ଯଦୁମଣିଙ୍କ ମାନଭଞ୍ଜନ : ବୁଝିଯିବେ ଅଭିନନ୍ଦନ

ଯଦୁମଣିଙ୍କ ମାନଭଞ୍ଜନ :  ବୁଝିଯିବେ ଅଭିନନ୍ଦନ
  • ନୂଆପଡ଼ା ଗଲେ ମନମୋହନ
  • ୧୬ରେ ବିଜେପିର ବଡ଼ ମିଶ୍ରଣ ପର୍ବ
  • ବିଜେଡ଼ି ଟିକେଟ୍‌ ରେସ : ଚର୍ଚ୍ଚାରେ ମନୋଜ ମିଶ୍ର
  • ନୂଆପଡ଼ାରେ ବିଜୁ ଯୁବ ଓ ଛାତ୍ରର ମାନସମନ୍ଥନ
ଭୁବନେଶ୍ୱର/ନୂଆପଡ଼ା : ଖୁବ୍‌ଶୀଘ୍ର ବିଜେପି ନୂଆପଡ଼ା ପ୍ରାର୍ଥୀଙ୍କ ନାମ ଘୋଷଣା କରିବ । ଜୟ ଢୋଲକିଆ ହିଁ ବିଜେପିର ପ୍ରାର୍ଥୀ ହେବେ । ଆସନ୍ତା ୧୬ରେ ବିଜେପିର ବଡ଼ ମିଶ୍ରଣ ପର୍ବ ହେବବୋଲି ଚର୍ଚ୍ଚା ହେଉଛି । ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ନୂଆପଡ଼ା ଅଭିମୁଖେ ଗସ୍ତ କରିଥିବାବେଳେ ଆସନ୍ତାକାଲି ସ୍ଥାନୀୟ ନେତାମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ । ଅପରପକ୍ଷରେ ବିଜେଡ଼ିର ଅଙ୍କକଷା ଶେଷ ପର୍ଯ୍ୟାୟରେ ପହଁଚିଛି । କୋମନା ବ୍ଳକର ପୂର୍ବତନ ଅଧ୍ୟକ୍ଷ ମନୋଜ ମିଶ୍ରଙ୍କୁ ଦଳ ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏସବୁ ଭିତରେ ସବୁଠାରୁ ବଡ଼ କଥା ହେଉଛି ବିଜେପିର ପ୍ରମୁଖ ଆଶାୟୀ ଯଦୁମଣି ପାଣିଗ୍ରାହୀଙ୍କୁ ଆରଏସଏସର ବରିଷ୍ଠ ପଦାଧିକାରୀମାନେ ବୁଝାଶୁଝା କରିଦେଇଥିବାବେଳେ ଖୁବଶୀଘ୍ର ଅଭିନନ୍ଦନ ପଣ୍ଡାଙ୍କୁ ବି ଦଳ ବୁଝାଇଦେବ । ବସନ୍ତ ପଣ୍ଡା ଏବେ ଦଳ ସହ ଥିବାବେଳେ ଅଭିନନ୍ଦନ ବି ବିଜେପି ପ୍ରାର୍ଥୀଙ୍କ ପାଇଁ କାମ କରିବେ ବୋଲି ବିଜେପି ସୂତ୍ରରୁ ଜାଣିବାକୁ ମିଳିଛି ।
 
ବିଜେପି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଜୟ ଢୋଲକିଆ ଦଳୀୟ ପ୍ରାର୍ଥୀ ହେବା ନିଶ୍ଚିତ । ଏବେ କେନ୍ଦ୍ରୀୟ ନିର୍ବାଚନ କମିଟି ବିହାର ନିର୍ବାଚନ ପାଇଁ ତାଲିକା ପ୍ରସ୍ତୁତ କରୁଛନ୍ତି । ଯେକୌଣସି ମୂହର୍ତ୍ତରେ ନୂଆପଡ଼ା ପାଇଁ ବି ଦଳ ପ୍ରାର୍ଥୀ ଘୋଷଣା କରିବ । ବିଜେପିରେ ଜୟଙ୍କୁ ନେଇ ଅସନ୍ତୋଷ ରହିଛି । ଯାହାକି ଦଳକୁ ଅକଳରେ ପକାଇ ଦେଇଥିଲା । ତେବେ ପ୍ରମୁଖ ଆଶାୟୀ ଯଦୁମଣି ପାଣିଗ୍ରାହୀଙ୍କୁ ଦଳ ବୁଝାଶୁଝା କରିଦେଇଛି । ଅପରପକ୍ଷରେ ଯଦୁମଣିଙ୍କ ମା’ଙ୍କ ପରଲୋକ ହୋଇ ଯାଇଥିବାବେଳେ ନୂଆପଡ଼ା ଗସ୍ତରେ ଥିବା ମନମୋହନ ତାଙ୍କ ଘରକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ସେହିପରି ନୂଆପଡ଼ା ବିଷୟରେ ବି କିଛି ସମୟ ଆଲୋଚନା ହେବ ବୋଲି ଜାଣିବାକୁ ମିଳିଛି । 
