ସୁରତରେ ହାଇସ୍ପିଡ ବୁଲେଟ ଟ୍ରେନ ପ୍ରକଳ୍ପର ସମୀକ୍ଷା କଲେ ମୋଦି

ସୁରତରେ ହାଇସ୍ପିଡ ବୁଲେଟ ଟ୍ରେନ ପ୍ରକଳ୍ପର ସମୀକ୍ଷା କଲେ ମୋଦି

ସୁରତ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ସୁରତରେ ନିର୍ମାଣାଧୀନ ବୁଲେଟ୍‌ ଟ୍ରେନ୍‌ ଷ୍ଟେସନ ପରିଦର୍ଶନ କରିବା ସହିତ ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପିଡ୍‌ ରେଳ କରିଡରର ଅଗ୍ରଗତି ସମୀକ୍ଷା କରିଛନ୍ତି । ସେ ଭାରତର ପ୍ରଥମ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପର ଦଳ ସହିତ ମଧ୍ୟ ଆଲୋଚନା କରିଥିଲେ ଏବଂ ଗତି ଓ ଧାର୍ଯ୍ୟ ସମୟସୀମା ଅନୁସରଣ ସମେତ ପ୍ରକଳ୍ପର ଅଗ୍ରଗତି ବିଷୟରେ ପଚାରିଥିଲେ । ଶ୍ରମିକମାନେ ପ୍ରଧାନମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ପ୍ରକଳ୍ପ କୌଣସି ଅସୁବିଧା ବିନା ସହଜ ଭାବରେ ଆଗକୁ ବଢ଼ୁଛି ।


    କେରଳର ଜଣେ ଇଞ୍ଜିନିୟର ଗୁଜରାଟର ନବସାରୀରେ ଥିବା ନଏଜ୍‌ ବ୍ୟାରିଅର୍‌ କାରଖାନାରେ କାମ କରିବାର ତାଙ୍କର ଅଭିଜ୍ଞତା ବିଷୟରେ କହିଥିଲେ । ସେଠାରେ ରୋବାର୍‌ କେଜ୍‌ ୱେଲ୍ଡିଂ ପାଇଁ ରୋବୋଟିକ୍‌ ୟୁନିଟ୍‌ ନିୟୋଜିତ କରାଯାଇଛି । ମୋଦି ତାଙ୍କୁ ଭାରତର ପ୍ରଥମ ବୁଲେଟ୍‌ ଟ୍ରେନ୍‌ ନିର୍ମାଣର ଅଭିଜ୍ଞତାକୁ ନେଇ ବ୍ୟକ୍ତିଗତ ଭାବରେ କିପରି ଅନୁଭବ କରିଛନ୍ତି ଏବଂ ଏହି ଐତିହାସିକ ସଫଳତା ବିଷୟରେ ସେମାନେ ନିଜ ପରିବାର ସହିତ କ’ଣ ବାଣ୍ଟିଛନ୍ତି ତାହା ପଚାରି ବୁଝିଥିଲେ । ସେ ଦେଶର ପ୍ରଥମ ବୁଲେଟ୍‌ ଟ୍ରେନ ନିର୍ମାଣ କାମରେ ଅବଦାନ ଦେବାରେ ଗର୍ବିତ ଅନୁଭବ କରୁଛନ୍ତି ବୋଲି କହିବା ସହ ଏହାକୁ ଏକ ‘ସ୍ୱପ୍ନ ପ୍ରକଳ୍ପ’ ଏବଂ ତାଙ୍କ ପରିବାର ପାଇଁ ଏକ ‘ଗୌରବ ମୁହୂର୍ତ୍ତ’ ବୋଲି କହିଥିଲେ । 


     ରାଷ୍ଟ୍ର ସେବାର ମନୋଭାବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ,  ଯେତେବେଳେ ଦେଶ ପାଇଁ କାମ କରିବା ଏବଂ କିଛି ନୂତନ ଯୋଗଦାନ କରିବାର ଭାବନା ଆସିଥାଏ, ଏହା ଏକ ବିଶାଳ ପ୍ରେରଣାର ଉତ୍ସ ହୋଇଯାଏ । ସେ ଭାରତର ମହାକାଶ ଯାତ୍ରା ସହିତ ଏହାକୁ ତୁଳନା କରିଥିଲେ । ସେ କହିଥିଲେ, ଦେଶର ପ୍ରଥମ ଉପଗ୍ରହ ଉତକ୍ଷେପଣ କରିଥିବା ବୈଜ୍ଞାନିକମାନେ କିପରି ଅନୁଭବ କରିଥିବେ ଏବଂ ଆଜି ଶହ ଶହ ଉପଗ୍ରହ ଉତକ୍ଷେପଣ କରାଯାଉଛି । ଲିଡ୍‌ ଇଞ୍ଜିନିୟରିଂ ମ୍ୟାନେଜର ଭାବରେ କାର୍ଯ୍ୟରତ ବେଙ୍ଗାଲୁରୁର ଶ୍ରୁତି, କଠିନ  ଡିଜାଇନ୍‌ ଏବଂ ଇଞ୍ଜିନିୟରିଂ ନିୟନ୍ତ୍ରଣ ପ୍ରକ୍ରିୟା ବ୍ୟାଖ୍ୟା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ଥିଲେ ।