ମାଟି ଅତଡ଼ା ଧସି ଶ୍ରମିକ ମୃତୁ୍ୟ ଘଟଣା: ତଦନ୍ତ କଲେ ଡିଭିଜନାଲ୍ ଲେବର କମିଶନର
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ହେସାବେଡ଼ା ଠାରେ ସ୍ଲରି ପାଇପ ଲାଇନ କାମ ବେଳେ ମାଟି ଅତଡ଼ା ଖସି ଜଣେ ଶ୍ରମିକଙ୍କ ମୃତୁ୍ୟ ଘଟଣାରେ ଶ୍ରମ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ରବିବାର ଦିନ ଡିଭିଜ୍ନାଲ୍ ଲେବର କମିଶନର ସୂର୍ଯ୍ୟ ନାରାୟଣ ମାଳୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଏହି ତଦନ୍ତରେ ବାମେବାରୀ ଥାନା ଅଧିକାରୀ ଯଶୋକେତନ ଭୋଇ ଉପସ୍ଥିତ ଥିଲେ । ସୁରକ୍ଷାରେ ଅବହେଳା ଯୋଗୁ ଏଭଳି ଅଘଟଣ ଘଟିଥିବା ନେଇ ଅଭିଯୋଗ ହୋଇଛି । ମୃତ ଶ୍ରମିକଙ୍କ ନାମ କାର୍ତ୍ତିକ ସାମନ୍ତ(୩୫) ଏବଂ ତାଙ୍କ ଘର ପଶ୍ଚିମବଙ୍ଗ ରାଜ୍ୟର ପୂର୍ବ ମେଦିନପୁର ବୋଲି ଜଣାପଡ଼ିଛି । ସୁନ୍ଦରଗଡ଼ ଜିଲ୍ଲା ସାଗାସାହି ଲୌହ ଖଣିରୁ-ଦୁବୁନା ସ୍ଥିତ ଆର୍ସେଲର ମିଲ ନିପନ ଷ୍ଟିଲ କମ୍ପାନୀକୁ ସ୍ଲରି ପାଇପ ଲାଇନ୍ ବିଛା ଚାଲିଛି । ଗତ ୨୯ ରିଖରେ ଗୋଟିଏ ସ୍ଲରି ପାଇପ ସହ ଆଉ ଗୋଟିଏ ସ୍ଲରି ପାଇପକୁ ଓଲଡିଂ କରାଯାଇ ସଂଯୋଗ କରାଯାଉଥିବା ବେଳେ କମ୍ପନରେ ଉପରପଟୁ ମାଟି ଅତଡ଼ା ଖସି ଉପରେ ପଡ଼ିବା ଫଳରେ ମାଟିରେ ଚାପି ହୋଇ ଶ୍ରମିକ ମୃତୁ୍ୟବରଣ କରିଥିଲେ । ସ୍ଲରି ପାଇପ ଲାଇନ୍ କାମବେଳେ କମ୍ପାନୀ ସୁରକ୍ଷାକୁ ଦୃଷ୍ଟି ନଦେବା ଏବଂ ମୃତ ଶ୍ରମିକଙ୍କ ପରିବାରଙ୍କୁ କ୍ଷତିପୂରଣ ଦେବା ଦାବିରେ ଶ୍ରମିକମାନେ ଦୁବୁନାସ୍ଥିତ ଆର୍ସେଲ ମିଲ ନିପନ ଷ୍ଟିଲ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଶବ ରଖି ଧାରଣା ଦେଇଥିଲେ । କ୍ଷତିପୂରଣ ପ୍ରତିଶ୍ରୁତି ପରେ ଶ୍ରମିକମାନେ ଧାରଣାରୁ ହଟିଥିଲେ । ଏ ନେଇ ଡିଭିଜନାଲ୍ ଲେବର କମିଶନର ସୂର୍ଯ୍ୟ ନାରାୟଣ ମାଳୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ମୃତ ଶ୍ରମିକଙ୍କ ପରିବାରକୁ କର୍ମଚାରୀ କ୍ଷତିପୂରଣ ଆଇନ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । କାମ ବେଳେ ସୁରକ୍ଷାରେ ଅବହେଳା କରିଥିବା ଅଧିକାରୀଙ୍କ ବିରୁଦ୍ଧରେ ପୁଲିସ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରମିକ ନେତା ମହେଶ୍ୱର ରାଉତ ଦାବି କରିଛନ୍ତି ।