ଚୀନ-ପାକିସ୍ତାନ ଛାନିଆ : ନୀଳ ଜଳରାଶିରେ ବୁଲିବ ହଣ୍ଟର
ନୌସେନାରେ ସାମିଲ ହେଲା ଆଇଏନଏସ ମାହେ
ମୁମ୍ବାଇ : ଭାରତ ନୌସେନାକୁ ମିଳିଛି ବଡ ଶକ୍ତି । ଏଣିକି ସମୁଦ୍ରର ନୀଳ ଜଳରାଶି ତଳେ ବୁଲିବ ସାଇଲେନ୍ସ କିଲର । ଯାହାକୁ ନେଇ ଚୀନ-ପାକିସ୍ତାନ ଛାନିଆ ହୋଇଯାଇଛନ୍ତି । ଆଜି ନୌସେନାରେ ସାମିଲ ହୋଇଛି ଆଇଏନଏସ ମାହେ । ଏହି ନୂତନ ସବମେରିନ ହଣ୍ଟର ଗଭୀର ଜଳରାଶିରେ ଶତ୍ରୁପକ୍ଷର ବୁଡାଜାହାଜକୁ ଧ୍ୱଂସ କରିବାରେ ସକ୍ଷମ । ଆତ୍ମନିର୍ଭର ଭାରତ ଅଧୀନରେ ୮୦% ସ୍ୱଦେଶୀ ଉପାଦାନ ସହିତ ନିର୍ମାଣ ହୋଇଛି ଏହି ବୁଡାଜାହାଜ ।
ଆରବ ସାଗର ଠାରୁ ଭାରତ ମହାସାଗର ପର୍ଯ୍ୟନ୍ତ ଭାରତର ସାମୁଦ୍ରିକ ସୀମାର ପ୍ରତ୍ୟେକ ଇଞ୍ଚକୁ ସୁରକ୍ଷା ଦେବା ପାଇଁ ନୌସେନାକୁ ମିଳିଛି ଏହି ବଳ । ଆଜି ସକାଳେ ମୁମ୍ବାଇର ନୌସେନା ଡକୟାର୍ଡରେ ଏହି ଅତ୍ୟାଧୁନିକ ଏଏସଡବ୍ଲ୍ୟୁ କ୍ରାଫ୍ଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି । କୋଚିନ୍ ସିପୟାର୍ଡରେ ନିର୍ମିତ ଏହି ଯୁଦ୍ଧଜାହାଜ କେବଳ ଅତ୍ୟାଧୁନିକ ପ୍ରଯୁକ୍ତି ନୁହେଁ ବରଂ ଭାରତୀୟ ଜ୍ଞାନ କୌଶଳର ପ୍ରତୀକ ।
ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ଯେ, ମାହେର କମିଶନିଂ ସ୍ୱଦେଶୀ ଗଭୀର ଜଳରେ ଶତ୍ରୁ ଯୁଦ୍ଧ ଜାହାଜକୁ ଚିହ୍ନିତ କରିବ । ମାହେ-କ୍ଲାସ୍ ଯୁଦ୍ଧଜାହାଜ ଡିଜାଇନ୍ ଏବଂ ନିର୍ମାଣ ଭାରତର କୌଶଳକୁ ପ୍ରଦର୍ଶନ କରିବ । ଏହା ପଶ୍ଚିମ ସମୁଦ୍ରତଟରେ ଏକ ‘ନିରବ ଶିକାରୀ' ଭାବରେ କାର୍ଯ୍ୟ କରିବ । ଆଇଏନଏସ ମାହେ ୭୮ ମିଟର ଲମ୍ବ ଏବଂ ପ୍ରାୟ ୧୧୫୦ ଟନ୍ ଓଜନ । ଏହା ଭାରତର କିଲର୍ ସବମେରିନ । ଆଖି ପିଛୁଳାକେ ପାଣି ତଳେ ବିପଦକୁ ଦୂର କରିବ । ଭାରତୀୟ ନୌସେନା ପାଇଁ ମୋଟ ୧୬ଟି ମାହେ-କ୍ଲାସ୍ ଏଏସଡବ୍ଲ୍ୟୁ ୱାଟରକ୍ରାଫ୍ଟ ନିର୍ମାଣ କରାଯାଉଛି । ଆଇଏନଏସ ମାହେ ସିରିଜର ପ୍ରଥମ ଜାହାଜ । ପ୍ରତି ଛଅ ମାସରେ ଏହି କ୍ଲାସର ନୂତନ ଜାହାଜ ନୌସେନାକୁ ପ୍ରଦାନ କରାଯିବ । ଏହାର ସମସ୍ତ ଜାହାଜ ୨୦୨୯ ସୁଦ୍ଧା ସେବାରେ ସାମିଲ ହେବେ । ଆଇଏନଏସ ମାହେ ଭାରତର ସାମୁଦ୍ରିକ ପ୍ରତିରକ୍ଷାର ମେରୁଦଣ୍ଡ । ଏହାର ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ଡୁଆଲ୍-ସୋନାର୍ କ୍ଷମତା । ଗଭୀର ଜଳ ପାଇଁ ଗୋଟିଏ ଏବଂ ଅଗଭୀର ଜଳ ପାଇଁ ଗୋଟିଏ ।
ଏହାର ଅର୍ଥ ହେଉଛି ଶତ୍ରୁ ପକ୍ଷର ବୁଡ଼ାଜାହାଜ ଗଭୀର ଜଳରେ କିମ୍ବା ଉପକୂଳ ନିକଟରେ ଲୁଚି ରହିଛି କି ନାହିଁ, ଆଇଏନଏସ ମାହେ ଏହାକୁ ଚିହ୍ନଟ କରିବାରେ ସକ୍ଷମ । ଏହି ଜାହାଜଟି ଆଧୁନିକ ଚିହ୍ନଟ ପ୍ରଣାଳୀ, ଦୁଇଟି ସୋନାର ଏବଂ ଉନ୍ନତ ସେନ୍ସର ସହିତ ସଜ୍ଜିତ । ବହୁତ କମ ସମୟ ମଧ୍ୟରେ ଯେକୌଣସି ବିପଦକୁ ଟ୍ରାକ୍, ଲକ୍ ଏବଂ ନିକ୍ଷେପ କରିବାରେ ସକ୍ଷମ । ଭାରତ ମହାସାଗରରେ ଏହାର ମୁତୟନ ଚୀନ୍ ଏବଂ ପାକିସ୍ତାନୀକୁ ଚେତାବନୀ । ଆରବ ସାଗର ହେଉ କି ଦକ୍ଷିଣ-କେନ୍ଦ୍ରୀୟ ସାମୁଦ୍ରିକ ସୀମା, ଭାରତର ଉପକୂଳ ନିକଟତର ହେବାକୁ ଚେଷ୍ଟା କରିବେନି ଶତ୍ରୁପକ୍ଷ । ସାମୁଦ୍ରିକ ସୁରକ୍ଷାରେ ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ।