ଶୁଭ ବିବାହ ଓ ଗୃହସ୍ଥାଶ୍ରମ

ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର : ବାପା ମୋତେ ମାତ୍ର ବାଇଶି ବର୍ଷ ବୟସରେ ବାହା କରିଦେଲେ  । ବାପାଙ୍କ ଆଦେଶକୁ ଉଲ୍ଲଂଘନ କରିବାର ଶକ୍ତି ମୋର ନଥିଲା  । ସେ ପ୍ରାୟ ଅସୁସ୍ଥ ରହୁଥିଲେ ଏବଂ ବେଶିଦିନ ବଞ୍ଚôବେ ନାହିଁ ବୋଲି ଭାବୁଥିଲେ  । ତେଣୁ ଆମ ଗାଁର ଶିକ୍ଷକ ଯମେଶ୍ୱର ଦାଶଙ୍କ ଏକମାତ୍ର କନ୍ୟା ଛାୟାରାଣୀଙ୍କ ସହିତ ମୋର ବାହାଘର ସ୍ଥିର କରିସାରି ମୋତେ ଗାଁକୁ ଆସିବାକୁ ଚିଠି ଲେଖିଲେ  । ଗାଁରେ ପହଞ୍ଚô ଜାଣିଲି ଯେ ମୋର ବାହାଘର ଠିକ ହୋଇସାରିଛି  । ସେ ସମୟରେ ନିର୍ବନ୍ଧ ହେଉନଥିଲା  । ଜାତକ ମେଳକ ହେବା ପରେ  ବାପା କିଛି ମିଠା ନେଇ ଗଲେ ଓ ତାଙ୍କ ଭାବିବୋହୂ  ହାତରେ କିଛି ଟଙ୍କା ଦେଲେ  । ତାପରେ ବାହାଘର ତିଥି ନିର୍ଣ୍ଣୟ କରି ମୋତେ ଗାଁକୁ ଆସିବାକୁ ଚିଠି ଲେଖିଲେ  । ଶୀଘ୍ର ମୋର ବିଭାଘର  କାହିଁକି କରୁଛନ୍ତି ବୋଲି ବାପାଙ୍କୁ ପ୍ରଶ୍ନ ପଚାରିବାକୁ ମୋର ସାହସ ନଥିଲା  । ୧୯୭୨ ମେ ୨୫ ବୈଶାଖ ଶୁକ୍ଳ ଦ୍ୱାଦଶୀରେ ମୋର ବିବାହ ବୈଦିକ ରୀତିରେ ନିରାଡମ୍ବରରେ ହୋଇଥିଲା  ।
ବାହାଘର ପରେ ମୋର ଗୃହସ୍ଥାଶ୍ରମ ଆରମ୍ଭ ହେଲା  । ବିଜ୍ଞଙ୍କ ମତରେ ଜୀବନର ଚାରି ଆଶ୍ରମ ମଧ୍ୟରେ ଗୃହସ୍ଥାଶ୍ରମ ହିଁ ଶ୍ରେଷ୍ଠ  । ନିରାସକ୍ତ ଗୃହସ୍ଥାଶ୍ରମରେ  ନିରନ୍ତର ଭଗବତସଭା ଉପଲବ୍ଧô ହୋଇଥାଏ  । ଗୃହସ୍ଥାଶ୍ରମରେ ସରଳ ଜୀବନ ଓ ଉଚ୍ଚଚିନ୍ତାଧାରାର ବିକାଶ ଘଟାଇ ପାରିଲେ ସଂସାର ସ୍ୱର୍ଗ ସମ ପ୍ରତୀତ ହୋଇଥାଏ  । ମୁଁ ଓ ଛାୟାରାଣୀ ଏକା ଗାଁର ପୁଅ ଝିଅ , କିନ୍ତୁ ବାହାଘର ପୂର୍ବରୁ ଆରମ୍ଭ କେବେ ଦେଖାସାକ୍ଷାତ ବା କଥାବାର୍ତ୍ତା ହୋଇନଥିଲା  । ମୋ ବାପାମାଆଙ୍କର ମୁଁ ଏକମାତ୍ର ପୁଅ ଏବଂ ତାଙ୍କ ବାପାମାଆଙ୍କର ସେ ଏକମାତ୍ର ଝିଅ  । ଆମେ ପରସ୍ପରକୁ ବାହାହେବୁ ବୋଲି କେବେ ସ୍ୱପ୍ନରେ ବି ଭାବିନଥିଲୁ  । ଆମେ ଉଭୟ ଏକ ବିଭାଘରକୁ ଈଶ୍ୱରଙ୍କ ଇଛା ବୋଲି ଭାବିନେଲୁ  । ମୋ ବାପା ଜଣେ ସତ୍ୟନିଷ୍ଠ, ଦୃଢପ୍ରତିଜ୍ଞ ଓ ଗାନ୍ଧିବାଦୀ ଥିଲେ ତଥା ଶ୍ୱଶୁର ଜଣେ ଆଦର୍ଶ ଶିକ୍ଷାବିତ୍ ଥିଲେ  । ଉଭୟ ବାପାମାଆଙ୍କର ଆଶୀର୍ବାଦକୁ ସମ୍ବଳ କରି ଆମେ ଗୃହସ୍ଥାଶ୍ରମ ଆରମ୍ଭ କଲୁ  । ସେତେବେଳକୁ ମୋତେ କମ୍ ବୟସ ହୋଇଥିଲେ ହେଁ ଜଣେ ଧର୍ମପ୍ରାଣ, ଶାସ୍ତ୍ରାଭାଷୀ, ଭକ୍ତିମାର୍ଗୀ ଯୁବକ ଭାବରେ ମୁଁ ସଭିଙ୍କର ସ୍ନେହାଷ୍ପଦ ହୋଇ ପାରିଥିଲି  । ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଚନ ଦେଇ ମୁଁ ସଭିଁଙ୍କର ପ୍ରିୟ ହୋଇପାରିଥିଲି  । ବିଭିନ୍ନ ପତ୍ରପତ୍ରିକାରେ ଲେଖୁଥିବା ଯୋଗୁଁ ବିଜ୍ଞପ୍ରାଜ୍ଞଙ୍କର ମୁଁ ସ୍ନେହଭାଜନ ହୋଇପାରିଥାଏ  । ଛାୟାରାଣୀ ମଧ୍ୟ ଜଣେ ସହିଷ୍ଣୁ ଓ ଭକ୍ତିମତୀ ଝିଅ ଥିଲେ  । ଆମ ମିଳନ ଏକ ଦିବ୍ୟ ମିଳନ ବୋଲି ଆମେ ଅନୁଭବ କରୁଥିଲୁ  । ବାହାଘରକୁ ଆମେ ପିଲାଖେଳ ବା ଆମୋଦ ପ୍ରମୋଦ ନମଣି ବାପାମାଆ ଓ ପୂଜ୍ୟ ଗୁରୁଦେବଙ୍କ ଆଶୀର୍ବାଦରେ ନୈତିକ ଜୀବନ ଭାବରେ ଗ୍ରହଣ କରିଥିଲୁ  ।
ମୋ ଗୃହସ୍ଥାଶ୍ରମର କେନ୍ଦ୍ର ଥିଲେ ଛାୟାରାଣୀ  । ତାଙ୍କ ଗୃହିଣୀଧର୍ମ ଉପରେ ଆମ ଭବିଷ୍ୟତ ନିର୍ଭର କରୁଥିଲା ବୋଲି ମୁଁ ତାଙ୍କୁ ବୁଝାଇଦେଲି  । ପତିବ୍ରତା ବ୍ରତ ପାଳନ କରୁଥିବା ଗୃହିଣୀ ସାକ୍ଷାତ ଦେବୀ ସଦୃଶ ବୋଲି ମୁଁ ତାଙ୍କୁ କହିଥିଲି  ।  ପତିବ୍ରତା ଗୃହିଣୀ ମାନବୀ ହେଲେ ହେଁ ଦିବ୍ୟ ଶକ୍ତିର ଅଧିକାରିଣୀ ହୋଇପାରେ ବୋଲି ମୁଁ ଅନେକ ଉଦାହରଣ ତାଙ୍କୁ ଦେଇଥିଲି  । ସେ ମୋ କଥାକୁ ସହଜରେ ଗ୍ରହଣ କରୁଥିଲେ ତଥା ମୋ ସମ ସ୍ୱାମୀ ଲାଭ କରିଛନ୍ତି ବୋଲି ନିଜକୁ ଭାଗ୍ୟବତୀ ମନେ କରୁଥିଲେ  । ସେ ହୃଦୟଙ୍ଗମ କରିଥିଲେ ଯେ ଭାରତୀୟ ନାରୀ ପବିତ୍ରତାର ଗଙ୍ଗା ଓ ଶାନ୍ତିର ଯମୁନା  । ପୁରାଣ ଯୁଗରେ ଅନୁସୟା, ସାବିତ୍ରୀ, ସୀତା