ଯକୃତର ଯତ୍ନ

ଯକୃତର ଯତ୍ନ

ଡା.ଉମେଶ ଚନ୍ଦ୍ର ପାତ୍ର : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ମୁତାବକ ପ୍ରତିବର୍ଷ ବିଶ୍ୱରେ ପାଖାପାଖି ୫୦ କୋଟି ଲୋକ ହେପାଟାଇଟିସ-ବି, ଅଥବା ହେପାଟାଇଟିସ୍‌-ସି ରୋଗରେ ପୀଡ଼ିତ । ଚିକିତ୍ସକଙ୍କ ମତରେ, ଯଦି ହେପାଟାଇଟିସ୍‌-ବି କିମ୍ବା ସି ରୋଗର ଉପଯୁକ୍ତ ଚିକିତ୍ସା କରାନଯାଏ ତେବେ ଏହା ଲିଭର ସିରୋସିସ, ଲିଭର କ୍ୟାନସର ଭଳି ଗୁରୁତର ସମସ୍ୟା ସୃଷ୍ଟି କରିପାରେ । ଅନେକଙ୍କର ଧାରଣା ରହିଛି ଯେ, ହେପାଟାଇଟିସ୍‌ ଠାରୁ ଏଡ଼୍‌ସ ଅତ୍ୟନ୍ତ ଭୟାବହ ରୋଗ । କିନ୍ତୁ ସତକଥା ହେଉଛି, ପ୍ରତିବର୍ଷ ଏଡ଼୍‌ସ ରୋଗରେ ଯେତିକି ଲୋକ ମରୁନାହାନ୍ତି ତା'ଠାରୁ ଅଧିକ ମରୁଛନ୍ତି ହେପାଟାଇଟିସ୍‌-ବି ଅଥବା ସି ରୋଗରେ ।

        ଲିଭର ବା ଯକୃତ ଶରୀରର ସବୁଠାରୁ ବଡ଼ ଗ୍ରନ୍ଥି । ଏହା ପାଚନରେ ସହାୟକ ଏକାଧିକ ପ୍ରକାରର ରସ ସୃଷ୍ଟିକରେ ଏବଂ ଶରୀରକୁ ବିଷମୁକ୍ତ ବା ଡିଟକ୍ସିଫିକେସନ୍‌ କରିଥାଏ । ଏବେ ଯକୃତ ସହିତ ସମ୍ପୃକ୍ତ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଅତ୍ୟଧିକ ମଦ୍ୟପାନ ଏବଂ ବିଶୃଙ୍ଖଳିତ ଜୀବନଶୈଳୀ ଏହାର କାରଣ । ଯକୃତ ଖରାପ ହୋଇଗଲେ ଟ୍ରାନ୍ସପ୍ଲାଣ୍ଟ ବ୍ୟତୀତ ଅନ୍ୟ ଉପାୟ ନାହିଁ । ତେବେ ଯକୃତ ଅସୁସ୍ଥ ହେବାର ବହୁ କାରଣ ରହିଛି । ଭାଇରାଲ ହେପାଟାଇଟିସ୍‌ : ଏହା ଏ, ବି, ସି, ଡି ଏବଂ ଇ - ପାଞ୍ଚ ପ୍ରକାରର । ଏ ଏବଂ ଇ ଦୂଷିତ ପାଣି ତଥା ଖାଦ୍ୟ ଯୋଗୁ ହେଉଥିବା ବେଳେ ଏହାକୁ ସାଧାରଣ ଭାଷାରେ ଜଣ୍ଡିସ୍‌ ବା ହଳଦିଆ କାମଳ ବୋଲି କୁହାଯାଏ । ଏହାର ଲକ୍ଷଣ ପ୍ରାୟ ଚାରିସପ୍ତାହ ଜାରି ରହେ । ରୋଗୀକୁ ବାନ୍ତି ଏବଂ ଜ୍ୱର ହୁଏ । ତେବେ ସ୍ପଷ୍ଟ ଲକ୍ଷଣ ଜଣାପଡ଼ିବା ପରେ ରୋଗୀ ତୁରନ୍ତ ଚିକିତ୍ସା ପାଇଁ ପହଞ୍ôଚଥାନ୍ତି । ଯକୃତ ଖରାପ ହେବାର ଦଶଦିନ ପୂର୍ବରୁ ରୋଗୀର ମାନସିକ ସ୍ଥିତି ମଧ୍ୟ ବିଗିଡ଼ିବାରେ ଲାଗେ । ହେପାଟାଇଟିସ୍‌ ବି ଏବଂ ସି ସଂକ୍ରମଣର ପ୍ରାୟ ଦେଢ଼ରୁ ଦୁଇମାସ ପରେ ଏହାର ଲକ୍ଷଣ ପ୍ରକାଶ ପାଏ । ଯେଉଁ କେସ୍‌ରେ ଏକ ମାସ ମଧ୍ୟରେ ଲକ୍ଷଣ ପ୍ରକାଶ ପାଏ ତାକୁ ଆକ୍ୟୁଟ୍‌ ବୋଲି କହିଥାନ୍ତି ଏବଂ ଏଥିରେ ଯକୃତକୁ ରକ୍ଷା କରାଯାଇପାରେ । ତେବେ ଲକ୍ଷଣ ପ୍ରକାଶ ପାଇବା ଛ'ମାସରୁ ଅଧିକ ହୋଇଗଲେ ଏହା କ୍ରୋନିକ୍‌ ହୋଇଯାଏ ଏବଂ ରୋଗୀ ପୁରା ସୁସ୍ଥ ହେବାର ଆଶା କ୍ଷୀଣ ରହେ । ଯେଉଁମାନଙ୍କୁ ପିଲାଦିନରୁ ଏହି ଇନ୍‌ଫେକ୍‌ସନ ହୋଇଥାଏ ସେମାନେ ବଡ଼ ହେବା ପରେ ସାଧାରଣତଃ କ୍ରୋନିକ୍‌ ହେପାଟାଇଟିସ୍‌ରେ ପୀଡ଼ିତ ହୁଅନ୍ତି । ଉଭୟ ଭାଇରସ୍‌ ଯକୃତ ଉପରେ କୁପ୍ରଭାବ ପକାଇଥାଏ । ଏହାର ଯେଉଁ ଲକ୍ଷଣ ପ୍ରକାଶ ପାଏ, ସେଗୁଡ଼ିକ ମୁଖ୍ୟତଃ ହେଲା ଭୋକ ନହେବା, ଓଜନ କମିବା, ଜଣ୍ଡିସ୍‌, ଜ୍ୱର, ଦୁର୍ବଳ ଲାଗିବା, ବାନ୍ତି, ପେଟରେ ପାଣି ଜମିଯିବା, ରକ୍ତବାନ୍ତି ହେବା, ଦେହର ରଙ୍ଗ ହଳଦିଆ ପଡ଼ିଯିବା, ପରିସ୍ରା ଗାଢ଼ ରଙ୍ଗର ହେବା ଇତ୍ୟାଦି । ଏହା ଯକୃତକୁ ସଂକୁଚିତ କରିଦିଏ ।  ଠିକ୍‌ ସମୟରେ ଚିକିତ୍ସା ନପାଇଲେ ଧୀରେ ଧୀରେ ଲିଭର ସିରୋସିସ୍‌ ଓ ଲିଭର କ୍ୟାନସର ହେବାର ମଧ୍ୟ ଆଶଙ୍କା ରହିଛି । 

