କମୁଛି କର୍ମଚାରୀ ଚାହିଦା


ବର୍ତ୍ତମାନ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ କୃତି୍ରମ ବୁଦ୍ଧିମତ୍ତାର ପ୍ରୟୋଗ ବଢ଼ି ଚାଲିଥିବା ବେଳେ ଦେଶରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ବଡ଼ ସଙ୍କଟ ଘନେଇ ଆସୁଛି । ୨୦୨୩-୨୪ ଆର୍ଥôକ ବର୍ଷରେ ଦେଶର ତିନିଟି ବୃହତ୍ ସୂଚନା ଓ ପ୍ରଯୁକ୍ତି କମ୍ପାନୀ ବଡ଼ଧରଣର ଛଟେଇ କରିଛନ୍ତି । ଆଇଟି କ୍ଷେତ୍ରକୁ ବାଦଦେଲେ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଖାଲି ପଡ଼ିଥିବା ପଦବୀ ଗୁଡ଼ିକ ପୂରଣ ହେଉ ନାହିଁ । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ହଜାର ହଜାର ପଦବୀ ଖାଲି ପଡ଼ିଥିବା ବେଳେ ଏସବୁ ପୂରଣ କରାନଯାଇ ଏହାକୁ ବେସରକାରୀ ନିଯୁକ୍ତିଦାତାମାନଙ୍କ ମାଧ୍ୟମରେ ପୂରଣ କରାଯାଉଛି । ବେସରକାରୀ ନିଯୁକ୍ତିଦାତାମାନେ ବେକାର ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ ବଡ଼ଧରଣର ଠକେଇ କାରବାର କରୁଛନ୍ତି ଏବଂ ଯୁବଗୋଷ୍ଠୀଙ୍କୁ ଶୋଷଣ କରୁଛନ୍ତି । ଦୁର୍ନୀତିପୂର୍ଣ୍ଣ ଉପାୟରେ ଅର୍ଥ ରୋଜଗାର କରୁଛନ୍ତି । 
ଗୋଟିଏ ପକ୍ଷରେ ଆଇଟି ଶିଳ୍ପରେ ଛଟେଇ ଲାଗି ରହିଥିବା ବେଳେ ସରକାରୀ ଉଦ୍ୟେଗ ଏବଂ ସରକାରୀ କ୍ଷେତ୍ରରେ ଯୁବଗୋଷ୍ଠୀଙ୍କୁ ଶୋଷଣ ଦେଶର ଅର୍ଥନୀତି କ୍ଷେତ୍ରରେ ପ୍ରତିଫଳିତ ହେବାର ସମ୍ଭାବନା ଦେଖା ଦେଲାଣି । ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଠିକାରେ ନିଯୁକ୍ତି ପାଉଥିବା କର୍ମଚାରୀମାନେ ଗୋତି ଶ୍ରମିକ ଭଳି କାମ କରୁଥିବା ବେଳେ ନିୟମିତ କର୍ମଚାରୀମାନେ ଏହି ଠିକା କର୍ମଚାରୀମାନଙ୍କ ଉପରେ କାମର ବୋଝକୁ ଲଦି ଦେଉଛନ୍ତି । ଅନ୍ୟପକ୍ଷରେ ନିଜେ କିଛି ନକରି ବିଭିନ୍ନ ପ୍ରକାରର ଅନୈତିକ କାମରେ ଲିପ୍ତ ରହୁଛନ୍ତି । ଠିକା କର୍ମଚାରୀଙ୍କର ପ୍ରତିବାଦ କରିଲେ ଛଟେଇ ହେବାର ଆଶଙ୍କା ରହୁଛି । ତେଣୁ ସେମାନେ ଯେତେ କଷ୍ଟ ପଡ଼ିଲେ ମଧ୍ୟ କ୍ରୀତଦାସ ଭଳି କାମ କରିବାକୁ ବାଧ୍ୟ ହେଉଛନ୍ତି । 