ପ୍ରଭୃତି ନାରୀ ପତିବ୍ରତା ଧର୍ମପାଳନ ଦ୍ୱାରା ମହାଶକ୍ତି ପ୍ରାପ୍ତ ହୋଇଥିଲେ  । ଏପରିକି ଅନୁସୟାଙ୍କ ପତିବ୍ରତା ବ୍ରତର ପ୍ରଭାବରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ତାଙ୍କର ପୁତ୍ର ହୋଇ ଭଗବାନ ଦତ୍ତାତ୍ରେୟଙ୍କର ଅବତାର ସମ୍ଭବ ହୋଇଥିଲା ଏବଂ ପତିବ୍ରତା ସାବିତ୍ରୀ ମୃତ ସ୍ୱାମୀ ସତ୍ୟବାନଙ୍କୁ ବଞ୍ଚାଇ ପାରିଥିଲେ  । କେବଳ ଛାୟାରାଣୀଙ୍କ ଗୃହିଣୀ ଧର୍ମ ନୁହେଁ, ମୋ ଗୃହସ୍ଥ ଧର୍ମ ସମ୍ବନ୍ଧରେ ମୁଁ ସଚେତନ ଥିଲି  । ମୁଁ ଜାଣିଥିଲି ଯେ ଗୃହସ୍ଥମାନଙ୍କର ମହାନ ଆଦର୍ଶ ହେଉଛି ଏକ ପତ୍ନୀବ୍ରତ  । ଏହି ବ୍ରତରେ ନିଜର ସହଧର୍ମିଣୀ ବ୍ୟତୀତ  ସଂସାରର ସକଳନାରୀ ମାତୃବତ୍  । ‘ମାତୃବତ୍ ପରଦାରେଷୁ’ ମନ୍ତ୍ରରେ ଦୀକ୍ଷିତ ହେଲେ ଗୃହସ୍ଥ ଅନନ୍ତ ଶକ୍ତିର ଅଧିକାରୀ ହୋଇପାରନ୍ତି  । ସମସ୍ତ ସ୍ତ୍ରୀଙ୍କୁ ମାତୃ ରୂପରେ ଦର୍ଶନ କରି ସଦ୍ଗୃହସ୍ଥ ସର୍ବତ୍ର ଜଗଜ୍ଜନନୀ ଭଗବତୀଙ୍କର ଉପସ୍ଥିତି ହିଁ ଅନୁଭବ କରିଥାନ୍ତି  । ଏହି ଦିବ୍ୟ ଦୃଷ୍ଟିରେ ମୁଁ ଛାୟାରାଣୀଙ୍କୁ କେବଳ ପ୍ରେମିକା ଭାବରେ ବିଚାର ନକରି ଜଗଜ୍ଜନନୀ ଭଗବତୀ ତୁଲ୍ୟ ଜ୍ଞାନ କରୁଥିଲି  । ମୋ ନିକଟରେ ସେ ସ୍ତ୍ରୀ ବା  ପତ୍ନୀ ନଥିଲେ, ସହଧର୍ମିଣୀ ଥିଲେ  ।
ଆମେ ଉଭୟ  ହୃଦୟଙ୍ଗମ କରିଥିଲୁ ଯେ ଉପାସନା ହିଁ ଗୃହସ୍ଥାଶ୍ରମର ଶ୍ରେଷ୍ଠ ଧର୍ମାଚରଣ  । ଆମ ପରିବାରକୁ ଭଗବାନଙ୍କର ନିକଟତର କରିବାକୁ ଆମେ ଉପାସନାକୁ ପରମକର୍ତ୍ତବ୍ୟ ଭାବରେ ଗ୍ରହଣ କରିଥିଲୁ  ।  ପ୍ରତ୍ୟେକ ଦିନ ସ୍ନାନାନ୍ତେ ଠାକୁର ଘରେ ସ୍ତବସ୍ତୋତ୍ର ପାଠ, ଗୀତା ପାଠ, ରାମାୟଣ ପାଠ ଓ ଗୁରୁମନ୍ତ୍ର ଜପ କରିବା ଦ୍ୱାରା ଆମ ମନ ନିଶ୍ଚଳ ହୋଇ ଈଶ୍ୱରାଭିମୁଖୀ ହେଉଥିଲା  । ସନ୍ଧ୍ୟାରେ ମଧ୍ୟ ଆମେ ଗୁରୁବନ୍ଦନା, ପ୍ରାର୍ଥନା ଓ ଭାଗବତ ପାଠ କରୁଥିଲୁ  । ସାଂସାରିକ ଜୀବନରେ ଶାନ୍ତି, ଅଶାନ୍ତି, ସୁଖ ଦୁଃଖ, ଯନ୍ତ୍ରଣା ଓ ସଂଘର୍ଷ ଯାହା ଆସୁନା କାହିଁକି ଆମେ ସେସବୁକୁ ଈଶ୍ୱରାର୍ପଣ କରି ଲାଘବ କରିବାକୁ ଚେଷ୍ଟା କରିଥିଲୁ  । ସଂସାର ପ୍ରତି ଭୋ÷ତିକ ଦୃଷ୍ଟି ନଦେଇ ସୂକ୍ଷ୍ମ ଓ ଦିବ୍ୟ ଦୃଷ୍ଟିରେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଭଗବତ ଉପଲବ୍ଧିରେ କଟାଇବାର ଆମେ ସଂକଳ୍ପ ନେଲୁ  । ନିୟମିତ ଉପାସନା ଦ୍ୱାରା ଆମ ବାହ୍ୟ ସଂସାର ଓ ଅନ୍ତଃସ୍ଥ ଜୀବନ ଈଶ୍ୱରଙ୍କ ସହିତ ଯୋଗ ହୋଇ ଆମେ ପରମତୃପ୍ତି ଲାଭ କରୁଥିଲୁ  । ପୂଜ୍ୟ ଗୁରୁଦେବଙ୍କ କୃପା ଓ ଆମ ଉଭୟଙ୍କ ପିତାମାତାଙ୍କ ସତ୍କର୍ମ ଯୋଗୁ ଆମ ଗୃହସ୍ଥାଶ୍ରମ ସାଂସାରିକ ନହୋଇ ଆଧ୍ୟାତ୍ମିକ ହୋଇଗଲା ତଥା ଅଜ୍ଞାନର ଅନ୍ଧକାର ବିନାଶ ହୋଇ ଦିବ୍ୟଜ୍ୟୋତି ଉଦ୍ଭାସିତ ହେଲା  । ଆମେ ଅନୁଭବ କଲୁ ଯେ ଗୃହସ୍ଥାଶ୍ରମ ଆମ ନିମିତ୍ତ ସଂସାର ବନ୍ଧନର କାରଣ ନହୋଇ ମୋକ୍ଷର ତୀର୍ଥରେ ପରିଣତ ହୋଇଯାଇଥିଲା  । ଆମେ ସର୍ବଦା ଭାବୁଥିଲୁ ଯେ ଆମେ ପରିବାରଟି ଭଗବାନଙ୍କ ନିବାସସ୍ଥଳୀ ପାଲଟିଯାଇଛି ଏବଂ ଆମେ ଦାସାନୁଦାସ ଭାବରେ ସେଠାରେ ନିବାସ କରୁଛୁ  । ସଂକ୍ଷେପରେ ଉଲ୍ଲେଖ କଲେ, ଆମ ଗୃହସ୍ଥ ଜୀବନ ପୂଜ୍ୟ ଗୁରୁଦେବଙ୍କ କୃପା ଓ ଉଭୟ ପିତାମାତାଙ୍କ ସୁକୃତରୁ ଐଶ୍ୱରୀୟ ସୋ÷ଭାଗ୍ୟର ଉଦ୍ଦୀପନାରେ ପରିଚାଳିତ ହୋଇ ସର୍ବତ୍ର ଐଶ୍ୱରୀୟ ସତ୍ତାର ଦୃଶ୍ୟମାନ ପରିପ୍ରକାଶ ଅନୁଭୂତ ହେଉଥିଲା  ।
ମୁଁ ବାପାଙ୍କ ଆଦର୍ଶରେ ଗଠିତ ଏବଂ ଛାୟାରାଣୀ ତାଙ୍କ ବାପାଙ୍କ ଆଦର୍ଶରେ ଗଠିତ  । ଉଭୟ ବାପା ଆମର ମିଳନ କରାଇଦେଇ ଦିବ୍ୟଗୃହସ୍ଥାଶ୍ରମ ଯାପନର ଆଶୀର୍ବାଦ ପ୍ରଦାନ କରିଥିଲେ  । ସେମାନେ ଆମ ଭିତରେ ଚେତନା ସୃଷ୍ଟି କରିଥିଲେ ଯେ ସଂସାର ଏକ ଧର୍ମଶାଳା  । ଏଠାରେ ନିବାସ ଓ ସ୍ୱଜନଙ୍କ ସହ ମିଳନ ପାନ୍ଥଶାଳାରେ ଅନ୍ୟାନ୍ୟ ଯାତ୍ରୀଙ୍କ ସହିତ ମିଳନ ସଦୃଶ କ୍ଷୟସ୍ଥାୟୀ  । ଶ୍ରୀମଦ୍ ଭାଗବତରେ ଉକ୍ତ ଅନୁଯାୟୀ:-
