କାଳ ହେଲା ଚୋରା ମାଙ୍ଗାନିଜ ଖନନ : ମାଟି ଅତଡ଼ା ଖସି ୩ ମୃତ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡା ଖଣି କ୍ଷେତ୍ରରେ ଅବସ୍ଥିତ ବିଛାକୁଣ୍ଡି ନିକଟସ୍ଥ ଦଲପାହାଡ ଠାରେ ଚୋରା ମାଙ୍ଗାନିଜ ଖନନ ବେଳେ ଅତଡ଼ା ଖସି ୩ ଜଣଙ୍କ ମୃତୁ୍ୟ ଘଟିଛି । ବୈତରଣୀ ସଂରକ୍ଷିତ ଜଙ୍ଗଲ ଭିତରେ ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ଅତି ମୂଲ୍ୟବାନ ମାଙ୍ଗାନିଜ ଚୋରା ଖନନ ଚାଲିଥିବା ବେଳେ ଏଭଳି ଅଘଟଣ ଘଟଛି ।
ମଙ୍ଗଳବାର ଅଣ୍ଡରକୋଟ ଏରିଆ ଭିତରେ ପଶି ଖନନ କରୁଥିବା ବେଳେ ହଠାତ୍ ମାଟି ଅତଡ଼ା ଖସି ପଡିଥିଲା । ଫଳରେ ସେଠାରେ ଖନନରତ ୩ ଜଣ ଶ୍ରମିକ ମାଟି ଭିତରେ ଚାପି ହୋଇଯାଇଥିଲେ ।ଘଟଣା ସଂପର୍କରେ ସେଠାରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଆସି ସ୍ଥାନୀୟ ଲୋକଙ୍କୁ କହିବା ପରେ ପୁଲିସ ବିଳମ୍ବିତ ରାତିରେ ଖବର ପାଇଥିଲା । ପୁଲିସ, ବନ ବିଭାଗ ଓ ଅଗ୍ନିଶମ ବାହିନୀ ରାତିରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ହେଁ ଲଗାଣ ବର୍ଷା, ଦୁର୍ଗମ ଅଞ୍ଚଳ, ବନ୍ୟଜନ୍ତୁଙ୍କ ଭୟ ହେତୁ କାର୍ଯ୍ୟକୁ ରାତି ବେଳେ ସ୍ଥଗିତ କରାଇ ବୁଧବାର ସକାଳୁ ଉଦ୍ଧାର କାର୍ଯ୍ୟ ପୁନଃଆରମ୍ଭ କରି ୩ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ । ମୃତ ଯୁବକମାନେ ହେଲେ ବିଛାକୁଣ୍ଡୀ ଅଞ୍ଚଳର ସନ୍ଦୀପ ପୂର୍ତ୍ତି(୩୨), କାଣ୍ଡେ ମୁଣ୍ଡା (୧୯ ) ଓ ଗୁରୁ ଚମ୍ପିଆ (୧୮) । ଏସମ୍ପର୍କରେ ବଡ଼ବିଲ ଏସଡିପିଓ ଦେବେନ୍ଦ୍ରନାଥ ପିଙ୍ଗିଆ ସୂଚନା ଦେଇ କହିଛନ୍ତିଯେ, ଏହି ଅଞ୍ଚଳ ସଂରକ୍ଷିତ ଜଙ୍ଗଲ ହୋଇଥିବାରୁ ବନବିଭାଗ ସହିତ ସମନ୍ୱୟ ରକ୍ଷା କରାଯାଇ ତଦନ୍ତ କରାଯାଉଛି । କେନ୍ଦୁଝର ଡିଏଫ୍ଓ ଏଚଡି ଧନରାଜଙ୍କ ସହିତ ବନ ବିଭାଗର ଏକ ଉଚ୍ଚସ୍ତରୀୟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏନେଇ ବନ ବିଭାଗର ଏତଲାକୁ ଭିତ୍ତି କରି ଯୋଡା ଥାନାରେ ଏକ ଅପମୃତୁ୍ୟ ମାମଲା ୧୯/୨୦୨୫ ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିବା ବଡବିଲ ଏସଡିପିଓ ଦେବେନ୍ଦ୍ରନାଥ ପିଙ୍ଗିଆ କହିଛନ୍ତି ।