ରାଜ୍ୟ ବିଜେପିରେ ଥ୍ରୀ-ଏମ୍ଏମ୍
- ନୂଆପଡ଼ା ପ୍ରଦର୍ଶନରେ ମୋଦି, ଶାହ ଓ ନଡ୍ଡା ଖୁସ୍
- ରୋଷ ଭୁଲି ଯୋଶ୍ରେ କାମ କଲେ ବସନ୍ତ, ଅଭିନନ୍ଦନ ଓ ଯଦୁମଣି
ଭୁବନେଶ୍ୱର : ଚର୍ଚ୍ଚାରେ ଏବେ ରାଜ୍ୟ ବିଜେପିର ଥ୍ରୀ-ଏମଏମ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସଂଗଠନ ସମ୍ପାଦକ ମାନସ ମହାନ୍ତି । ଏହି ତିନି ନେତାଙ୍କ ପାଇଁ ଉପନିର୍ବାଚନ ପରିଚାଳନା ନୂଆ ଥିଲା କହିଲେ ଭୁଲ୍ ହେବନାହିଁ । ଅବଶ୍ୟ ମନମୋହନଙ୍କର ପୂର୍ବ ଅଭିଜ୍ଞତା ରହିଛି । ହେଲେ ନିକଟ ଅତୀତରେ ସେ ନିଜେ ଦାୟିତ୍ୱ ନେଇ କୌଣସି ଉପନିର୍ବାଚନ ପରିଚାଳନା କରିନଥିଲେ । ସେହିପରି ସରକାରକୁ ଆସିବା ପରେ ଏହି ଉପନିର୍ବାଚନ ତିନି ଏମଏମଙ୍କ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଥିଲା । କିନ୍ତୁ ତିନି ନେତା ନୂଆପଡ଼ା ଉପନିର୍ବାଚନକୁ ଏମିତି ପରିଚାଳନା କଲେଯେ, ବିଜେପି ଏକପାଖିଆ ବିଜୟ ହାସଲ କରି ରେକଡର଼୍ ସୃଷ୍ଟିକରିଛି । ସବୁଠାରୁ ବଡ଼ କଥା ହେଉଛି, ପୂର୍ବରୁ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ଓ ତାଙ୍କର ବିଜେଡ଼ି ସେନାଙ୍କ ସବୁ ରଣନୀତିକୁ ଚୁଟକିରେ ଉଡ଼ାଇ ଦେଇ ତିନି ନମ୍ବର ସ୍ଥାନକୁ ଠେଲି ଦେବାରେ ସକ୍ଷମ ହୋଇଛନ୍ତି ଥ୍ରୀ-ଏମଏମ ।
ନୂଆପଡ଼ାରେ ବେଶ୍ ଲୋକପ୍ରିୟ ନେତା ଥିଲେ ରାଜେନ୍ଦ୍ର ଢୋଲକିଆ । ତାଙ୍କ ପରଲୋକ ପରେ ଢୋଲକିଆ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରି ବିଜେଡ଼ି ଉପନିର୍ବାଚନର ଅଙ୍କ କଷା ଆରମ୍ଭ କରିଥିଲା । ହେଲେ ଥ୍ରୀ ଏମଏମ ବିଜେଡ଼ିର ରଣନୀତିକୁ ପଣ୍ଡ କରି ଦେଇଥିଲେ । ଜୟଙ୍କୁ ନେଇ ନବୀନ ଓ ତାଙ୍କ ବିଜେଡ଼ି ସେନାକୁ ଝଟକା ଦିଆଯାଇଥିଲା । ଜୟଙ୍କୁ ନେବାପରେ ସବୁକିଛି ଠିକ୍ ହେବବୋଲି ମାନେନଥିଲା । କାହିଁକିନା ନୂଆପଡ଼ାର ଟାଣୁଆ ବିଜେପି ନେତା ବସନ୍ତ ପଣ୍ଡା ଓ ଯଦୁମଣି ପାଣିଗ୍ରାହୀ ଏଥିରେ ଖୁସି