ପୁତ୍ର ବାରାପ୍ତବନ୍ଧୁନାଂ ସଙ୍ଗମଃ ପାନ୍ଥସଙ୍ଗମଃ,
ଅନୁଦେହଂ ବିୟନ୍ତ୍ୟେତେ ସ୍ୱପ୍ନୋ ନିଦ୍ରାନୁଗୋ ଯଥା  ।
ନିଦ୍ରା ଥିବା ପର୍ଯ୍ୟନ୍ତ ଯେପରି ସ୍ୱପ୍ନ ଥାଏ ଏବଂ ନିଦ୍ରା ପରେ ସ୍ୱପ୍ନ ଅନ୍ତର୍ହିତ ହୁଏ, ସେହିପରି ଶରୀର ଥିବା ପର୍ଯ୍ୟନ୍ତ ଏମାନେ ରହିଥାନ୍ତି  । ମୃତୁ୍ୟପରେ ସେମାନଙ୍କ ସହିତ ସମ୍ବନ୍ଧ ରହେ ନାହିଁ  । ଏହି ଚେତନାରେ ଅନାସକ୍ତ ଭାବରେ ଗୃହସ୍ଥାଶ୍ରମରେ ମମତା ଓ ଅହଂକାର ଶୂନ୍ୟ ହୋଇ ଜୀବନଯାପନ କରିବାକୁ ଭାଗବତରେ ଉପଦେଶ ପ୍ରଦାନ କରାଯାଇଛି  । ଅନ୍ୟଥା ଗୃହସ୍ଥାଶ୍ରମ ବନ୍ଧନ ସଦୃଶ ପ୍ରତିଭାତ ହେବ  । ଅନାସକ୍ତ ଓ ନିଃସ୍ୱାର୍ଥ ଭାବର ସହିତ ଗୃହସ୍ଥାଶ୍ରମ ପାଳନ କଲେ ଲୋଭ, ମୋହ, କାମ, ରାଗ, ଦ୍ୱେଷ, ଶତ୍ରୁତା ଓ ସଂଘର୍ଷର ପ୍ରଶ୍ନ ଉଠିବ ନାହିଁ  । ଗୃହସ୍ଥାଶ୍ରମ ଆତ୍ମବିକାଶ ଓ ଆଦର୍ଶମୟ ଜୀବନ ଯାପନର କ୍ଷେତ୍ର  । ଦମ୍ପତ୍ତିଙ୍କର ଏହା ହେଉଛି ଯୋଗର ମନ୍ଦିର  । ଗୃହସ୍ଥାଶ୍ରମରେ ସାଧନାରେ ବ୍ରତୀ ରହିଲେ ଏହା ବନ୍ଧନର କାରଣ ହେବ ନାହିଁ  । ଗୃହସ୍ଥାଶ୍ରମରେ ଜୀବନର ପରମ ଲକ୍ଷ୍ୟସ୍ଥଳରେ ପଦାର୍ପଣ କରିହୁଏ  । ବୈଦିକ ଯୁଗରେ ଗୃହସ୍ଥାଶ୍ରମରେ ମହର୍ଷି ଯାଜ୍ଞବଲ୍କ ବ୍ରହ୍ମୋପଲବଧି କରିଥିଲେ  । ଅଧିକନ୍ତୁ, ତଦୀୟ ଧର୍ମପତ୍ନୀ ମୈତ୍ରେୟୀ ବ୍ରହ୍ମାନୁଭୂତିରେ ଉଦ୍ବୁଦ୍ଧ ହୋଇ ଅସ୍ଥିର ଲୋ÷କିକ ସଂପତ୍ତି ଗ୍ରହଣ କରିବାରେ ନିତାନ୍ତ ଅନାସ୍ଥାଭାବ ଦେଖାଇଲେ  । ରାଜର୍ଷି ଜନକଙ୍କର ଗୃହସ୍ଥାଶ୍ରମ ସମଗ୍ର ବିଶ୍ୱରେ ଆଦର୍ଶ ଥିଲା  । ରାଜ୍ୟ, ରାଜକ୍ଷମତା, ରାଜଦଣ୍ଡ, ରାଜମୁକୁଟ ଓ ରାଜପ୍ରାସାଦ ପ୍ରତି ତାଙ୍କର ସାମାନ୍ୟତମ ମୋହ ନଥିଲା  । ରାଜା ହୋଇ ମଧ୍ୟ ନିରନ୍ତର ବ୍ରହ୍ମାନୁସନ୍ଧାନୀ ଥିବାରୁ ସେ ରାଜର୍ଷି ରୂପେ ପ୍ରସିଦ୍ଧି ଲାଭ କରିଥିଲେ  । ବ୍ରହ୍ମର୍ଷି ବଶିଷ୍ଠ, ମହର୍ଷି ଅଗସ୍ତି, ଋଷି ଗର୍ଗ, ମହର୍ଷି