ଲୀଳାଖେଳ ସାରି ବାହୁଡ଼ିଲେ ଥାନପତି: ବାଳକାଟି ପଞ୍ଚୁଦୋଳ ମେଳଣ ଉଦ୍ୟାପିତ

 ବାଲିଅନ୍ତା : ଭୁବନେଶ୍ୱର ଉପକଣ୍ଠସ୍ଥ ଓଡିଶା ପ୍ରସିଦ୍ଧ ବାଳକାଟି ପଞ୍ଚୁଦୋଳ ମେଳଣ ଉଦୟଯାପିତ ହୋଇଯାଇଛି । ଥାନପତି ତଥା ଚାରିଦେଶର ମୁଖ୍ୟ ପୁରୋଧା ଶ୍ରୀ ସ୍ୱପ୍ନେଶ୍ୱର, ବାଲୁଙ୍କେଶ୍ୱର ଏବଂ ଶ୍ରୀ ଦୋଳଗୋବିନ୍ଦ ଏବଂ ନିମନ୍ତ୍ରଣ ପାଇ ଆସିଥିବା ବିମାନ ପରମ୍ପରା ଅନୁଯାୟୀ ତାଙ୍କ ଲିଳାଖେଳ ସାରି ବାହୁଡିଛନ୍ତି । ଉଦ୍ୟାପିତ ଦିବସରେ ମୁଖ୍ୟଆକର୍ଷଣ ଥିଲା ‘ହରିହର ଭେଟ’ । ପ୍ରକାଶଥାଉକି ଏହି ମେଳଣ ପଡିଆରେ ଥାନପତି ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବଙ୍କ ବିମାନରେ ଚଳନ୍ତୀ ପ୍ରତିମା ଶ୍ରୀ ଚନ୍ଦ୍ରଶେଖର, ଶ୍ରୀ ବାଲୁଙ୍କେଶ୍ୱର, ଶ୍ରୀ ଦୋଳଗୋବିନ୍ଦ (ହର) ମୂର୍ତି ଭକ୍ତଙ୍କୁ ଦର୍ଶନ ଦେଇଥିବା ବେଳେ  ଅନ୍ୟ ବିମାନ ମାନଙ୍କରେ ଚଳନ୍ତୀ ପ୍ରତିମା ରାଧାକୃଷ୍ଣଙ୍କ ଯୁଗଳମୁର୍ତି ଦର୍ଶନ ଦେଇଥିଲେ । ଚଳିତ ବର୍ଷ ୫୩ ଟି ବିମାନ ପଡିଆରେ ବିରାଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଏହି ଦିନ ପରମ୍ପରା ଅନୁଯାୟୀ ପ୍ରଥମେ ଥାନପତି ଶ୍ରୀ ସ୍ୱପ୍ନେଶ୍ୱର ମହାଦେବ ପଡିଆରେ ଥିବା ଦୋଳମଣ୍ଡପ ଚାରିପଟେ ବୁଲିବା ପରେ ପଞ୍ଚୁଦୋଳ କମିଟି ପକ୍ଷରୁ ତିଆରି କରାଯାଇଥିବା ବାଉଁଶଭାରା ମଧ୍ୟରେ ଠିଆ ହୋଇଥିଲେ । ପରେ ନିମନ୍ତ୍ରୀତ ବିମାନ ଦୋଳମଣ୍ଡପ ଚାରିପଟେ ବୁଲି ଥାନପତିଙ୍କ ସହ ଭେଟ ହୋଇଥିଲେ  । ଶେଷରେ ବାଳକାଟିର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ମଦନମୋହନ ଦେବ ବାଜା ବାଣରେ ନିଜ ଆସ୍ଥାନରୁ ଉଠି ଦୋଳମଣ୍ଡପ ଚାରିପଟେ ବୁଲିବାପରେ ନିଜର ପ୍ରୀୟ ଭଗବାନଙ୍କ ସହ ଭେଟ ହୋଇଥିଲେ  ।
 ଠାକୁରଙ୍କ ଏହି ମାନବୀୟ ଏବଂ ଅପୁର୍ବ ଲିଳା ହରିହର ଭେଟକୁ ଦର୍ଶନ କରିବାପାଇଁ ହଜାର ହଜାର ଶ୍ରଦ୍ଧାଳୁ ହାତରେ ଫଗୁଧରି ଦୁରଦୁରାନ୍ତରୁ  ଛୁଟି ଆସିଥିଲେ ଏହି ମେଳଣର ଉଦ୍ୟାପନୀ ସନ୍ଧ୍ୟାରେ ସରପଞ୍ଚ ରୀନା ବେହେରା, ସମିତିସଭ୍ୟ ଗଙ୍ଗାଧର ମାହାରୀ, ନାଏବ ସରପଞ୍ଚ ଅରୁପ ସାହୁ,  ଅତିଥିଭାବେପୁର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ, ଆଧ୍ୟାତ୍ମିକବାଦୀ ସନ୍ତୋଷ ମହାନ୍ତି, ସମାଜସେବୀ ବେଣୁଧର ଭୋଇ, ସମାଜସେବୀ ସୁବ୍ରତ ମହାନ୍ତି, ପୁର୍ବତନ ସରପଞ୍ଚ ଭାଗ୍ୟଧର ନନ୍ଦୀ, କପିଳ ମହାରଣା, ବସନ୍ତ ସାହୁ, ସରପଞ୍ଚଙ୍କ ପ୍ରତିନିଧି ପବିତ୍ର ମୋହନ ବେହେରା, ରମାକାନ୍ତ ସାହୁ, ଜଗତଜୀବନ ମହାନ୍ତି  ପ୍ରମୁଖ ଉପସ୍ଥିତ ଥିଲେ ।