ସିସିପିଏ ନିୟମାବଳୀକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ରାୟ: ‘ରେଷ୍ଟୁରାଣ୍ଟ୍ରେ ସେବା କର ବାଧ୍ୟତାମୂଳକ ନୁହେଁ’
ନୂଆଦିଲ୍ଲୀ: ହୋଟେଲ୍ ଏବଂ ରେଷ୍ଟୁରାଣ୍ଟମାନଙ୍କରେ ଗ୍ରାହକମାନଙ୍କ ଠାରୁ ସେବାକର (ସର୍ଭିସ୍ ଚାର୍ଜ) ଆଦାୟ କରିବା ବାଧ୍ୟତାମୂଳକ ନୁହେଁ । କେନ୍ଦ୍ରୀୟ ଉପଭୋକ୍ତ ସୁରକ୍ଷା ପ୍ରାଧିକରଣ (ସିସିପିଏ) ନିୟମକୁ ଚାଲେଞ୍ଜ କରି ହୋଟେଲ୍ ଏବଂ ରେଷ୍ଟୁରାଣ୍ଟ ସଂଘ ହାଇକୋର୍ଟରେ ଦାୟର କରିଥିବା ଏକ ପିଟିସନ୍ର ଶୁଣାଣି ଅବସରରେ ଉପରୋକ୍ତ ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ବିଚାରପତି ପ୍ରଥିବା ଏମ୍ ସିଂ । ଏହାସହ ସିସିପିଏ ନିୟମକୁ ଚାଲେଞ୍ଜ କରିଥିବାରୁ ସଂଘକୁ ୧ଲକ୍ଷ ଟଙ୍କା ଜରିମାନା ନିଦେ୍ର୍ଦଶ ଦିଆଯାଇଥିବା ବେଳେ ସଂଘ ପକ୍ଷରୁ ଦାୟର କରାଯାଇଥିବା ପିଟିସନ୍କୁ ବିଚାରପତି ଖାରଜ କରି ଦେଇଛନ୍ତି । ସଂଘକୁ ଚେତାବନୀ ସ୍ୱରୂପ ହାଇକୋର୍ଟ କହିଛନ୍ତି ସିସିପିଏ କୌଣସି ଏକ ପରାମର୍ଶଦାତା ସଂସ୍ଥା ନୁହେଁ; ଗ୍ରାହକଙ୍କ ବୃହତର ସ୍ୱାର୍ଥ ପାଇଁ ଏବଂ ଅସାଧୁ ବାଣିଜ୍ୟ ରୋକିବାକୁ ସିସିପିଏଙ୍କ କ୍ଷମତା ରହିଛି । ଆଉ ଏଇଥିପାଇଁ ବାଣିଜ୍ୟ ସଂସ୍ଥାଗୁଡ଼ିକ ପାଇଁ ନିଦେ୍ର୍ଦଶାବଳୀ ପ୍ରସ୍ତୁତ କରିଥା’ନ୍ତି । କିନ୍ତୁ ଏହି ନିଦେ୍ର୍ଦଶାବଳୀକୁ ଉଲ୍ଲଂଘନ ସ୍ୱରୂପ ଚାଲେଞ୍ଜ କରାଯାଇଥିବାରୁ ସଂଘ ଉପରେ ଜରିମାନା ପକାଯାଇଥିବା କୋର୍ଟ କହିଛନ୍ତି ।
ସୂଚନା ଯେ, ହୋଟେଲ୍ ଏବଂ ରେଷ୍ଟୁରାଣ୍ଟ ଶିଳ୍ପ ଗ୍ରାହକମାନଙ୍କ ଠାରୁ ବାଧ୍ୟତାମୂଳକ ଭାବେ ସେବା କର ଆଦାୟ କରିପାରିବେ ନାହିଁ ବୋଲି ୨୦୨୨ରେ ସିସିପିଏ ଗାଇଡ୍ ଲାଇନ୍ ଜାରି କରିଥିଲେ । ଏଥିରେ ସେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ଗ୍ରାହକଙ୍କ ଅଜ୍ଞତାରେ କୌଣସି ପ୍ରକାରର ସେବାକର ଆଦାୟ କରାଯାଇପାରିବ ନାହିଁ କିମ୍ବା ସେମାନଙ୍କୁ ଏଥିପାଇଁ ବାଧ୍ୟ ମଧ୍ୟ କରାଯିବ ନାହିଁ । ତେବେ ହୋଟେଲ୍ ଓ ରେଷ୍ଟୁରାଣ୍ଟ ପକ୍ଷରୁ ବିଭିନ୍ନ ପ୍ରକାର ସେବାକର ଓ ଶୁଳ୍କକୁ ନେଇ ବିଲ୍ ପ୍ରସ୍ତୁତ କରାଯାଉଥିବାରୁ କେଉଁଠି ଜିଏସ୍ଟି ଏବଂ କେଉଁଠି ଶୁଳ୍କ ତାହାକୁ ନେଇ ଗ୍ରାହକମାନେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି । ଏହାସହ ସିସିପିଏ ଗାଇଡ୍ ଲାଇନ୍ସରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ମୋଟ୍ ବିଲ୍ ଉପରେ କୌଣସି ବି ସଂସ୍ଥା ଜିଏସ୍ଟି ଘୋଷଣା କରିପାରିବେ ନାହିଁ ।