ବ୍ୟାସ, ମହର୍ଷି ପରାଶର, ମହର୍ଷି ଭୃଗୁ, ମାନବଧର୍ମ ଶାସ୍ତ୍ର  ପ୍ରଣେତା ମହର୍ଷି ମନୁ, ମହର୍ଷି ଉଦାଳକ, ମହର୍ଷି ଅତ୍ରି ପ୍ରଭୃତି ଅଗଣିତ ସିଦ୍ଧ, ସାଧୁ, ସନ୍ଥ ସଭିଏଁ ଗୃହସ୍ଥ ଥିଲେ ଏବଂ ଗୃହସ୍ଥାଶ୍ରମରେ ଈଶ୍ୱରୋପଲବ୍ଧିର ଦିବ୍ୟଜ୍ଞାନ ପ୍ରାପ୍ତି ପୂର୍ବକ ପ୍ରାତଃ ସ୍ମରଣୀୟ ହୋଇଛନ୍ତି  । ସେମାନଙ୍କର ଗୃହସ୍ଥାଶ୍ରମର ପ୍ରସଙ୍ଗ ତୁମ ଦୁଇଜଣଙ୍କର ଆଦର୍ଶ ହେଉ  । ଆମ ପିତାଦ୍ୱୟ ଦେଇଥିବା ଉପଦେଶ ଓ ବର୍ଣ୍ଣନା କରିଥିବା କଥା ଆମ ହୃଦୟରେ ଲିପିବଦ୍ଧ ହୋଇ ରହିଛି ଏବଂ ସେହି ଉପଦେଶକୁ ପାଥେୟ କରି ଆମେ ଗୃହସ୍ଥାଶ୍ରମରେ ବ୍ରତୀ  ।
ଆମ ଦାମ୍ପତ୍ୟ ଜୀବନକୁ ସରସ, ସରଳ, ସୁନ୍ଦର ଓ ସୁଖମୟ କରି ଗଢିବାକୁ ଉଭୟଙ୍କର ବାପା ମାଆ ବହୁ ପ୍ରଯତ୍ନ କରିଥିଲେ  । ସେମାନେ କହିଥିଲେ ଯେ ଜୀବନ ଏକ ଦୁଃଖାଳୟ  । ସକଳ ଦୁଃଖକୁ ଏଡାଇ ଦେବାକୁ ସତ୍ୟ ଓ ନ୍ୟାୟର ପୂଜାରୀ ହେବାକୁ ପଡିବ  । ବର୍ତ୍ତମାନ ସାରା ସଂସାର ଧନପାଗଳ, ଧନକୁ କେନ୍ଦ୍ର କରି ହିଂସା, ଦ୍ୱେଷ, ସଂଘର୍ଷ ବୃଦ୍ଧି ପାଇଛି  । ଅତ୍ୟଧିକ ଧନସଞ୍ଚୟ ତଥା ଅନ୍ୟମାନଙ୍କ ଶୋଷଣ ପୂର୍ବକ ଧନ ସଂପତ୍ତି ବୃଦ୍ଧି କରିବାର ରୁଗ୍ଣ ମନୋବୃତ୍ତିରୁ ସବୁବେଳେ ଦୂରେଇ ରହିବ  । ଏକ ଚତୁର ବେପାରୀ ସଦୃଶ ସଭିଁଏ ଆପଣା ଆପଣାର ଧନ ସଂପତ୍ତି ବୃଦ୍ଧି କରିବାରେ ବ୍ୟସ୍ତ ଓ ବିବ୍ରତ  । ଏହି କାରଣରୁ ସଂସାରରେ ଦୁଃଖ, ହିଂସା, ଦ୍ୱେଷ, ସଂଘର୍ଷ, ଯୁଦ୍ଧ ଯନ୍ତ୍ରଣା ବୃଦ୍ଧି ପାଇ ବିଭେଦ, ବିଭାଜନ ଓ ସଂକୀର୍ଣ୍ଣତା ସମାଜକୁ ବିକୃତ କଲାଣି  । ଏକ ଉକ୍ରଟ ସାମାଜିକ ବ୍ୟାଧି ସଦୃଶ ଏହା ଦିନକୁ ଦିନ ବୃଦ୍ଧି ପାଇ ସମାଜରେ ଅନ୍ୟାୟ, ଅତ୍ୟାଚାର, ଅପମିଶ୍ରଣ, କଳାବଜାର, ଘୃଣା ଓ ଦୁର୍ନୀତିର ବ୍ୟାପକ ପ୍ରସାର ଘଟିଛି  । ଏହି ପରିପ୍ରେକ୍ଷୀରେ ତୁମ ଦୁଇଜଣଙ୍କୁ ସତର୍କ କରା ହେଉଛି ଯେ ଭୋଗ ମନୋବୃତ୍ତି ପରିହାର କରି ତ୍ୟାଗ ମନୋବୃତ୍ତିକୁ ଆପଣେଇ ନେବ  । ଭୋଗରେ ଦୁଃଖ, ଅଶାନ୍ତି ଓ ସଂଘର୍ଷ ରହିଛି ତଥା ତ୍ୟାଗରେ ସୁଖ, ଶାନ୍ତି ଓ ଆନନ୍ଦ ରହିଛି  । ପ୍ରାଚୀନ ଭାରତର ଉପନିଷଦ କାଳୀନ ମହାତ୍ମାବୃନ୍ଦ ଏହି ଦିବ୍ୟ ଦୃଷ୍ଟିରେ କହିଥିଲେ  ।
