ଦୁର୍ଗା ଉତ୍ସବ ପାଇଁ କାଳଲଜାଇଙ୍କୁ ନିମନ୍ତ୍ରଣ କଲେ ମା’ ଭଗବତୀ
ବାଣପୁର : ବାଣପୁର ଆସନ୍ତା ଶାରଦୀୟ ଦୁର୍ଗା ପୂଜାରେ ଯୋଗଦେବା ପାଇଁ ଚିଲିକା ବାସିନୀ ଭଉଣୀ କାଳୀଜାଇଙ୍କୁ ନିମନ୍ତ୍ରଣ କଲେ ମା ଭାଗବତୀ । ମା ଭାଗବତୀଙ୍କ ବିଜେ ପ୍ରତିମା କାଠି ଠାକୁରାଣୀ ପିତ୍ରାଳୟ ଦକ୍ଷେଶ୍ୱରୀଙ୍କ ମନ୍ଦିରରୁ ଶନିବାର ବିଳମ୍ବିତ ରାତ୍ରରେ ପୂଜକ କାଠି ନାହାକ, ପାଳିଅ, ମାଳିଙ୍କ ସମେତ ଛତିଶା ନିଯୋଗ ସେବାୟତଙ୍କ ଗହଣରେ ଚିଲିକା କୂଳକୁ ବିଜେ କରି ସୁସଜିତ ଡଙ୍ଗାରେ କାଳିଜାଇ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ । କାଳିଜାଇଙ୍କ ମନ୍ଦିରରରୁ ଅନ୍ୟ ଏକ ଡଙ୍ଗାରେ ମା କାଳୀଜାଇଙ୍କ ଆଜ୍ଞାମାଳ ଆସିବାରେ ଚିଲିକା ମଧ୍ୟରେ ଦୁଇ ଭଉଣୀଙ୍କ ମିଳନ ହୋଇଥିଲା । ସେଠାରେ ମା ଭାଗବତୀ ଜଳ କ୍ରୀଡ଼ା କରିଥିଲେ । ମନ୍ଦିରକୁ ପ୍ରତ୍ୟାବର୍ତ୍ତନ ବେଳେ ସାମନ୍ତରାପୁର ଠାରେ ମା'ଙ୍କୁ ଭୋଗ ଲାଗି ପରେ ବଉଳ ମଠ ଠାରେ ପଇଡ଼ ଅର୍ପଣ କରାଯାଇଥିଲା । ରାସ୍ତାରେ ଅନ୍ତର କିଆରୀ ଗ୍ରାମ ଠାକୁର ମନ୍ଦିର ଠାରେ କୋଠ ଭୋଗ ଓ ପରିଛା ସାଇ ଠାରେ ମା'ଭୋଗ ପାଇଁ ରବିବାର ମନ୍ଦିରକୁ ଫେରିଥିଲେ । ଆଜି ଠାରୁ ମା ଭାଗବତୀ ଶୟନରେ ରହିବେ । ତେଣୁ ମନ୍ଦିରରେ ଘଣ୍ଟ କାହାଳି ବାଜିବ ନାହିଁ । ମୂଳାଷ୍ଟମୀରେ ମା ଜାଗ୍ରତ ହୋଇ ଷୋଳଦିନ ବ୍ୟାପୀ ପୂଜା ଅନୁଷ୍ଠିତ ହେବ ।