ସୁରକ୍ଷା କେବଳ ଲୋକ ଦେଖାଣିଆ ; ଟାଟା ଖଣିର ମାଟି ଡମ୍ପରେ ଲୀନ ହୋଇଯିବ କି ହାତୀହୁଡ଼ି ଗାଁ?


କାଳିଆପାଣି  : ଟାଟା କମ୍ପାନୀ ସାରା ରାଜ୍ୟରେ ସୁରକ୍ଷା ଓ ଖଣି ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଜନ କଲ୍ୟାଣ କାର୍ଯ୍ୟ ନେଇ ସୁନାମ ଅର୍ଜନ କରିଛି । ଖଣି ଖନନ କରୁଥିବା ପାର୍ଶ୍ୱବର୍ତ୍ତୀ ଗାଁ ଗୁଡିକରେ ବସବାସ କରୁଥିବା ଅଧିବାସୀଙ୍କ ସୁରକ୍ଷା ଦିଗରେ ବେଶ ଗୁରୁତ୍ୱ ଦେବା ପ୍ରତିବଦଳରେ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଥିବାର ଅଭିଯୋଗ ହୋଇଛି । ଟାଟା କମ୍ପାନୀ ଅଧୀନରେ ସାରୁଆବିଲ ଓ କୋମର୍ଦ୍ଧା ଖଣି ଦୁଇଟି ଚାଲୁଥିବା ବେଳେ ବର୍ତମାନ ଏହି ଖଣିର ମାଟି ଡମ୍ପ ହାତୀହୁଡ଼ି ଗ୍ରାମବାସୀଙ୍କ ପାଇଁ କାଳ ସାଜିଛି । ଗାଁକୁ ଲାଗି ରହିଛି ଏହି ଦୁଇଟି ଖଣିର ମାଟିଡ଼ମ୍ପ । ଲଗାଣ ବର୍ଷାରେ ଡମ୍ପର ପାଣି ଆସି ଚାଷ ଜମିରେ ପଶି ଯାଉଥିବା ବେଳେ ଗାଁର ଏକର ଏକର ଚାଷ ଜମି ଏବେ ପଡିଆ ପଡ଼ୁଛି ଅନ୍ୟପଟେ ବୃହତ୍ ମାଟିଡମ୍ପ ଦୁର୍ଭାଗ୍ୟ ବଶତଃ କେବେ ଧସି ଯାଏ ତେବେ ସମ୍ପୂର୍ଣ୍ଣ ହାତୀହୁଡ଼ି ଗାଁ ଲୀନ ହୋଇଯିବା କଥାକୁ ଏଡାଇ ଦିଆ ଯାଇପାରିବ ନାହିଁ । ଖଣିର ପାର୍ଶ୍ୱବର୍ତ୍ତୀ ଗାଁ ହିସାବରେ ଟାଟା କମ୍ପାନୀ ପକ୍ଷରୁ ଏମିତି ଅଣଦେଖା କରାଯାଉଛି ଏହି ଗାଁ ଯେ ଯେମିତିକି ସାବତ ପୁଅ । ଡମ୍ପ୍ ମାଟି ଧସିବା ଘଟଣାକୁ ଦୃଷ୍ଟିରେରେ ଖଣି କର୍ତୃପକ୍ଷ ଡମ୍ପ ଚତୁରପାର୍ଶ୍ୱରେ ମଜବୁତ୍ କଂକ୍ରିଟ ୱାଲ୍ କରିବା ସହିତ ଡମ୍ପ ପାର୍ଶ୍ୱରେ ଥିବା ଗାଁ ଗୁଡ଼ିକର ବାସିନ୍ଦାଙ୍କୁ ବିସ୍ଥାପିତ କରିବା ଦିଗରେ ଦୃଷ୍ଟି ଦେବା କଥା କିନ୍ତୁ ଏଯାବତ୍ ଏହି ଦିଗରେ କୌଣସି ପଦକ୍ଷେପ ମଧ୍ୟ ଗ୍ରହଣ କରୁନାହାନ୍ତି ଖଣି କତୃପକ୍ଷ । ଖଣି ଖନନ ପାଇଁ ପାନୀୟ ଜଳ ସମସ୍ୟା ଏହି ଗାଁର ଏକ ମୁଖ୍ୟ ସମସ୍ୟା ପାଲଟି ଥିବା ବେଳେ ଏହି ଦିଗରେ ମଧ୍ୟ ଖଣି କର୍ତ୍ତୃପକ୍ଷ କୌଣସି ଦୃଷ୍ଟି ଦେଉନାହାନ୍ତି ବୋଲି ଅଭିଯୋଗ ମଧ୍ୟ କରନ୍ତି ଗ୍ରାମବାସୀ । ଏହି ସଂକ୍ରାନ୍ତରେ ଟାଟା କମ୍ପାନୀ ପକ୍ଷରୁ କେବେ ପଦକ୍ଷେପ ଗ୍ରହଣ କରାଯାଉଛି ଦେଖିବାକୁ ବାକି ରହିଲା ।