍ୱାହି ଦେଇ ବାପା ଜୀବନ ଗଢ଼ନ୍ତି । ବିପଦରେ କିଭଳି ଧୈର୍ଯ୍ୟ ଧରି ସଫଳତାକୁ ପ୍ରାପ୍ତ କରାଯାଇପାରିବ ତାହା ବାପା ହିଁ କୁହନ୍ତି । ଯିଏ ନିଜ ସୁଖକୁ ପ୍ରତିମୂହୂର୍ତ୍ତରେ ବଳି ପକାଇ ସନ୍ତାନର ସୁଖ ପାଇଁ ସଦା ଚେଷ୍ଟିତ ହୁଏ ସେ ହେଉଛି ବାପା । ବାପା ଗୋଟିଏ ଘରର ଛାତ । ମା’ ଯଦି ଧରିତ୍ରୀ ହୁଏ ପିତା ସ୍ୱର୍ଗ, ଆକାଶଠାରୁ ଆହୁରି ବିଶାଳ । ସବୁ ଦୁଃଖ ଯାତନା ଭୁଲିଯିବା ପାଇଁ ପିତା ସନ୍ତାନକୁ ପଡ଼ୁ ପଡ଼ୁ ଭୂମିରୁ ଉଠାଇ ମନରେ ସାହସ ବାନ୍ଧି ଦିଅନ୍ତି । ବାପା ଥିବା ପୁଅ ସଭାରେ ହାରେନା- ଏହା ନିଶ୍ଚିତ ସତ । ପିତାର ଛତ୍ରଛାୟା ତଳେ ସନ୍ତାନ ନିର୍ବିଘ୍ନରେ ଆଶ୍ରୟ ନେଇ ଶାନ୍ତିଲାଭ କରେ । ସୁରକ୍ଷାର କବଚ ପିତା । ନିଜେ ଦୁଃଖକଷ୍ଟକୁ ସାଉଁଟି ନେଇ ସନ୍ତାନ ମୁଖରେ ହସଫୁଟାନ୍ତି ବାପା । ଏ ପୃଥିବୀରେ ବାପା ଏକୁଟିଆ ଲୋକ ଯିଏକି ସନ୍ତାନର ଉନ୍ନତିର ପ୍ରଗତିରେ ଈର୍ଷାନ୍ୱିତ ନ ହୋଇ ଖୁସିରେ ଗଦ୍ଗଦ୍ ହୋଇଯାଆନ୍ତି । ସନ୍ତାନ ମନରେ ସବୁବେଳେ ଉଚ୍ଚ ଆଶାଆକାଂକ୍ଷାର ବୀଜରୋପଣ କରି ଅପାର ଆନନ୍ଦ ଲାଭ କରନ୍ତି ବାପା । ସେ କୌଣସି ବ୍ୟକ୍ତି ନୁହଁ, ସେ ବିଶାଳ ବ୍ୟକ୍ତିତ୍ୱ । ବାପାଙ୍କ ହୃଦୟର ବିଶାଳତା ଓ ମନର ଗଭୀରତା ହିମାଳୟଠାରୁ ଆହୁରି ବୃହତ୍ । ତାଙ୍କ ବ୍ୟକ୍ତିତ୍ୱକୁ ସାଧାରଣ ତରାଜୁରେ ମାପିବା ଏତେ ସହଜ ନୁହେଁ ।