ବର୍ତ୍ତମାନ ସରକାରୀ ବିଦ୍ୟାଳୟ ଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ହଜାର ହଜାର ସଂଖ୍ୟାରେ ଶିକ୍ଷକ ପଦବୀ ଖାଲି ପଡିଛି । ସେସବୁ ପୂରଣ କରାଯାଇପାରୁନାହିଁ । ଅନ୍ୟପକ୍ଷରେ ସିଟି ଏବଂ ବିଏଡ଼ି ଭଳି ତାଲିମ୍ ନେଇଥିବା ଅନେକ ଯୁବକଯୁବତୀ ଚାକିରି କରିବାର ବୟସ ଅତିକ୍ରମ କରି ଗଲେଣି । କୌଣସି ଏକ ନିର୍ଦ୍ଦିଷ୍ଟ ନିଯୁକ୍ତି ସମ୍ପର୍କିତ ନୀତି ରହିଥିବା ଦେଖା ଯାଉନାହିଁ । କେତେବେଳେ କାହାର ମନେ ପଡ଼ିଲେ କିଛିଟା ପଦବୀର ପୂରଣ ପାଇଁ ଚେଷ୍ଟା କରାଯାଉଛି ଏବଂ ସେହି ପଦବୀ ଗୁଡ଼ିକ ପୂରଣ ହେବାର ପ୍ରକ୍ରିୟା ବର୍ଷ ବର୍ଷ ଧରି ଚାଲୁଛି । ଦୀର୍ଘବର୍ଷ ଧରି ଚାକିରି ପାଇଁ ଆଶା କରି ବିଭିନ୍ନ ପ୍ରକାରର ପରୀକ୍ଷା ଦେଉଥିବା ଯୁବଗୋଷ୍ଠୀଙ୍କ ପକ୍ଷରୁ ଲକ୍ଷାଧିକଙ୍କର ସରକାରୀ ଚାକିରି କରିବା ବୟସ ଅତିକ୍ରମ କରିଗଲାଣି । ଏବେ ସେମାନେ ବିଭିନ୍ନ ପ୍ରକାରର ହତାଶା ମଧ୍ୟରେ ଗତି କରୁଛନ୍ତି । ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ ନକରିଲେ ଦେଶର ଅଭିବୃଦ୍ଧି, ଅର୍ଥନୀତିକ ଅଭିବୃଦ୍ଧି ଆଦି ଆଶା କରିବା ବୃଥା ହୋଇଯିବ । ମନୁଷ୍ୟମାନଙ୍କୁ ବେକାର କରି ଯନ୍ତ୍ର ଉପରେ ନିର୍ଭର କରିଲେ ହୁଏତ ଦିନେ ଏକ ଜଟିଳ ପରିସ୍ଥିତି ସୃଷ୍ଟି ହେବ । ତେଣୁ ମାନବ ସମ୍ବଳର ପୂର୍ଣ୍ଣ ବିନିଯୋଗ ଦିଗରେ ଯୋଜନା କରାଯିବାର ଆବଶ୍ୟକତା ରହିଛି । ମାନବ ସମ୍ବଳକୁ ଅଣଦେଖା କରି ରାଷ୍ଟ୍ରୀୟ ପ୍ରଗତି ଆଶା କରିବା ଭବିଷ୍ୟତ ପାଇଁ ଅତ୍ୟନ୍ତ ଦୁଃଖଦାୟକ ପରିସ୍ଥିତି ସୃଷ୍ଟି କରିପାରେ । ବିଭିନ୍ନ ସରକାରୀ ପଦବୀ ପୂରଣ ପାଇଁ ଏକ ସ୍ପଷ୍ଟ ନୀତିର ଆବଶ୍ୟକତା ରହିଛି । ଏହି ନୀତିକୁ ଆଧାର କରି ଶିକ୍ଷିତ ଯୁବଗୋଷ୍ଠୀଙ୍କର ମାନବ ସମ୍ବଳର ସଦ୍ ବିନିଯୋଗ କରାଯିବା ଅତ୍ୟନ୍ତ ଜରୁରୀ । ଶ୍ରମିକମାନଙ୍କୁ କୁଶଳୀ କରାଯିବା ଦିଗରେ ଅନେକ ପ୍ରକାରର ତାଲିମ୍ ଦିଆଯାଉଛି । କିନ୍ତୁ ତାଲିମ୍ ପରେ ଦେଖାଯାଉଛି ଯେ ବହୁ କ୍ଷେତ୍ରରେ ସେମାନଙ୍କ ପାଇଁ କୌଣସି କାର୍ଯ୍ୟ ମିଳୁନାହିଁ । ତେଣୁ ସେମାନଙ୍କୁ ଦିଆଯାଉଥିବା ତାଲିମ୍ର କୌଣସି ମୂଲ୍ୟ ରହୁନାହିଁ । ମାନବସମ୍ବଳର କୌଶଳ ବିକାଶରେ ଉଦ୍ୟମ କରି ସେମାନଙ୍କୁ ନିଯୁକ୍ତି ମିଳିବା କ୍ଷେତ୍ରରେ ପରିସର ବୃଦ୍ଧି କରାନଗଲେ କେବଳ ଅର୍ଥଶୂନ୍ୟ ଭାବରେ ବିଭିନ୍ନ ଯୋଜନାରେ ଅର୍ଥ ଅପଚୟ ଘଟିବ ।