     ଯକୃତ ଖରାପ ହେବାର ଲକ୍ଷଣ ଡେରିରେ ଜଣାପଡେ଼ । ୩୦-୪୦ ପ୍ରତିଶତ ଯକୃତର କୋଷ କ୍ଷତିଗ୍ରସ୍ତ ହେବା ପରେ ହିଁ ଲକ୍ଷଣ ପ୍ରକାଶ ପାଇଥାଏ । ତେଣୁ ଯକୃତ ପରୀକ୍ଷଣ କରାଇ ନେବା ଜରୁରି । ଏହାକୁ ଅଟୋଇମ୍ୟୁନ୍‌ ହେପାଟାଇଟିସ୍‌ କୁହାଯାଏ । ଫ୍ୟାଟି ଲିଭର ପାଇଁ ଅଲ୍‌ଟ୍ରାସାଉଣ୍ଡ ଓ ଫାଇବ୍ରୋସ୍କାନ ପରୀକ୍ଷା କରିପାରିବେ । ରକ୍ତ ପରୀକ୍ଷାରୁ ଯକୃତ ବାବଦରେ ଜଣାନପଡ଼ିଲେ ବିଶେଷଜ୍ଞମାନେ ବାୟୋପ୍‌ସିର ପରାମର୍ଶ ଦେଇଥାନ୍ତି । ଏଥିରେ ଯକୃତର କିଛି ଅଂଶ ଲାବୋରେଟୋରୀ ପଠାଯାଇ ପରୀକ୍ଷା କରାଯାଏ । ତେବେ ଯକୃତକୁ ସୁସ୍ଥ ରଖିବା ଲାଗି ସ୍ୱଚ୍ଛ ପାଣି ପିଅନ୍ତୁ, ଦୂଷିତ ଖାଦ୍ୟରୁ ଦୂରେଇ ରହନ୍ତୁ, ବ୍ୟାୟାମ କରନ୍ତୁ, ସୁରକ୍ଷିତ ଶାରୀରିକ ସମ୍ପର୍କ ରଖନ୍ତୁ ଏବଂ ନିୟମିତ ବ୍ୟବଧାନରେ ୪୦ ବର୍ଷ ପରେ ଯକୃତ ପରୀକ୍ଷା କରାଇ ନିଅନ୍ତୁ । ସବୁଠାରୁ ବଡ଼ କଥା ମଦ୍ୟପାନରୁ ବିରତ ରୁହନ୍ତୁ ।

ମୋ : ୯୪୩୭୦୫୧୯୫୭