ଶସ୍ତା ହେବ ନିତ୍ୟ ବ୍ୟବହୃତ ସାମଗ୍ରୀ!
ଚଳିତ ମାସରେ ଅନୁଷ୍ଠିତ ହେବାକୁ ଯାଉଛି ସାମଗ୍ରୀ ଓ ସେବା କର (ଜିଏସ୍ଟି) ପରିଷଦର ୫୬ତମ ବୈଠକ । ପ୍ରୋଟୋକଲ୍ ଅନୁଯାୟୀ ବୈଠକର ୧୫ ଦିନ ପୂର୍ବରୁ ସୂଚନା ଦିଆଯିବା କଥା । କିନ୍ତୁ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ନୋଟିସ୍ ପୂର୍ବରୁ ହିଁ ବୈଠକ ହୋଇପାରେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ବର୍ତ୍ତମାନ ଦୈନନ୍ଦିନ ଜୀବନରେ ବ୍ୟବହୃତ ଅତ୍ୟାବଶକୀୟ ସାମଗ୍ରୀ ଉପରୁ ୧୨% ସ୍ଲାବ୍ ହଟାଇ ଏହାକୁ ୫% କିମ୍ବା ସମ୍ପୂର୍ଣ୍ଣ ଭାବେ ୧୨% ଜିଏସ୍ଟିକୁ ହଟାଇ ଦିଆଯିବାର ସମ୍ଭାବନା ରହିଛି । ଯାହାଦ୍ୱାରା ମଧ୍ୟବିତ୍ତ କିମ୍ବା ଆର୍ଥିକ ଅନୁନ୍ନତ ଶ୍ରେଣୀର ଲୋକ ଏହାର ଲାଭ ପାଇପାରିବେ । ଏହି ସାମଗ୍ରୀ ମଧ୍ୟରେ ରହିଛି ଘିଅ, ସାବୁନ, ଜୋତା, ଚପଲ, ମିଠା, ପୋଷାକ, ଟୁଥପେଷ୍ଟ ଓ କ୍ଷୀର ଭଳି ଦୈନିନ୍ଦିନ ଘରୋଇ ବ୍ୟବହାର ସାମଗ୍ରୀ ।
ଖବର ଅନୁଯାୟୀ, ଏହି ପଦକ୍ଷେପ ସରକାର ଉପରେ ୪୦,୦୦୦ କୋଟିରୁ ୫୦,୦୦୦ କୋଟି ଟଙ୍କାର ଆର୍ଥିକ ବୋଝ ସୃଷ୍ଟି କରିପାରେ । କିନ୍ତୁ ସରକାର ପ୍ରାରମ୍ଭିକ ପ୍ରଭାବକୁ ସମ୍ଭାଳିବାକୁ ପ୍ରସ୍ତୁତ । ଖର୍ଚ୍ଚ ବୃଦ୍ଧି ଏବଂ ଲୋକଙ୍କ ଉପରୁ ଅର୍ଥନୈତିକ ଚାପ ହ୍ରାସ ଏହାର ମୂଳ ଉଦେ୍ଦଶ୍ୟ । ସେହିପରି କମ୍ ମୂଲ୍ୟ ଯୋଗୁଁ ବିକ୍ରି ବୃଦ୍ଧି ପାଇବ ଏବଂ ଦୀର୍ଘକାଳୀନ ଭାବେ ଜିଏସ୍ଟି ସଂଗ୍ରହ ବୃଦ୍ଧି ପାଇବ । ସେହିପରି ଏ ପଦକ୍ଷେପ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ବିଶେଷ କରି ନିର୍ବାଚନ ଅବ୍ୟବହିତ ପୂର୍ବରୁ ଓ ଲୋକେ ବ୍ୟବହାର କରୁଥିବା ଦୈନନ୍ଦିନ ସାମଗ୍ରୀର ବୃହତ୍ତମ ଅଂଶ ଉପରେ ମୁଦ୍ରାସ୍ପୀତି ଚାପକୁ କମ୍ କରିବାରେ ସହାୟକ ହେବ । ବୈଠକରେ ଯଦି ଏହି ପ୍ରସ୍ତାବ ପାରିତ ହୁଏ, ତେବେ ୨୦୧୭ରୁ ଆରମ୍ଭ ହୋଇଥିବା ଜିଏସ୍ଟି କ୍ଷେତ୍ରରେ ତଥା ଜିଏସ୍ଟି ହ୍ରାସ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।