ରାଜ୍ୟସ୍ତରୀୟ ଆଲୋଚନା ଚକ୍ର : ଶ୍ରୀମନ୍ଦିର ପ୍ରତିଷ୍ଠା ସ୍ୱୟଂ ବ୍ରହ୍ମା କରିଛନ୍ତି

 ପୁରୀ : ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ପକ୍ଷରୁ ୟୁଥ୍ ହଷ୍ଟେଲ ଠାରେ ‘ନୀଳାଦ୍ରି ମହୋଦୟ ଅଷ୍ଟମୀ ଓ ଶ୍ରୀଜଗନ୍ନାଥ‘ ଶୀର୍ଷକ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରକୁ ଉଦ୍ଘାଟନ କରିଥିଲେ ସୁପକାର ସେବାୟତ ଭଗବାନ ସୁଆର । ଆଲୋଚକ ଭାବେ ଯୋଗଦାନ କରି ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ କହିଥିଲେ ଯେ ଦାରୁବ୍ରହ୍ମ, ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଓ ଶ୍ରୀମନ୍ଦିର ପ୍ରତିଷ୍ଠା ବ୍ରହ୍ମାଙ୍କ ଦ୍ୱାରା କରାଯାଇଥିଲା । ଏହା ବ୍ରହ୍ମପୁରାଣରେ ଉଲ୍ଲେଖ ରହିଛି । ଶ୍ରୀଜଗନ୍ନାଥଙ୍କୁ ନାଦବ୍ରହ୍ମ, ଧ୍ୱନି ବ୍ରହ୍ମ, ଜ୍ଞାନ ବ୍ରହ୍ମ, ଅନ୍ନ ବ୍ରହ୍ମ ଓ ଶଦ୍ଦ ବ୍ରହ୍ମ ରୂପେ ଅଭିହିତ କରାଯାଏ । ନୀଳାଦ୍ରି ମହୋଦୟ ଅଷ୍ଟମୀ ଠାରୁ ମହାପ୍ରଭୁଙ୍କର ଦୈନନ୍ଦିନ ନୀତି ଓ ସେବାପୂଜା ପ୍ରଚଳନ ହେଉଛି । ଅନ୍ୟତମ ଆଲୋଚକ ଅଧ୍ୟାପିକା ଡ଼କ୍ଟର ପ୍ରୀତିଧାରା ସାମଲ କହିଥିଲେ ଯେ ଶ୍ରୀଜଗନ୍ନାଥ ସଂସ୍କୃତିରେ ସାବର ସଂସ୍କୃତି ସହ ସର୍ବଭାରତୀୟ ସଂସ୍କୃତିର ଆଧ୍ୟାତ୍ମିକ ସମନ୍ୱୟ ଘଟୁଛି । କେନ୍ଦ୍ରୀୟ ସଂସ୍କୃ ବିଶ୍ୱବିଦ୍ୟାଳୟର ନିଦେ୍ର୍ଦଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର କହିଥିଲେ ଯେ ଶ୍ରୀଜଗନ୍ନାଥ ଦର୍ଶନ ଭାରତର ଅଦ୍ୱିତୀୟ ଏବଂ ଏହାର ବିକଳ୍ପ ନାହିଁ । ଟ୍ରଷ୍ଟର ଉପାଧ୍ୟକ୍ଷ ବିନୋଦ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଅନ୍ୟତମ ଆଲୋଚକ ଥିଲେ ଶିକ୍ଷାବିତ୍ ସସ୍ମିତା ସାହୁ, ଆଇନଜୀବୀ ବିନୟ ନୃସିଂହ ମହାପାତ୍ର, ପୁଷ୍କର ମହାପାତ୍ର ଓ ପ୍ରତିଭା ତ୍ରିପାଠୀ । ପ୍ରାରମ୍ଭରେ ଟ୍ରଷ୍ଟର ସଂପାଦକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଆଲୋଚକମାନଙ୍କୁ  ସ୍ୱାଗତ ଜଣାଇଥିଲେ । ଆଲୋଚକମାନଙ୍କ ପରିଚୟ ପ୍ରଦାନ କରିଥିଲେ ସୁଶ୍ରୀ କ୍ରିଷ୍ଣା ଦେବୀ । ଆଲୋଚନା ଚକ୍ର ସଂଯୋଜନା କରିଥିଲେଐତିହାସିକ ମଦନମୋହନ ମହାପାତ୍ର । ଏହି ଅବସରରେ ବିବିଧ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା । ଅଧ୍ୟାପକ ଲକ୍ଷ୍ମୀପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।