ଇଶାବାସ୍ୟାମିଦଂ ସର୍ବଂ ଯଦ୍କିଞ୍ଚ ଜଗତ୍ୟଂଜଗତ,
ତେନ ତ୍ୟତନ୍ତନ ଭାଷୀଥାଃ ମା ଗୃଧଃ କସ୍ୟସ୍ମିଦ ଧନମ୍  ।
ସଂକ୍ଷେପରେ ଏହାର ଅର୍ଥ ହେଉଛି, ସକଳ ଜଗତ ପରଂବ୍ରହ୍ମ ପରିପୂରିତ ଏବଂ ଧନ ସଂପଦ ପ୍ରତି ଲୋଭ ପରିହାର ପୂର୍ବକ ତ୍ୟାଗର ସହିତ ଭୋଗ କରିବା ଦ୍ୱାରା ସର୍ବତ୍ର ଈଶ୍ୱରଙ୍କ ସ୍ଥିତି ଅନୁଭୂତ ହୋଇଥାଏ  । ଏଥିରେ ଦୁଃଖ ନାହିଁ  । ରାମାୟଣ ଓ ମହାଭାରତରେ ଏହାହିଁ କୁହାଯାଇଛି  । ରାମାୟଣରେ ତ୍ୟାଗର ପରାକାଷ୍ଠାରେ ଭାଇ ଭାଇ ଠାରୁ ନେବ ନାହିଁ ବୋଲି କହିଲେ, ଅଥଚ ମହାଭାରତରେ ଭୋଗର ପରାଭବରେ ଭାଇ ଭାଇକୁ ଦେବ ନାହିଁ  ବୋଲି କହିଲେ  । ଏହି ଦୁଇ ପରମଶାସ୍ତ୍ରରେ ତ୍ୟାଗର ପରାକାଷ୍ଠା ଓ ଭୋଗର ପରାଭବ ହିଁ ବର୍ଣ୍ଣିତ  । ତ୍ୟାଗ ପୂର୍ବକ ଭୋଗର ଆଦର୍ଶରେ ଭାରତୀୟ ସଂସ୍କୃତ ମହିମାମଣ୍ଡିତ  । ତେଣୁ ଭୋଗ ଓ ପ୍ରାଚୁର୍ଯ୍ୟରେ ଆତ୍ମହରା ହୋଇ ବିବେଚନା ହୀନ ହେବ ନାହିଁ, ତ୍ୟାଗ ପୂର୍ବକ ଭୋଗର ଆଦର୍ଶକୁ ସ୍ୱୀକାର କରିନେଲେ ତୁମ ଦୁଇଜଣଙ୍କର ହୃଦୟ ଦ୍ୱନ୍ଦ୍ୱଶୂନ୍ୟ ହୋଇ ଆନନ୍ଦ ଜାତ ହେବ  ।
ସେମାନେ ଆଉ ଗୋଟିଏ ମହତ୍ତ୍ୱଶାଳୀ ପ୍ରସଙ୍ଗ ଆମକୁ ଶିକ୍ଷା ଦେଇ କହିଥିଲେ ଯେ, ଈଶ୍ୱର କୃପାକଲେ ତୁମେ ସନ୍ତାନ ସନ୍ତତିଙ୍କର ଜନକ ଜନକୀ ବୋଲାଇବ  । କିନ୍ତୁ ମନେ ରଖିବ ସନ୍ତାନ ସନ୍ତତି ହେଉଛନ୍ତି ଭଗବାନଙ୍କର ଆଶୀର୍ବାଦ  । ତୁମେ ସେମାନଙ୍କୁ ଭୋ÷ତିକ ସ୍ଥୂଳ ଶରୀର ପ୍ରଦାନ କରିବ ସତ, ହେଲେ ସେମାନଙ୍କ ଭିତରେ ଥିବା ଜୀବାତ୍ମା ପ୍ରକୃତରେ ପରମାତ୍ମାଙ୍କ ଅଂଶ ସ୍ୱରୂପ   । ତୁମେ ଯେଉଁ ସନ୍ତାନ ସନ୍ତତିକୁ ଜନ୍ମ କରିବ ସେମାନେ ସୃଷ୍ଟିର