ସିଏମଓ ଅଧିକାରୀ କହି ଠକୁଥିଲା : ମାଡ଼ିବସିଲା ପୁଲିସ୍‌

ସିଏମଓ ଅଧିକାରୀ କହି ଠକୁଥିଲା : ମାଡ଼ିବସିଲା ପୁଲିସ୍‌

ଭୁବନେଶ୍ୱର : ‘ମୁଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଅଛି । ତମର ସବୁ କାମ ମୁଁ ଚୁଟକିରେ କରିଦେବି । ଏଥିପାଇଁ କିଛି ମାଲପାଣି ଲାଗିବ । କିନ୍ତୁ କାମ ହେବା ନିଶ୍ଚିତ ।’ ଏମିତି କହି ଲୋକଙ୍କୁ ଠକୁଥିଲା ଅର୍ଜୁନ ପାଣିଗ୍ରାହୀ । କଟକର ତେଲେଙ୍ଗାପେଣ୍ଠରେ ରହୁଥିଲା । ହେଲେ ତା’ର ଘର କିନ୍ତୁ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମାଛଳ ଗାଁ । ଆଜି କଟକ ସଦର ଥାନା ପୁଲିସ୍‌ ଅର୍ଜୁନକୁ ଗିରଫ କରିବା ସହ ତା’ଠାରୁ ୩୮ ହଜାର ଟଙ୍କା, ବିଭିନ୍ନ ଲୋକଙ୍କ ନାଁ ଓ ଠିକଣା ଲେଖାଥିବା ରେଜିଷ୍ଟ୍ରର, ୱେବପୋର୍ଟାଲର ଆଇକାଡର଼୍, ଫୋନ୍‌ ଓ ବ୍ୟାଙ୍କ ପାସବୁକ୍‌ ଜବତ କରିଥିବା ଜାଣିବାକୁ ମିଳିଛି । 


     ନଛିପୁର ବଢେଇ ସାହିର ସମୀର ସାହୁକୁ ଚାକିରୀ ଦେବ ବୋଲି ଅର୍ଜୁନ ପ୍ରତିଶ୍ରୁତି ଦେଇଥିଲା । ଏଥିପାଇଁ ଲକ୍ଷାଧିକ ଟଙ୍କା ଲାଗିବ ବୋଲି କହିବା ସହ ପ୍ରାଥମିକ ଭାବେ ୭୫ ହଜାର ଟଙ୍କା ଦେଇଥିଲେ । ମାତ୍ର ଟଙ୍କା ନେବାର ଦୀର୍ଘ ଦିନ ପର୍ଯ୍ୟନ୍ତ ଚାକିରି ମିଳିନଥିଲା । ବହୁ ଦିନ ପର୍ଯ୍ୟନ୍ତ ଚାକିରି ନମିଳିବାରୁ ସମୀର ଟଙ୍କା ଫେରସ୍ତ ମାଗିଥିଲେ । ଆଉ ବାରମ୍ବାର ଦୌଡିବା ପରେ ଅର୍ଜୁନ ବହୁ କଷ୍ଟରେ ୨୦ ହଜାର ଟଙ୍କା ଫେରାଇଥିଲେ । ମାତ୍ର ବାକି ପଇସା ଦେବାକୁ ସମୟ ଗଡାଇ ଚାଲିଥିଲେ । ଦୀର୍ଘଦିନ ଏଭଳି ଚାଲିବା ପରେ ବାଧ୍ୟ ହୋଇ ସମୀର ସାହୁ ସଦର ଥାନାରେ ଏତଲା ଦାୟର କରିଥିଲେ । ପୋଲିସ ମାମଲା ରୁଜୁ କରି ଭଡ଼ା ଘରୁ ଅଭିଯୁକ୍ତ ଅର୍ଜୁନକୁ ଗିରଫ କରିଥିଲା । ତା’ ଘରୁ ଜବତ ହୋଇଥିବା ଖାତାରେ ବହୁ ଲୋକଙ୍କ ନାଁ ଓ ଠିକଣା ଲେଖା ଅଛି । ସମୀର ଭଳି ଅନେକ ଲୋକକୁ ସେ ଚାକିରୀ ଦେବା ନାଁରେ ଠକିଥିବା ଜଣାପଡ଼ିଛି । ଏଭଳି ଠକେଇର ଶିକାର ହୋଇଥିବା ବ୍ୟକ୍ତି ତୁରନ୍ତ ଥାନାରେ ଆସି ଅଭିଯୋଗ କରିବାକୁ ଡିସିପି ଖିଲାରୀ ରିଷିକେଶ ଦ୍ୟାନଦେଓ ସୂଚନା ଦେଇଛନ୍ତି । ତେବେ ଅର୍ଜୁନ ପାଖରୁ ଏକ ୱେବ ପୋର୍ଟାଲର ପ୍ରେସ ଆଇଡି କାର୍ଡ ମିଳିଛି । ବହୁ ସମୟରେ ସେ ଭୁବନେଶ୍ୱର ଗଲା ବେଳେ ସେଠାରେ ଏହି କାର୍ଡ ପକାଇ ବିଭିନ୍ନ କାର୍ଯ୍ୟାଳୟରେ ପ୍ରବେଶ କରୁଥିଲା ବେଳେ ତଦନ୍ତରୁ ଜଣାପଡିଛି । ନିଜକୁ ସେହି ୱେବ ପୋର୍ଟାଲର ଏଡିଟର କହି କାର୍ଯ୍ୟାଳୟରେ ଅବାଧ ପ୍ରବେଶ କରୁଥିଲା ।