ଜାତି ଜନଗଣନା: କଂଗ୍ରେସକୁ କେନ୍ଦ୍ରମନ୍ତ୍ରୀଙ୍କ ସମାଲୋଚନା ; ସାମନ୍ତବାଦ ଓ ଅହଙ୍କାର କଂଗ୍ରେସର ପରିଚୟ

ନୂଆଦିଲ୍ଲୀ/ଭୁବନେଶ୍ୱର: ଜାତିଭିତ୍ତିକ ଜନଗଣନା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ନିଷ୍ପତ୍ତି ନେବା ପରେ କିଛି ଲୋକ ବିଳି ବିଳେଇ ହେଉଛନ୍ତି । ସେମାନେ ‘ସରକାର ତୁମର ଓ ବ୍ୟବସ୍ଥା ଆମର’ ବୋଲି କହୁଛନ୍ତି । ତେବେ ୧୯୫୧ରେ ସରକାର କାହାର ଥିଲା ଏବଂ ସିଷ୍ଟମ କାହାର ଥିଲା? କାକା କାଲେଲକର କମିଶନର ରିପୋର୍ଟ, ମଣ୍ଡଳ କମିଶନଙ୍କ ରିପୋର୍ଟକୁ ପ୍ରତ୍ୟାଖାନ କରିଥିବା ତଥା ସାମାଜିକ ନ୍ୟାୟ ବିରୋଧରେ ସବୁବେଳେ ଥିବା କଂଗ୍ରେସ ବିଜେପିକୁ ଏହି ପ୍ରସଙ୍ଗରେ ଟାଇମ୍ ଲାଇନ୍ ନେଇ ପ୍ରଶ୍ନ କରିବା ଦୁର୍ଭାଗ୍ୟଜନକ ବୋଲି  ନୂଆଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 
ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ କଂଗ୍ରେସର ମନ୍ତବ୍ୟ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ବିଜେପି ପାର୍ଟି ଯାହା କୁହେ, ସେହି କଥାକୁ ପାଳନ କରେ । ସାମନ୍ତବାଦ ଏବଂ ଅହଙ୍କାର କଂଗ୍ରେସର ପରିଚୟ ବୋଲି କହି ସମାଲୋଚନା କରିଥିଲେ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଜାତିଗତ ସଂରକ୍ଷଣର ଘୋର ବିରୋଧୀ ଥିଲେ । ଏହି କଥା କେବଳ ତାଙ୍କର ବୟାନବାଜିରେ ସୀମିତ ନ ଥିଲା ବରଂ ସେ ରାଜ୍ୟ ସରକାରଙ୍କୁ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଚିନ୍ତାପ୍ରକଟ କରିଥିଲେ । ଯଦି ଜାତି ଆଧାରରେ ସଂରକ୍ଷଣ ମିଳେ ତେବେ ଗୁଣବତ୍ତା ହ୍ରାସ ପାଇବ ବୋଲି ଉଲ୍ଲେଖ କରିଥିଲେ । ଯେଉଁମାନେ ସାମାଜିକ ନ୍ୟାୟର ଡିଣ୍ଡିମ ପିଟୁଛନ୍ତି ସେହିମାନେ ବାବା ସାହେବଙ୍କୁ ଭାରତ ରନô ଦେଇ ନ ଥିଲେ । ଶ୍ରୀ ପ୍ରଧାନ ଜାତିଭିତ୍ତିକ ଜନଗଣନାର ସକରାତ୍ମକ ଚିପ୍ପଣୀ ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଐତିହାସିକ ନିର୍ଣ୍ଣୟ ପାଇଁ ଧନ୍ୟବାଦ ଦେଇଛନ୍ତି ।