ଚିରାଚରିତ ନିୟମରେ ସେମାନଙ୍କର ପ୍ରାରବ୍ଧ ଅନୁସାରେ ସୁଖଦୁଃଖ ଭୋଗ କରିବା ନିମିତ୍ତ ଜନ୍ମ ନେବେ  । ତୁମେ ନିମିତ୍ତ ମାତ୍ର  । ଏହି ଦିବ୍ୟ ଚେତନାରେ ସନ୍ତାନ ସନ୍ତତି ରୂପକ ଜୀବାତ୍ମାଙ୍କ ସେବାରେ ଜୀବନକୁ ନିୟୋଜିତ କରି ସାଂସାରିକ କର୍ମ ନିର୍ବାହ କରିବ  । ସେମାନଙ୍କର ଆଧ୍ୟାତ୍ମିକ ବିକାଶ ନିମିତ୍ତ ପ୍ରଯତ୍ନଶୀଳ ହୋଇ ଆତ୍ମିକ ଅନୁଭୂତିର ମଧୁର ମୂର୍ଚ୍ଛନାରେ ଗୃହସ୍ଥ ଧର୍ମକୁ ଦିବ୍ୟ କରିବାର ପ୍ରଚେଷ୍ଟା ଜାରି ରଖିବ  । ତାହାହିଁ ହେବ ତୁମ ଗୃହସ୍ଥାଶ୍ରମର ଯଥାର୍ଥ କର୍ତ୍ତବ୍ୟ ଓ ଧର୍ମାଚରଣ  । ସନ୍ତାନ ସନ୍ତତିଙ୍କ ପ୍ରତି କେବଳ ଭୋ÷ତିକ ଦୃଷ୍ଟି ନଦେଇ ସୂକ୍ଷ୍ମ ଓ ଦିବ୍ୟ ଦୃଷ୍ଟି ଦେଲେ ସେମାନେ ମଧ୍ୟ ଭବିଷ୍ୟତରେ ମହାନ ହୋଇପାରିବେ  ।
ପୂଜ୍ୟ ଗୁରୁଦେବଙ୍କର କୃପା ତଥା ଉଭୟଙ୍କର ପିତାମାତାଙ୍କର ଆଶୀର୍ବାଦରେ ଆମେ ଉପଲବ୍ଧ କଲୁ ଯେ ଦୁଃଖମୟ ସଂସାରରୁ ମୁକ୍ତି ନିମିତ୍ତ ଗୃହସ୍ଥାଶ୍ରମ ଶ୍ରେଷ୍ଠ ଅବଲମ୍ବନ  । ଆମେ ଗୃହସ୍ଥାଶ୍ରମରେ ପାର୍ଥିବ ବସ୍ତୁରେ ସଂପୂର୍ଣ୍ଣ ଅନାସକ୍ତି ରଖିବା ସହିତ ପ୍ରେମ, ଉପାସନା ଓ ପ୍ରାର୍ଥନା ଦ୍ୱାରା ଈଶ୍ୱରଙ୍କ ସହିତ ଆନ୍ତରିକ ଏକତ୍ୱ ମାଧ୍ୟମରେ  ଗୃହସ୍ଥାଶ୍ରମକୁ ପ୍ରଚ୍ଛନ୍ନ ଭାବେ ଈଶ୍ୱରଙ୍କ ଠାରେ କେନ୍ଦ୍ରୀଭୂତ କରିପାରିଥିଲୁ  । ତେଣୁ ଆମ ଦୁଃଖମୟ ସଂସାର ଆନନ୍ଦମୟ ହୋଇପାରିଲା  । ଶ୍ରଦ୍ଧା, ବିଶ୍ୱାସ, ଦୈନନ୍ଦିନ ଉପାସନା, ଅତିଥି ଚର୍ଚ୍ଚା, ସାଧୁସନ୍ଥଙ୍କ ସେବା ପ୍ରଭୃତି ମାଧ୍ୟମରେ ଆମେ ଗୃହସ୍ଥାଶ୍ରମକୁ ସୁରକ୍ଷିତ କରିପାରିଥିଲୁ  । ପରିଣାମ ସ୍ୱରୂପ ଦୁଃଖ, ଅବସାଦ, ଯନ୍ତ୍ରଣା ଅନ୍ତର୍ହିତ ହୋଇ ସୁଖ, ସନ୍ତୋଷ, ପ୍ରସନ୍ନ ପଥୋନନ୍ଦ ଆମ ଜୀବନକୁ ମଧୁମୟ କରିଦେଲା ଏବଂ ଆମେ ଈଶ୍ୱରଙ୍କ ଠାରୁ ଆପଣାକୁ ଅଲଗା ବୋଲି ଭାବିପାରିଲୁ ନାହିଁ  ।
ଆନନ୍ଦନଗର , କାଠଗଡା, ଢେଙ୍କାନାଳ
ମୋ: ୮୮୯୫୨୩୦୭୨୨