‘ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଶାକର୍ମୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’
ଅନୁଗୁଳ : ମହିଳା ଆରୋଗ୍ୟ ସମିତିର ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ ଅନୁଗୋଳ ସଭାଘର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଲଲହଡା ବିଧାୟକ ଅଶୋକ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତର, ଅନୁଗୋଳ ପୌରପାଳିକା ଅଧ୍ୟକ୍ଷ ଅକ୍ଷୟ ସାମନ୍ତ, ଆଇଏଏସ ପ୍ରୋବେସନର କସ୍ତୁରୀ ସି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ଗୌରୀ ଶଙ୍କର ବଳ, ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧି ଚୌଧୁରୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ଆଶାକର୍ମୀ, ଅଙ୍ଗନବାଡି କର୍ମୀମାନେ ଯଥାର୍ଥରେ ସମାଜକୁ ଆଶାର କିରଣ ପ୍ରଦାନ କରିବା ସହ ବହୁ ମୂଲ୍ୟବାନ ଜୀବନ ବଞ୍ଚେଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ବୋଲି ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ତୃଣମୂଳସ୍ତରରେ ବହୁମୂଲ୍ୟ ସେବା କରିଥିବା ୪ଜଣ ଆଶାକର୍ମୀ, ୮ଟି ଗାଁ କଲ୍ୟାଣ ସମିତି, ୮ଟି ଜନ ଆରୋଗ୍ୟ ସମିତି, ୩୯ଟି ସହରାଞ୍ଚଳର ମହିଳା ଆରୋଗ୍ୟ ସମିତି ସହ ଆର୍ଥôକ ଅନୁଦାନକୁ ସୁବିନିଯୋଗ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମୂହ ଓ ଗୁଣବତ୍ତାମାନଙ୍କ ଆକଳନରେ କୃତିତ୍ୱ ପାଇଥିବା ବିଭିନ୍ନ ବ୍ଲକର ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ କୁଇଜ କାର୍ଯ୍ୟକ୍ରମ ସହ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀ ଷ୍ଟଲ ଖୋଲାଯାଇଥିଲା । ଆଶାକର୍ମୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ଜିଲ୍ଲା ଆଶା ପରିଚାଳିକା ବିକାଶିନୀ ପରିଡା କାର୍ଯ୍ୟକ୍ରମର ସଂଚାଳନା କରିଥିବାବେଳେ ଜନସଂଚାର ଅଧିକାରୀ ପୁଷ୍ପଲତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ପରିବାର କଲ୍ୟାଣ ଡଃ ଅନ୍ତର୍ଯ୍ୟାମୀ ମିଶ୍ର, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ଧନଞ୍ଜୟ ବେହେରା, ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡଃ ପୂର୍ଣ୍ଣିମା ଉଦଗାତା, ଜିଲ୍ଲା ଶିଶୁ ସୁରକ୍ଷାଧିକାରୀ ଗୌରୀଶଙ୍କର ବେହେରା, ସ୍ୱାସ୍ଥ୍ୟ ମିଶନ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା ସୌମ୍ୟାରାଣୀ ଗୌଡ଼, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଗାଁ କଲ୍ୟାଣ ସମିତିର କର୍ମକର୍ତ୍ତା, ବିଭିନ୍ନ ସିଏଚ୍ସିର ମେଡିକାଲ୍ ଅଫିସର, ସ୍ୱାସ୍ଥ୍ୟ କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।