ନଥିଲେ । ତେବେ ତିନି ନେତା ବୁଝାଶୁଝା କରିବାରୁ ସେମାନେ ଆଉ ଆପତ୍ତି କରିନଥିଲେ । ଶେଷପର୍ଯ୍ୟନ୍ତ ଦୁଇ ନେତା ଦଳକୁ ଜିତାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ଯୁବନେତା ଅଭିନନ୍ଦନ ପଣ୍ଡାଙ୍କୁ ବି ସେମାନେ ବୁଝାଇ ଶୁଝାଇ ଖୁବଦମରେ କାମ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ ।
ଏଠାରେ ସୂଚାଇ ଦିଆଯାଇପାରେଯେ, ଜୟ ବିଜେପିକୁ ଆସିବା ପୂର୍ବରୁ ବିଜେଡ଼ିର ପ୍ରାର୍ଥୀ ଭାବେ ପ୍ରଚାର ବି ଆରମ୍ଭ କରିଦେଇଥିଲେ । ତେବେ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରାଦ୍ଧବାର୍ଷିକୀରେ ଯୋଗଦେଇ ସମସ୍ତଙ୍କୁ ଚକମା ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଞ୍ଚ ଉପରେ ରାଜେନ୍ଦ୍ରଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କର କଥା କହିଥିଲେ । ମଞ୍ଚ ତଳେ ମୋହନ ଓ ଜୟଙ୍କ ମିଳନ ଅନେକ ରାଜନୀତିକ ବାର୍ତ୍ତା ଦେଇଥିଲା । ଖାଲି ସେତିକିନୁହେଁ ପୁଣିଥରେ ନୂଆପଡ଼ା ଆସି ୧୧ ଶହ କୋଟିର ପ୍ୟାକେଜ ଦେଇ ନୂଆପଡ଼ାବାସୀଙ୍କ ମନ ଜିଣିଥିଲେ ମୋହନ । ନୂଆପଡ଼ାରେ ଆଦିବାସୀ ଭୋଟରଙ୍କ ସଂଖ୍ୟା ସର୍ବାଧିକ । ଯେଉଁ ଭୋଟର ସିଂହଭାଗ କଂଗ୍ରେସ ପାଖରେ ରହିଥିଲା । ହେଲେ ମୋହନଙ୍କ ଆଦିବାସୀ ଛବି କଂଗ୍ରେସ ଓ ଏହାର ପ୍ରାର୍ଥୀ ଘାସିରାମ ମାଝୀଙ୍କ ଭୋଟ୍ କାଟି ଦେଇଥିଲା । ମୁଖ୍ୟମନ୍ତ୍ରୀ ବି ସବୁସ୍ଥାନରେ ନିଜକୁ ଆଦିବାସୀଙ୍କର ସୁଖ ଦୁଃଖର ସାଥି ବୋଲି ପ୍ରତିପାଦିତ କରିଥିଲେ । ଯାହାକି ବିଜେପି ପାଇଁ ବେଶ୍ ସହାୟକ ହୋଇଥିଲା ।
ମନମୋହନ ସାମଲ ଓ ମାନସ ମହାନ୍ତି ନିର୍ବାଚନ ପ୍ରାରମ୍ଭରୁ ନୂଆପଡ଼ାରେ ରହି ଅଙ୍କକଷା ଆରମ୍ଭ କରିଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବହୁ ଶାଖା ସଂଗଠନ ନୂଆପଡ଼ାରେ ସକ୍ରିୟ ରହିଛି । ବଜରଙ୍ଗ ଦଳ, ବିଶ୍ୱ ହିନ୍ଦୁ ପରିଷଦ, ବନବାସୀ କଲ୍ୟାଣ ଆଶ୍ରମ ବେଶ୍ ସକ୍ରିୟ ରହିଥିଲା । ସେହିସବୁ ସଂଗଠନର କାର୍ଯ୍ୟକର୍ତ୍ତାଙ୍କୁ ନେଇ ମାନସ କରିଥିଲେ ମାଇକ୍ରୋ ମ୍ୟାନେଜମେଣ୍ଟ । ସେମାନଙ୍କର କାମ ବିଷୟରେ ବିଜେଡ଼ି କି କଂଗ୍ରେସ ଜାଣିବି ପାରୁନଥିଲେ । ପ୍ରାୟ ୫ ଶହ ଛୋଟ ଛୋଟ ସଭା କରି ସେମାନେ ଭୋଟରଙ୍କୁ ବିଜେପି ମୁହାଁ କରିବାରେ ବେଶ୍ ସହାୟକ ହୋଇଥିଲେ । ବିଳମ୍ବିତ ରାତି ଯାଏଁ ମନମୋହନ ଓ ମାନସ ଅଙ୍କ କଷୁଥିବାବେଳେ ପ୍ରତିଦିନ ଅପଡେଟ ନେଉଥିଲେ ମୋହନ । ନବୀନଙ୍କ ଭଳି ମୋହନ ମଧ୍ୟ ଧମାକଦାର ରୋଡ଼ଶୋ’ କରି ଶକ୍ତି ପ୍ରଦର୍ଶନ କରିଥିଲେ । ଯାହାକି ଭାସମାନ ଭୋଟରଙ୍କୁ ଆକର୍ଷିତ କରିବାରେ ସହାୟକ ହୋଇଥିଲା । ସେପଟେ ମନ୍ତ୍ରୀମାନଙ୍କୁ ବିଭିନ୍ନ ଜୋନର ଦାୟିତ୍ୱ ଦେଇଥିଲେ ତିନି ନେତା । ମନ୍ତ୍ରୀ ରବି ନାରାୟଣ ନାୟକ, ବିଭୂତି ଜେନା, ମୁକେଶ ମହାଲିଙ୍ଗ, ଗୋକୁଳାନନ୍ଦ ମଲ୍ଲିକ, ନିତ୍ୟାନନ୍ଦ ଗଣ୍ଡ, ଗଣେଶରାମ ସିଂ ଖୁଣ୍ଟିଆ, କୃଷ୍ଣଚନ୍ଦ୍ର ପାତ୍ର, କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଥିଲା । କନକବର୍ଦ୍ଧନ ସିଂହଦେଓ ଓ ସୁରେଶ ପୂଜାରୀ ସାମଗ୍ରୀକ ଭାବେ ନିର୍ବାଚନ ପରିଚାଳନା କରିଥିଲେ । ଗାଏମୋଟ୍ କହିଲେ ବିଜେପିର ଟିମ୍ ଯୋଶରେ ଲାଗି ପଡ଼ିଥିଲେ । ସାଂସଦ ସୁଜିତ୍ କୁମାର ଓ ଜୟ ନାରାୟଣ ମିଶ୍ରଙ୍କ ଭଳି ନେତାମାନେ ବି ଗ୍ରାଉଣ୍ଡରେ ଢେର ପରିଶ୍ରମ କରିଥିଲେ । ଯାହାର ପ୍ରତିଫଳନ ଭୋଟରେ ଦେଖିବାକୁ ମିଳିଛି । ଏସବୁ ଭିତରେ ଧର୍ମଶାଳା ବିଧାୟକ ଲିକୁ ସାହୁ ବି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କୋମନା ଦାୟିତ୍ୱରେ ଥିଲେ ପ୍ରଣବ ପ୍ରକାଶ ଦାସ ଓ ପ୍ରଣବ ବଳବନ୍ତରାୟ । ପ୍ରଣବଙ୍କ ସବୁ ଖେଳକୁ ଲିକୁ ବିଗାଡ଼ି ଦେବାର ଯୋଜନା କରିଥିଲେ। ମନୋଜ ମହାପାତ୍ର ଓ ଲିକୁ ଗୋଡେ଼ଗୋଡେ଼ ବିଜେଡ଼ି ନେତାଙ୍କୁ ଜଗିବା ସହ ବିଜେଡ଼ିର ଏଜେନ୍ସୀକୁ ଶେଷ ଦୁଇ ରାତିରେ ଚେକ୍ ଦେବାରେ ସକ୍ଷମ ହୋଇଥିଲେ ।