ଅପରପକ୍ଷରେ ବସନ୍ତ ପଣ୍ଡା ଏବେ ଦଳୀୟ ଲାଇନ୍‌ରେ ଥିବାବେଳେ ଅଭିନନ୍ଦନଙ୍କ ମାନଭଞ୍ଜନ ପାଇଁ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଉଦ୍ୟମ ଜାରି ରଖିଛନ୍ତି । ଦଳର ବହୁ ବରିଷ୍ଠ ନେତାମାନେ ବି ଅଭିନନ୍ଦନଙ୍କୁ ବୁଝାଇଥିବା ଜାଣିବାକୁ ମିଳିଛି  । ଯଦୁମଣିଙ୍କ ଭଳି ସେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ କରିବେ । ନେତା ରାଜି ହୋଇଯାଇଥିଲେବି କାର୍ଯ୍ୟକର୍ତ୍ତାଙ୍କ ମନରେ ଅସନ୍ତୋଷ ରହିଛି । ସେମାନଙ୍କର ଯୋଶ୍‌ ଭାଙ୍ଗିଯାଇଥିବା ମନେହେଉଛି । ତେବେ ନିର୍ବାଚନ ମାହୋଲ ଜମି ଆସିଲେ ପୁଣି କାର୍ଯ୍ୟକର୍ତ୍ତାମାନେ ଚାଙ୍ଗା ହୋଇଯିବେ ବୋଲି ବିଜେପିର ଜଣେ ନେତା କହିଛନ୍ତି । ସମ୍ଭବତଃ ଜୟଙ୍କ ନାମ ଆସନ୍ତାକାଲି ଘୋଷଣା କରାଯିବ । ୧୬ରେ ବିଜେପିର ବଡ଼ ମିଶ୍ରଣ ପର୍ବ ହେବ । ଏଥିପାଇଁ ମନମୋହନ ନୂଆପଡ଼ାରେ ଡେରା ପକାଇବେ । ପ୍ରାର୍ଥୀପତ୍ର ଦାଖଲ ଶୋଭାଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସାମିଲ୍‌ ହେବେ ।
ସେହିପରି ଆସନ୍ତାକାଲି  ମିଶ୍ରଣ ପର୍ବର ବି କାର୍ଯ୍ୟକ୍ରମ ରହିଛି । ଜୟଙ୍କ ନେତୃତ୍ୱରେ ରାଜେନ୍ଦ୍ର ଢୋଲକିଆଙ୍କ ସହଯୋଗୀମାନେ ଦଳରେ ସାମିଲ୍‌ ହେବେବୋଲି ଜାଣିବାକୁ ମିଳିଛି । ଅପରପକ୍ଷରେ ଜୟ ବିଜେପିକୁ ଯିବା ପରେ ବିଜେଡ଼ି ଏବେ ପ୍ରାର୍ଥୀ ସଂକଟରେ ରହିଛି । ବିଜେଡ଼ି ଚାରି ପାଞ୍ଚ ନାଁକୁ ନେଇ ଚର୍ଚ୍ଚା କରୁଛି । ପ୍ରାର୍ଥୀ ହେବାପାଇଁ ଅନେକ ଆଗ୍ରହୀ ଥିଲେବି ସେମାନଙ୍କ ବ୍ୟକ୍ତିଗତ ଭୋଟ୍‌ ଅଳ୍ପ କିଛି ହଜାର ଭିତରେ ସୀମିତ ରହିଛି । ତେବେ ମନୋଜ ମିଶ୍ର ରେସରେ ଆଗରେ ଥିବା କୁହାଯାଉଛି । ନିକଟରେ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ସହ ମନୋଜ ଆସି ନବୀନ ନିବାସରେ ଆଲୋଚନା କରିଛନ୍ତି । କୋମନା ବ୍ଳକରେ ମନୋଜଙ୍କର ଭୋଟ ବ୍ୟାଙ୍କ ରହିଛି । ଦୁଇ ଦୁଇ ଥର ସେ କୋମନା ବ୍ଳକ ଅଧ୍ୟକ୍ଷ ମଧ୍ୟ ରହିଥିଲେ । ତେବେ ଅନ୍ୟ ଏକ ସୂତ୍ର ଅନୁଯାୟୀ, ଦଳ ଏଯାଏଁ କାହାକୁ ଟିକେଟ୍‌ ଦେବ ସେନେଇ ନିଷ୍ପତ୍ତି ନେଇନାହିଁ । ନୂଆପଡ଼ା ପାଇଁ ଗଠିତ କମିଟି ଏବଂ ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର ଏବଂ ଅତନୁ ସବ୍ୟସାଚୀ ନାୟକ ଆଶାୟୀଙ୍କ ସହ ଆଲୋଚନା କରି କାହାର କେଉଁଠି କ’ଣ ସ୍ଥିତି ରହିଛି ତାହା ଅନୁଧ୍ୟାନ କରିଛନ୍ତି ।
ନବୀନ ନିବାସରେ ଏନେଇ ଆଲୋଚନା ପରେ ଦିନେ ଦୁଇଦିନ ଭିତରେ ଦଳ ଚୂଡ଼ାନ୍ତ ନିଷ୍ପତ୍ତି ନେବ । ଯୁବ ଓ ଛାତ୍ର ବିଜେଡ଼ିକୁ ସଂଗଠିତ କରିବା ପାଇଁ ଚିନ୍ମୟ ସାହୁ ଓ ଇପ୍ସିତା ସାହୁ ନୂଆପଡ଼ାରେ ପହଁଚିଛନ୍ତି । ସେମାନେ ଏବେ ସାଙ୍ଗଠନିକ କାର୍ଯ୍ୟ ଆରମ୍ଭ କରିଦେଇଥିବାବେଳେ ନିର୍ବାଚନରେ କେଉଁ ଯୁବ ଓ ଛାତ୍ର ନେତାଙ୍କୁ ଦାୟିତ୍ୱ ଦିଆଯିବ ସେନେଇ ତାଲିକା ପ୍ରସ୍ତୁତ କରୁଛନ୍ତି ।