ରାଜନୈତିକ ଦଳକୁ ବେନାମୀ ଚାନ୍ଦା : କେନ୍ଦ୍ର ଓ ଇସିଆଇଙ୍କୁ ସୁପ୍ରିମକୋର୍ଟ ନୋଟିସ୍‌

ରାଜନୈତିକ ଦଳକୁ ବେନାମୀ ଚାନ୍ଦା : କେନ୍ଦ୍ର ଓ ଇସିଆଇଙ୍କୁ ସୁପ୍ରିମକୋର୍ଟ ନୋଟିସ୍‌

ନୂଆଦିଲ୍ଲୀ : ଦେଶର ରାଜନୈତିକ ଦଳଗୁଡିକୁ ମିଳୁଥିବା ବେନାମୀ ଚାନ୍ଦା ବିରୋଧରେ ସୁପ୍ରିମକୋର୍ଟରେ ଆଗତ ଏକ ପିଟିସନକୁ ନେଇ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ଭାରତୀୟ ନିର୍ବଚାନ କମିଶନଙ୍କୁ ନୋଟିସ ଜାରି କରିଛନ୍ତି । ଆବେଦନରେ କୁହାଯାଇଛି ଯେ ସ୍ୱଚ୍ଛତାର ଏହି ଅଭାବ ନିର୍ବାଚନ ପ୍ରକ୍ରିୟାର ପବିତ୍ରତାକୁ କ୍ଷୁର୍ଣ୍ଣ କରୁଛି । କାରଣ ଏହା ଭୋଟରମାନଙ୍କୁ ରାଜନୈତିକ ପାଣ୍ଠିର ଉତ୍ସ ବିଷୟରେ ଜାଣିବାରୁ ବଞ୍ଚିତ କରୁଛି । ଯାହା ସେମାନଙ୍କୁ ଭୋଟ ଦେବା ସମୟରେ ଏକ ଯୁକ୍ତିଯୁକ୍ତ, ବୁଦ୍ଧିମାନ ଓ ସମ୍ପୂର୍ଣ୍ଣ ସୂଚନାପ୍ରାପ୍ତ ନିଷ୍ପତ୍ତି ନେବାରେ ବାଧା ଦେଉଛି । ଆୟକର ଆଇନର ଏକ ବ୍ୟବସ୍ଥାର ବୈଧତାକୁ ଚ୍ୟାଲେଞ୍ଜ କରିଥିବା ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟ କେନ୍ଦ୍ର ଓ ଅନ୍ୟମାନଙ୍କଠାରୁ ଜବାବ ଲୋଡିଛନ୍ତି । ଯାହା ରାଜନୈତିକ ଦଳଗୁଡ଼ିକୁ ୨,୦୦୦ ଟଙ୍କାରୁ କମ୍‌ ପରିମାଣର ବେନାମୀ ଚାନ୍ଦା  ଗ୍ରହଣ କରିବାକୁ ଅନୁମତି ଦିଏ । 

    ସୁପ୍ରିମକୋର୍ଟ ଆବେଦନ ଉପରେ ଜବାବ ଲୋଡି କେନ୍ଦ୍ର, ନିର୍ବାଚନ କମିଶନ ଏବଂ ଅନ୍ୟମାନଙ୍କୁ ନୋଟିସ୍‌ ଜାରି କରିଛନ୍ତି । ଯେଉଁଥିରେ ରାଜନୈତିକ ଦଳର ପଞ୍ଜିକରଣ ଓ ନିର୍ବାଚନ ଚିହ୍ନ ଆବଣ୍ଟନ ପାଇଁ ଏକ ସର୍ତ୍ତ ଭାବରେ ନିର୍ବାଚନ ପ୍ୟାନେଲକୁ ଯେ କୌଣସି ରାଜନୈତିକ ଦଳ ଦ୍ୱାରା ନଗଦ ଆକାରରେ କୌଣସି ପରିମାଣ ଗ୍ରହଣ କରାଯାଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେବାକୁ ମଧ୍ୟ କୁହାଯାଇଛି । ବିଚାରପତି ବିକ୍ରମ ନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ କହିଛନ୍ତି ଯେ ଏହି ମାମଲା ଚାରି ସପ୍ତାହ ପରେ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯିବ । ଆରମ୍ଭରେ ଖଣ୍ଡପୀଠ ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ବିଜୟ ହଂସରିଆଙ୍କୁ କାହିଁକି ପ୍ରଥମେ ହାଇକୋର୍ଟ ଯାଇନାହାନ୍ତି ବୋଲି ପଚାରିଥିଲେ । ହଂସରିଆ କହିଛନ୍ତି ଯେ ଏହି ଆବେଦନ ସମସ୍ତ ରାଜନୈତିକ ଦଳ ଓ ଦେଶବ୍ୟାପୀ ସେମାନଙ୍କୁ ମିଳୁଥିବା ପାଣ୍ଠି ସହିତ ଜଡିତ ଥିବାରୁ ଆପଣଙ୍କ ଦ୍ୱାରସ୍ଥ ହୋଇଛୁ । ଖଣ୍ଡପୀଠ ଆବେଦନର ଶୁଣାଣି କରିବାକୁ ରାଜି ହୋଇଥିଲେ । ନିର୍ବାଚନ ପ୍ୟାନେଲ, କେନ୍ଦ୍ର ଏବଂ ଅନ୍ୟମାନଙ୍କୁ ନୋଟିସ୍‌ ଜାରି କରିଥିଲେ । ଯେଉଁଥିରେ ବିଜେପି ଓ କଂଗ୍ରେସ ଭଳି ଅନେକ ରାଜନୈତିକ ଦଳ ମଧ୍ୟ ସାମିଲ ଅଛନ୍ତି ।