"ଶକ୍ତିଶ୍ରୀ' ସମ୍ପର୍କରେ କିଛି ପ୍ରଶ୍ନ


ବର୍ତ୍ତମାନ ଦିନକୁ ଦିନ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରୀମାନଙ୍କ ଉପରେ ଯୌନ ନିର୍ଯ୍ୟାତନା ଭଳି ଅଭିଯୋଗର ସଂଖ୍ୟା ଅଧିକରୁ ଅଧିକ ହେବାରେ ଲାଗିଛି । ଏପରି ଅଭିଯୋଗ ଫଳରେ ଉଚ୍ଚଶିକ୍ଷା ବିଭାଗ ଯେଭଳି ବଦନାମ୍ ହେଉଛି, ସ୍ଥଳ ବିଶେଷରେ କିଛି କଲେଜ୍ ମଧ୍ୟ ବଦନାମ୍ ହେଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଲେଜ୍ ଛାତ୍ରୀମାନଙ୍କୁ ଯୌନ ଉତ୍ପୀଡ଼ନ ଭଳି ଘଟଣାରେ ସହାୟତା କରିବା ପାଇଁ ଶକ୍ତି ଅପାମାନଙ୍କୁ ନିୟୋଜିତ କରିବା ପାଇଁ ଚିନ୍ତା କରିଛନ୍ତି । ପ୍ରତି ଜିଲ୍ଲାରେ ୫ ଜଣ ମହିଳାଙ୍କୁ ଶକ୍ତି ଅପା ଭାବରେ ମନୋନୀତ କରି ପ୍ରତି ୩ ମାସରେ କଲେଜ୍କୁ ଯାଇ ଛାତ୍ରୀମାନଙ୍କ ସହିତ ଆଲୋଚନା କରିବା ପାଇଁ ଯୋଜନା ରଖାଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଶକ୍ତି ଅପା ଚିହ୍ନଟ କରିବାକୁ ନିଦେ୍ର୍ଦଶ ଦିଆଯାଇସାରିଲାଣି । ତେବେ ଆରମ୍ଭରୁ ହିଁ ଏକ ଦ୍ୱନ୍ଦ୍ୱ ଉପୁଜିଲାଣି । ତାହା ହେଲା ଶକ୍ତି ଅପାମାନଙ୍କର ନିଯୁକ୍ତି ପ୍ରକି୍ରୟା ଏବଂ ଏମାନଙ୍କର ଗସ୍ତ ଖର୍ଚ୍ଚ ଓ ଦୈନିକ ଭତ୍ତା ସଂପୃକ୍ତ କଲେଜ୍ କିମ୍ବା ଶିକ୍ଷାନୁଷ୍ଠାନ ବହନ କରିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ଗସ୍ତ କରାଯାଉଥିବା ଶିକ୍ଷାନୁଷ୍ଠାନ ଯଦି ଶକ୍ତି ଅପାମାନଙ୍କର ଖର୍ଚ୍ଚ ବହନ କରିବ ତେବେ ଛାତ୍ରୀମାନଙ୍କର ଅଭିଯୋଗ କେତେଦୂର ନିରପେକ୍ଷ ହେବ ବୋଲି ପ୍ରଶ୍ନ ଉଠିଲାଣି । ଏ କ୍ଷେତ୍ରରେ ଆଉ ଏକ ପ୍ରଶ୍ନ ମଧ୍ୟ ଉଠୁଛି ଯେ ଶକ୍ତି ଅପାମାନଙ୍କର ଚିହ୍ନଟ ଏବଂ ନିଯୁକ୍ତି କ୍ଷେତ୍ରରେ ନିଶ୍ଚିତ ରୂପେ ରାଜନୀତିକ ହସ୍ତକ୍ଷେପ ରହିବ । କେତେକ କଲେଜ୍ରେ ଛାତ୍ରୀମାନେ ଆଣିଥିବା ଅଭିଯୋଗରେ ରାଜନୀତିକ ବ୍ୟକ୍ତିବିଶେଷଙ୍କର ଉଦାସୀନତା କିମ୍ବା ନୀରବ ସମର୍ଥନ ରହିଥିବା ଦେଖାଯାଉଛି । ଏଭଳି ପରିସ୍ଥିତିରେ ଶକ୍ତି ଅପାମାନେ ନିରପେକ୍ଷ ଭାବରେ କେତେଦୂର କାମ କରିବେ ଏବଂ ଛାତ୍ରୀଙ୍କୁ ନ୍ୟାୟ ତେବେ ତାହା ଆଉ ଏକ ବଡ଼ ପ୍ରଶ୍ନ । ତେବେ ଯାହା ବି ହେଉ ଏଭଳି ଏକ ବ୍ୟବସ୍ଥା ଯେତେ ଶୀଘ୍ର ଆରମ୍ଭ ହେବ ଉଚ୍ଚଶିକ୍ଷା ବିଭାଗ ପାଇଁ ସେତେ ଶୀଘ୍ର ମଙ୍ଗଳଦାୟକ ସାବ୍ୟସ୍ତ ହେବ । 
ଏ ପ୍ରସଙ୍ଗରେ ଆଉ ଗୋଟିଏ କଥା ହେଲା ଏ ପ୍ରକାରର ଅଭିଯୋଗଗୁଡ଼ିକ କେବଳ ଉଚ୍ଚ ଶିକ୍ଷାନୁଷ୍ଠାନରେ ସୀମିତ ନୁହେଁ । କେତୋଟି ଘଟଣାରେ ପ୍ରାଥମିକ ବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ମଧ୍ୟ ଛାତ୍ରୀମାନଙ୍କ ପ୍ରତି ଶିକ୍ଷକମାନେ ଅସଦାଚରଣ କରୁଥିବାର ଅଭିଯୋଗ ଆସିଛି । ଏ କ୍ଷେତ୍ରରେ ଶକ୍ତି ଅପାମାନଙ୍କର ଭୂମିକା କଣ ରହିବ ବୋଲି ଆଉ ଏକ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ୱାଭାବିକ । ଶିଶୁମାନଙ୍କର ସୁରକ୍ଷା ତଥା ମହିଳାମାନଙ୍କ ସୁରକ୍ଷା ପାଇଁ କାମ କରୁଥିବା ସମାଜସେବୀ, ପୁଲିସ୍ ଓ ନିରାପତ୍ତା ବାହିନୀରେ ଚାକିରି କରି ଅବସର ପାଇଥିବା ସରକାରୀ ମହିଳା କର୍ମଚାରୀ, ଆଇନ୍ ବିଶାରଦ ତଥା ସାଇବର ସ୍ୱୀକୁ୍ୟରିଟି ବିଶେଷଜ୍ଞ, ସ୍ୱାସ୍ଥ୍ୟ ଓ ମନସ୍ତତ୍ତ୍ୱ ସମ୍ପର୍କିତ ଜ୍ଞାନ ଥିବା ମହିଳା, ଛାତ୍ରକଲ୍ୟାଣ କମିଟିର ସଂଯୋଜିକା କିମ୍ବା କୌଣସି ଉଚ୍ଚଶିକ୍ଷାନୁଷ୍ଠାନର ମହିଳା ପ୍ରିନ୍ସିପାଲ୍ ଶକ୍ତି ଅପା ହୋଇ ପାରିବେ । ସରକାରୀ ନିଦେ୍ର୍ଦଶରେ ଏ ପ୍ରକାରର ଏକ ତାଲିକା ରହିଥିଲେ ମଧ୍ୟ ଏହି ତାଲିକା ଭିତରେ ନିର୍ବିବାଦୀୟ ମହିଳା ୫ ଜଣଙ୍କୁ ଖୋଜିବା ବାସ୍ତବରେ କେତେ କଷ୍ଟକର ତାହା ଜିଲ୍ଲାପାଳମାନେ ନିଶ୍ଚିତ ରୂପେ ଅନୁଭବ କରିବେ । 
ଏବେ ଏହି ଶକ୍ତିଅପାମାନଙ୍କୁ ମନୋନୀତ କରି ଚୂଡାନ୍ତ ତାଲିକା ଅଗଷ୍ଟ ୨୦ ତାରିଖ ସୁଦ୍ଧା ଉଚ୍ଚଶିକ୍ଷା ବିଭାଗରେ ଦାଖଲ କରିବାକୁ ନିଦେ୍ର୍ଦଶ ରହିଛି । ଏ ପ୍ରକାରର ନିଦେ୍ର୍ଦଶ ଜାରି କରାଯିବା ସମୟରେ ପ୍ରତି କଲେଜ୍ରେ ୫ ଜଣ ଶକ୍ତି ଅପା ରହିବେ ବୋଲି ଯୋଜନା ଥିବା ବେଳେ ପରବର୍ତ୍ତୀ ସମୟରେ ଜିଲ୍ଲା ପାଇଁ ୫ ଜଣ ରହିବେ ବୋଲି ନିଷ୍ପତ୍ତି ନିଆଗଲା । ସର୍ବୋତ ଭାବେ ଏ ପ୍ରକାରର ଏକ ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ନିରପେକ୍ଷ ଭାବରେ ଶକ୍ତିଅପାମାନେ କାର୍ଯ୍ୟ କରିଲେ ଉଚ୍ଚଶିକ୍ଷାନୁଷ୍ଠାନରେ ଛାତ୍ରୀମାନେ ନିଜକୁ ସୁରକ୍ଷିତ ମନେ କରିବେ ।