ଯଦି ଆମେ ବୈଦିକ ଯୁଗର ସାମାଜିକ ଜୀବନକୁ ଦେଖିବା ଏବଂ ପିତାର ସ୍ଥାନକୁ ନିରୂପଣ କରିବା ତେବେ ଦେଖାଯାଇଛି ଆର୍ଯ୍ୟମାନଙ୍କର ପରିବାର ଥିଲା ପିତୃକୈନ୍ଦ୍ରିକ । ପିତା ଥିଲେ ପରିବାରର ମୁଖ୍ୟ । ତାଙ୍କୁ କୁଳପତି ଅଥବା ଗୃହପତି ଅଭିହିତ କରାଯାଉଥିଲା । ପରିବାରର ପ୍ରତିପୋଷଣ, ପିଲାମାନଙ୍କୁ ଶିକ୍ଷା ପ୍ରଦାନ, ଶାନ୍ତି, ଶୃଙ୍ଖଳା ରକ୍ଷା, କନ୍ୟାଦାନ ତଥା ବିଭିନ୍ନ ସମସ୍ୟାର ସମାଧାନ ଆଦି କର୍ତ୍ତବ୍ୟମାନ ପିତା ହିଁ ସମ୍ପାଦନ କରୁଥିଲେ । ଉଦାରତା, ଦୟା, କ୍ଷମା ଆଦି ଗୁଣରେ ପିତା ଥିଲେ ବିଭୂଷିତ । ମାତ୍ର ବେଳେବେଳେ ସନ୍ତାନକୁ ଆକଟ କରିବାକୁ ଯାଇ ସେ ନିଷ୍ଠୁରତା ମଧ୍ୟ ଆଚରଣ କରୁଥିଲେ । ପୁତ୍ର ଯଦି ଭୁଲ କାର୍ଯ୍ୟ କରୁଥିଲା ତେବେ ତାଙ୍କୁ ଦଣ୍ଡ ମଧ୍ୟ ପିତା ଦେଉଥିଲେ । ଶାସ୍ତ୍ରରେ ଅଛି ଏକଶତ ବାପାଠାରୁ ଗୋଟିଏ ଭଲ ମା’ର ଯେତିକି ଆବଶ୍ୟକତା ଅଛି, ଏକଶତ ଗୁରୁଠାରୁ ଗୋଟିଏ ଭଲ ପିତାର ମଧ୍ୟ ସେତିକି ପରିମାଣରେ ଆବଶ୍ୟକତା ଅଛି । ପିତା ପୁତ୍ରର ସମ୍ପର୍କ ଅତି ମଧୁର । ପୁରାଣରେ ଅଛି ପିତୃସତ୍ୟ ପାଳନ କରି ପ୍ରଭୁ ରାମଚନ୍ଦ୍ର ଚଉଦବର୍ଷ ବନ ଗମନ କରିଥିଲେ ।
ଆମ ଶାସ୍ତ୍ରପୁରାଣଠାରୁ ଆରମ୍ଭ କରି ଆଧୁନିକ ସମାଜ ପର୍ଯ୍ୟନ୍ତ ପିତାଙ୍କ ପ୍ରେରଣାରେ ମୂର୍ଖ ସନ୍ତାନଟିଏ ମଧ୍ୟ ଉତ୍ତମ ମଣିଷରେ ପରିଣତ ହୁଏ । ଉପରେ ଆକଟ କରି ଭିତରେ ସ୍ନେହ, ଶ୍ରଦ୍ଧା, ଆଦର ରଖି ଯିଏ ସନ୍ତାନର ବିକାଶ ପାଇଁ ସଦା ଚେଷ୍ଟିତ ଥାଏ ସେ ଆଉ କେହି ନୁହେଁ, ପିତା । ନିଜେ ଚିରା ଫଟା ପିନ୍ଧି, ଭଙ୍ଗା ସାଇକେଲ ଧରି ସନ୍ତାନମାନଙ୍କୁ ଗାଡ଼ି ଦିଅନ୍ତି ଚଢ଼ିବାକୁ; ଖାଲି ସେତିକି ନୁହେଁ ବେଳେବେଳେ ପାଖରେ ପଇସା ନଥିଲେ ନିଜେ ଅସୁବିଧାରେ ରହି ବିଦେଶରେ ପାଠ ପଢ଼ୁଥିବା ପୁଅ ପାଖକୁ ଟଙ୍କା ପଠାନ୍ତି, ବାପା । କିନ୍ତୁ ବଡ଼ ଦୁଃଖର କଥା ସେହି ପୁଅ ଯେତେବେଳେ ପାଠ ପଢ଼ି ବଡ଼ ମଣିଷ ହୋଇଯାଏ ବାପାର ତ୍ୟାଗ, ତିତିକ୍ଷା, ଭଲ ପାଇବା ସ୍ନେହ ତା’ ପାଇଁ ତୁଚ୍ଛ ହୋଇଯାଏ । ତା’ର ମୁଣ୍ଡକୁ ହାତ ପାଇଯାଏ । ସେ ଭୁଲିଯାଏ ପିତାର ତ୍ୟାଗ । ଆଧୁନିକତା ଆଉ ପାଶ୍ଚାତ୍ୟକରଣର ଦ୍ୱାହି ଦେଇ ପୁଅକୁ ବାପାଙ୍କର ସବୁକଥା ଅଡ଼ୁଆ ଅଡ଼ୁଆ ଲାଗେ । ପୁଅ ଆଉ ବାପାଙ୍କୁ ଲୋଡେ଼ନି । ପୁଅର ସମ୍ମାନରେ ଆଞ୍ଚ ଆସେ । ଯେଉଁ ବାପାର ପରିଚୟରେ ଦିନେ ପୁଅ ସମାଜରେ ଚିହ୍ନିତ ହେଉଥିଲା ସେହି ପୁଅ ପାଇଁ ବାପର ପରିଚୟ ଅଲୋଡ଼ା ହୋଇଯାଏ । ଗାଉଁଲି ବାପ, ଆଣ୍ଠୁ ଲୁଚୁନଥିବା ଲୁଗା ପିନ୍ଧୁଥିବା ବାପ, ମଳିମୁଣ୍ଡିଆ ବାପାଙ୍କୁ କୋଟ୍ ସୁଟ୍ ପିନ୍ଧୁଥିବା ପୁଅ ବେଳେବେଳେ ସମ୍ମାନ ଦେବାକୁ ମଧ୍ୟ କୁଣ୍ଠାବୋଧ କରେ ।
ଆଜିର ଯୌଥ ପରିବାର ବଦଳିଯାଇଛି ଛୋଟ କ୍ଷୁଦ୍ର ପରିବାରରେ । ଆଜି ପିତା ଗାଁ ପିଣ୍ଡାରେ ଅଲୋଡ଼ା ହୋଇ ଗାଁ ଦାଣ୍ଡରେ ପଡ଼ିଥିବା ଆରାମ ଚୌକିରେ ବସି ପୁଅର ପୁରୁଣା ସ୍ମୃତିକୁ ମନେ ପକାଇ ପୁଅକୁ ଦେଖିବା ପାଇଁ ବାରମ୍ବାର ଫୋନ୍ କରୁଛି ଅଥଚ ବିଦେଶରେ ରହୁଥିବା ପୁଅ ପାଖରେ ବାପା ପାଇଁ ସମୟ ନାହିଁ । ସମୟ ଅଭାବର ଆଳ ଦେଖାଇ ପୁଅ ଆଉ ବାପା ଭିତରେ ଦୂରତା ବଢ଼ିଯାଇଛି । ଯଦି ଆମେ ପ୍ରତ୍ୟେକ ସନ୍ତାନ ପିତାଙ୍କ ଆବଶ୍ୟକତାକୁ ବୁଝିବା, ତାଙ୍କୁ ଆମ ସମୟରୁ କିଛି ବାହାର କରି ତାଙ୍କ ସହ ସୁଖଦୁଃଖ ବାଣ୍ଟିବା ଓ ତାଙ୍କ ମୁହଁରେ ହସ ଫୁଟାଇପାରିବା ତେବେ ତାହା ହିଁ ହେବ ଆଜି ସନ୍ତାନର ଯଥାର୍ଥ ପିତୃଭକ୍ତି ।
ମୋ:୭୮୪୬୯୨୧୪୦୦